ଭୁବନେଶ୍ୱର,୨୫/୦୧: ରାଜ୍ୟକୁ ନିବେଶର ଏକ ଅଗ୍ରଣୀ ସ୍ଥଳ ଭାବେ ଗଢ଼ି ତୋଳିବା ଲକ୍ଷ୍ୟରେ ଭୁବନେଶ୍ୱରେ ଚଳିତ ମାସ ୨୮ ଓ ୨୯ରେ ଅନୁଷ୍ଠିତ ହେଉଛି ଉତ୍କର୍ଷ ଓଡ଼ିଶା ମେକ୍ ଇନ୍ ଓଡ଼ିଶା କାର୍ଯ୍ୟକ୍ରମ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୮ ତାରିଖ ପୂର୍ବାହ୍ନରେ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବେ । ଏଥର ରାଜ୍ୟ ଫୋକସ ବାଦ ୮ରୁ ଊଦ୍ଧ୍ୱର୍ ଉଦୀୟମାନ କ୍ଷେତ୍ରର ନିବେଶକଙ୍କୁ ଆକୃଷ୍ଟ କରିବା ଲାଗି ଲକ୍ଷ୍ୟ ରଖିଛି ।
ଶିଳ୍ପ ବିଭାଗ ସୂଚନା ମୁତାବକ, ନୂଆ ଏବଂ ଉଦୀୟମାନ କ୍ଷେତ୍ର ଉପରେ ଏଥର ଫୋକସ କରାଯାଇଛି । ଅକ୍ଷୟ ଶକ୍ତି ଯନ୍ତ୍ରାଂଶ, ଗ୍ରୀନ ଫୁଏଲ୍ସ, ସ୍ପେଶାଲିଟି କ୍ୟାପିଟାଲ୍ସ, ସ୍ପେଶାଲିଟି ମେଟାଲ, ଟେକ୍ନିକାଲ ଟେକ୍ସଟାଇଲ, ଲାର୍ଜ ସ୍କେଲ ଟେକ୍ସଟାଇଲ ମ୍ୟାଟେରିଆଲ ମାନୁଫାକଚରିଂ, ପେଟ୍ରୋକେମିକାଲ ଡାଉନ୍ଷ୍ଟ୍ରିମ ଭଳି କ୍ଷେତ୍ରକୁ ପ୍ରାଥମିକତା ଦିଆଯାଇଛି । ଏସବୁ କ୍ଷେତ୍ରଗୁଡିକର ସମ୍ଭାବ୍ୟ ଦିଗକୁ ନଜରରେ ରଖି ନୂଆ ଟ୍ରେଣ୍ଡ ଆଧାରରେ ଉଦ୍ୟୋଗୀଙ୍କୁ ଆକୃଷ୍ଟ କରିବା ଦିଗରେ ଏବେ ଉଦ୍ୟମ ହୋଇଛି ।
ରାଜ୍ୟ ସରକାର ସୂଚନା ପ୍ରଯୁକ୍ତି, ଅକ୍ଷୟ ଶକ୍ତି, କେମିକାଲ, ଖାଦ୍ୟ ପ୍ରକ୍ରିୟାକରଣ, ବୟନ ଭଳି ୫ଟି କ୍ଷେତ୍ରକୁ ଫୋକସ କରିଛନ୍ତି । ପାରାଦୀପରେ ପେଟ୍ରୋକେମିକାଲ ନିବେଶ ଅଞ୍ଚଳ, ଭଦ୍ରକ ଧାମରାରେ ପ୍ରସ୍ତାବିତ ଟେକ୍ସଟାଇଲ ପାର୍କ ଏବଂ ଖୋର୍ଦ୍ଧାର ବରୁଣେଇ ଶିଳ୍ପାଞ୍ଚଳ ସମେତ ଅନ୍ୟ ସ୍ଥାନଗୁଡିକରେ ଏଥିଲାଗି ବିଶେଷ ବ୍ୟବସ୍ଥା ଦ୍ୱାରା ନିବେଶକଙ୍କୁ ଆକୃଷ୍ଟ କରୁଛନ୍ତି ।
