ରାଉରକେଲା, ୨୭/୦୫ : ଦଶାହ କର୍ମରେ ଯୋଗ ଦେବାକୁ ଆସିଥିବା ଯୁବକଙ୍କୁ ତୀରମାଡ଼। ସୁନ୍ଦରଗଡ଼ ଜିଲ୍ଲା ବ୍ରାହ୍ମଣୀତରଙ୍ଗ ଥାନା ଅନ୍ତର୍ଗତ କଲୁଙ୍ଗା ଅଞ୍ଚଳରେ ମଙ୍ଗଳବାର ସକାଳ ପ୍ରାୟ ୧୦ଟା ବେଳେ ଏହି ଅଭାବନୀୟ ଘଟଣା ଘଟିଛି। ଯୁବକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ସୂଚନାନୁଯାୟୀ, ସମ୍ବଲପୁରର ଜଣେ ଯୁବକ ନିତ୍ୟାନନ୍ଦ ରଣବିରା ସମ୍ପର୍କୀୟଙ୍କ ଦଶାହ କର୍ମରେ ଯୋଗ ଦେବାକୁ ସୁନ୍ଦରଗଡ଼ ଜିଲ୍ଲା ବ୍ରାହ୍ମଣୀତରଙ୍ଗ ଥାନା କଲୁଙ୍ଗା ଅଞ୍ଚଳକୁ ଆସିଥିଲେ। ମଙ୍ଗଳବାର ସକାଳ ପ୍ରାୟ ୧୦ଟା ବେଳେ ଜଣେ ଅଜଣା ଯୁବକ ନିତ୍ୟାନନ୍ଦଙ୍କୁ ତୀର ମାରି ଫେରାର୍ ହୋଇଯାଇଥିଲେ। ତୀରଟି ନିତ୍ୟାନନ୍ଦଙ୍କ ପେଟରେ ବାଜିଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା ଲାଗି ରାଉରକେଲା ସରକାରୀ ଡାକ୍ତରଖାନା ଭର୍ତ୍ତି କରାଯାଇଛି। ତେବେ କ'ଣ ପାଇଁ ତୀର ମାଡ଼ ହେଲା ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ି ନାହିଁ। ପୁଲିସ ଏହି ଘଟଣାର ତଦନ୍ତ କରୁଛି ।