ନୂଆଦିଲ୍ଲୀ: ବର୍ଷ ବର୍ଷ ଧରି ଚାଲିଥିବା ରୁଷ-ୟୁକ୍ରେନ ଯୁଦ୍ଧରେ ଯୁଦ୍ଧବିରତି ପାଇଁ ଆରମ୍ଭ ହୋଇଥିବା ପ୍ରୟାସ ପୁଣି ଥରେ ନୂତନ ଆଶା ସୃଷ୍ଟି କରୁଛି। ରୁଷର ସରକାରୀ ଟିଭି ଚ୍ୟାନେଲ RT ନ୍ୟୁଜ୍ ଅନୁଯାୟୀ, କ୍ରେମଲିନ୍ ଘୋଷଣା କରିଛି ଯେ, ବିଶେଷଜ୍ଞ ସ୍ତରରେ କାମ ସରିବା ପରେ ଭ୍ଲାଦିମିର ପୁଟିନ୍, ଜେଲେନ୍ସକିଙ୍କ ସହ ଆଲୋଚନା କରିବାକୁ ପ୍ରସ୍ତୁତ ଅଛନ୍ତି।
ଗତ ସପ୍ତାହରେ, ଆମେରିକା ରାଷ୍ଟ୍ରପତି ରୁଷ ବିରୁଦ୍ଧରେ ପରମାଣୁ ବୁଡ଼ାଜାହାଜ ମୁତୟନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶର ତିନି ଦିନ ପରେ ପୁଟିନଙ୍କ ପଦକ୍ଷେପ ସୂଚାଇ ଦେଉଛି ଯେ,ଏହା ଟ୍ରମ୍ପଙ୍କ ପରମାଣୁ ବୁଡ଼ାଜାହାଜ ମୁତୟନର ପ୍ରଭାବ ନୁହେଁ ତ ? ତଥାପି, ରୁଷ ଟ୍ରମ୍ପଙ୍କ ଏହି ପଦକ୍ଷେପ ଉପରେ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଥିଲା ଏବଂ ଆମେରିକାକୁ ଏହାର ସାମୁଦ୍ରିକ ଶକ୍ତି ମନେ ପକାଇ ଦେଇଥିଲା ଆଉ କହିଥିଲା ଯେ, ଏହାର ପରିଣାମ ଆମେରିକା ପାଇଁ ଘାତକ ହୋଇପାରେ।
ଏହି ଘଟଣାକ୍ରମ ଏପରି ସମୟରେ ଘଟିଛି, ଯେତେବେଳେ କି ପୁଟିନଙ୍କ ଉପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଚାପ ବୃଦ୍ଧି ପାଇଥିବା ଆଶଙ୍କା କରାଯାଉଛି, କାହିଁକି ନା, ପୁଟିନ୍ ୟୁକ୍ରେନ ବିରୁଦ୍ଧରେ ଯୁଦ୍ଧବିରତି ପାଇଁ ରାଜି ହେବା ଏବଂ ଯୁଦ୍ଧ ସମାପ୍ତ କରିବା ପାଇଁ ଆଲୋଚନା କରିବାକୁ ପ୍ରସ୍ତୁତ ହେଉଛନ୍ତି। ଏପର୍ଯ୍ୟନ୍ତ ଟ୍ରମ୍ପ ଅତି କମରେ ତିନୋଟି ଯୁଦ୍ଧବିରତି ପ୍ରସ୍ତାବ ଉପସ୍ଥାପନ କରିଛନ୍ତି। ୟୁକ୍ରେନ ସେଗୁଡିକୁ ଗ୍ରହଣ କରିଛନ୍ତି, ଯେତେବେଳେ କି ପୁଟିନ ସେଗୁଡିକୁ ବାରମ୍ବାର ପ୍ରତ୍ୟାଖ୍ୟାନ କରିଚାଲିଛନ୍ତି । ଉଭୟ ଦେଶର ପ୍ରତିନିଧିମଣ୍ଡଳ ଅନେକ ଥର ଆଲୋଚନା କରିଛନ୍ତି, କିନ୍ତୁ ଏହାର କୌଣସି ଫଳାଫଳ ମିଳିନାହିଁ। କିଛି ସପ୍ତାହ ଧରି, ଜେଲେନ୍ସକି ଟ୍ରମ୍ପଙ୍କ ଉପସ୍ଥିତିରେ ପୁଟିନଙ୍କ ସହ ସିଧାସଳଖ ସାକ୍ଷାତ ଦାବି କରିଆସୁଛନ୍ତି। ପୁଟିନ ଏପର୍ଯ୍ୟନ୍ତ ଏପରି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛନ୍ତି।
ସୂଚନାଥାଉକି, ଯେ ପୁଟିନ ୟୁକ୍ରେନକୁ ଏକ ସ୍ୱାଧୀନ, ସାର୍ବଭୌମ ରାଷ୍ଟ୍ର ଭାବରେ ପ୍ରତ୍ୟାଖ୍ୟାନ କରିଛନ୍ତି ଏବଂ ତେଣୁ ସେ ଜେଲେନ୍ସକିଙ୍କୁ ଜଣେ ବୈଧ ରାଷ୍ଟ୍ରମୁଖ୍ୟ ଭାବରେ ବିବେଚନା କରନ୍ତି ନାହିଁ।