ଅକ୍ଷୟ ଶକ୍ତି କ୍ଷେତ୍ରରେ ସବୁଜ ଶକ୍ତି ପାର୍କ ଦ୍ୱାରା ରାଜ୍ୟ ଏବେ ସୌର ଏବଂ ପବନ ଶକ୍ତି ଉପରେ ଧ୍ୟାନକେନ୍ଦ୍ରୀତ କରିଛି । ଏ କ୍ଷେତ୍ରରେ ଯନ୍ତ୍ରାଂଶ ଇନ୍ଷ୍ଟଲେସନ, ମେଣ୍ଟେନାନ୍ସ, ଅପରେସନ ସହ ଗ୍ରୀନ ଟେକ୍ନୋଲୋଜି ସ୍କିଲ ନିଯୁକ୍ତି ସୃଷ୍ଟି ହେବ । ସେହିଭଳି ରାଜ୍ୟ ସରକାର ପରିବେଶ ଉପଯୋଗୀ ଶିଳ୍ପନୀତି ଆଧାରରେ ଏବେ ଗ୍ରୀନ ହାଇଡ୍ରୋଜେନ ଏବଂ ବାୟୋ ଏନର୍ଜି ଲାଗି ପଥ ଉନ୍ମୁକ୍ତ କରିଛନ୍ତି । ଏ କ୍ଷେତ୍ରରେ ଗବେଷଣା ଏବଂ ଉନ୍ନତିକରଣ, ଉତ୍ପାଦନ, ବିତରଣ ଭଳି ବର୍ଗଗୁଡିକରେ ରାଜ୍ୟ ଲାଗି ନୂଆ ସୁଯୋଗ ଆସିବ ବୋଲି ଆଶା କରାଯାଉଛି ।
ରାଜ୍ୟର ପ୍ରାକୃତିକ ସମ୍ବଳ ହାଇଟେକ ବିନିର୍ମାଣ କ୍ଷେତ୍ରକୁ ଉତ୍ସାହିତ କରିବାର ଢ଼େର ସମ୍ଭାବନା ରହିଛି । ଏ କ୍ଷେତ୍ରରେ ଉତ୍ପାଦନ, କ୍ୱାଲିଟି ଟେଷ୍ଟିଂ, ରପ୍ତାନି ପରିଚାଳନା ଭଳି କ୍ଷେତ୍ର ସହ ମେଟାଲର୍ଜିକାଲ ଅଗ୍ରଗତି ଏବଂ ଅଟୋମେଶନ ଟେକ୍ନୋଲୋଜିକୁ ପ୍ରୋତ୍ସାହିତ କରାଯାଉଛି । ଫାର୍ମା, କୃଷି ଏବଂ ଖାଉଟି ଉତ୍ପାଦରେ ବ୍ୟବହୃତ ସାମଗ୍ରୀ ଲାଗି ସ୍ୱତନ୍ତ୍ର କେମିକାଲ ପ୍ରସ୍ତୁତି ଲାଗି ନିବେଶକଙ୍କୁ ଉତ୍ସାହିତ କରୁଛି ରାଜ୍ୟ ।
ଡାଉନ୍ଷ୍ଟ୍ରିମିଂ ପେଟ୍ରୋକେମିକାଲ ବର୍ଗରେ ରିଫାଇନିଂ, ବିଶେଷ ଉତ୍ପାଦ ପ୍ରସ୍ତୁତି ଏବଂ ଲଜିଷ୍ଟିକ୍ସ ଭଳି କ୍ଷେତ୍ରଗୁଡିକୁ ପ୍ରୋତ୍ସାହନ ମିଳିବା ବିଶେଷ ସମ୍ଭାବନା ରହିଛି । ଏ କ୍ଷେତ୍ରରେ କୁଶଳୀ ଶ୍ରମଶକ୍ତିଙ୍କୁ ଯୋଡ଼ିବା ଉପରେ କାର୍ଯ୍ୟକ୍ରମ ଗ୍ରହଣ କରିବା ଲକ୍ଷ୍ୟ ରଖାଯାଇଛି । ଏସବୁ କ୍ଷେତ୍ରଗୁଡ଼ିକ ନିବେଶକଙ୍କୁ ଆକୃଷ୍ଟ କରିବ ବୋଲି ଆଶା କରାଯାଉଛି । ଏଥର ୫ ଲକ୍ଷ କୋଟି ଟଙ୍କାରୁ ନିବେଶ ଆକୃଷ୍ଟ କରିବା ଲାଗି ରାଜ୍ୟ ଲକ୍ଷ୍ୟ ରଖିଛି ।
୨ ଦିନର ନିବେଶକ ମହାକୁମ୍ଭ ସହ ୨୭ରେ କନ୍ଫେଡେରେସନ ଅଫ୍ ଇଣ୍ଡିଆନ ଇଣ୍ଡଷ୍ଟ୍ରିଜ (ସିଆଇଆଇ)ର ଜାତୀୟ ପରିଷଦ ବୈଠକ ମଧ୍ୟ ଭୁବନେଶ୍ୱରରେ ଅନୁଷ୍ଠିତ ହେଉଛି । ଏହାକୁ ଦେଖିଲେ ରାଜଧାନୀରେ ୩ ଦିନ ଧରି ବିଭିନ୍ନ ବାଣିଜ୍ୟିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏ ନେଇ ପ୍ରସ୍ତୁତି ପ୍ରାୟ ଚୂଡ଼ାନ୍ତ ପର୍ଯ୍ୟାୟରେ ରହିଛି । ଏଥର ୧୨ ରାଷ୍ଟ୍ରକୁ ନିମନ୍ତ୍ରଣ ପଠାଯାଇଛି । ବିଦେଶୀ ନିବେଶ ଟାଣିବା ଏଥର ଲକ୍ଷ୍ୟ ।
ଶିଳ୍ପ ସଚିବ ହେମନ୍ତ କୁମାର ଶର୍ମା କହିଛନ୍ତି, ୫ ଫୋକସ କ୍ଷେତ୍ର ବାଦ ୮ରୁ ଊଦ୍ଧ୍ୱର୍ ନୂଆ ଏବଂ ଉଦୀୟମାନ କ୍ଷେତ୍ରର ନିବେଶକଙ୍କୁ ରାଜ୍ୟକୁ ଆକୃଷ୍ଟ କରିବା ଲାଗି ରୋଡମ୍ୟାପ ପ୍ରସ୍ତୁତ ହୋଇଛି । ଏସବୁ କ୍ଷେତ୍ରଗୁଡ଼ିକର ସ୍ଥିତିକୁ ବିଚାର କରିବା ପରେ ପ୍ରଥମ ଥର ଲାଗି ଏହି ବର୍ଗଗୁଡିକ ଉପରେ ଧ୍ୟାନ ରଖାଯାଇଛି । ଏହି କାର୍ଯ୍ୟକ୍ରମରେ ୫ ହଜାରରୁ ଊଦ୍ଧ୍ୱର୍ ପ୍ରତିନିଧି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ବେଦାନ୍ତ ଅଧ୍ୟକ୍ଷ ଅନିଲ ଅଗ୍ରୱାଲ, ଜେଏସ୍ଡବ୍ଲ୍ୟୁ ଗ୍ରୁପ ଅଧ୍ୟକ୍ଷ ସଜନ ଜିନ୍ଦଲ, ଜେଏସ୍ପିଏଲ୍ ଅଧ୍ୟକ୍ଷ ନବୀନ ଜିନ୍ଦଲ, ଆଦାନି ଗ୍ରୁପ ନିର୍ଦ୍ଦେଶକ କରନ ଆଦାନି, ଆଦିତ୍ୟ ବିର୍ଲା ଗ୍ରୁପ ଅଧ୍ୟକ୍ଷ କୁମାର ମଙ୍ଗଲମ ବିର୍ଲା, ଟାଟା ସନ୍ସ ଅଧ୍ୟକ୍ଷ ଟିଭି ନରେନ୍ଦ୍ରନ ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।