ଖଲ୍ଲିକୋଟ, ୨୮/୦୧ : ପକେଟରେ ବୋମା ଧରି ଆସିଥିଲେ । ହାତରେ ଧରି ଦେଖାଇବା ବେଳେ ତଳେ ପଡି ଘର ଭିତରେ ବିସ୍ଫୋରଣ ହୋଇଥିଲା । ଏଥିରେ ଗୋଟିଏ ପରିବାର ବାପା-ମା’ ଓ ଝିଅ ଗୁରୁତର ହୋଇଛନ୍ତି। ଏଭଳି ଘଟଣା ଘଟିଛି ଖଲ୍ଲିକୋଟ ଥାନା ଅନ୍ତର୍ଗତ ତୁଳସୀପୁର ପଂଚାୟତର ହରିପୁର ଗ୍ରାମରେ। ଗୁରୁତର ୩ ଜଣ ହେଲେ ବାଲାଜୀ ଦାସ, ତାଙ୍କ ସ୍ତ୍ରୀ ଗୀତା ଦାସ ଓ ୧୦ ବର୍ଷ ର ଝିଅ ପ୍ରଣତୀ ଦାସ I
ହରିପୁର ଗ୍ରାମର ପ୍ରକାଶ ଦାସ ସେହି ଗ୍ରାମରେ ଥିବା ନିଜ ଭଉଣୀ ଘରକୁ ମଙ୍ଗଳବାର ରାତି ୮ ଟାରେ ଆସିଥିଲେ। ଘରେ ପହଞ୍ଚି ଭାଣିଜୀ ପ୍ରଣତି ଦାସକୁ ପ୍ୟାଣ୍ଟ ପକେଟରେ ଥିବା ବୋମାକୁ ବାହାର କରି ଦେଖାଉ ଥିଲେ। ଆସାବଧାନତା ବଶତଃ ହାତରୁ ବୋମା ଖସି ତଳେ ପଡିଯାଇଥିଲା । ଫଳରେ ପ୍ରଚଣ୍ଡ ଶବ୍ଦ କରି ଘର ଭିତରେ ବିସ୍ଫୋରଣ ଘଟିଥିଲା। ପାଖରେ ଥିବା ଭଉଣୀ ଗୀତା ଦାସ(୩୦),ଜ୍ୱାଇଁ ବାଲାଜୀ ଦାସ (୪୩) ଓ ଭାଣିଜୀ ପ୍ରଣତି ଦାସ( ୧୦) ଆହତ ହୋଇଥିଲେ। ସମସ୍ତଙ୍କୁ ତୁରନ୍ତ ଚିକିତ୍ସା ପାଇଁ ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା। ତେବେ ଘଟଣା ପରେ ମାମୁଁ ପ୍ରକାଶ ଦାସ ସେଠାରୁ ଫେରାର ହୋଇଯାଇଥିବା ଜଣାପଡ଼ିଛି। ବୋମା ବିସ୍ଫୋରଣରେ ସେ ଆହତ ହୋଇଛି କି ନାହିଁ ଜଣା ପଡ଼ିନାହିଁ। ଖବର ପାଇ ଖଲ୍ଲିକୋଟ ଥାନା ଅଧିକାରୀ ରମେଶ କୁମାର ପ୍ରଧାନ ସଦଳବଳେ ହରିପୁର ଗ୍ରାମକୁ ଯାଇ ଘଟଣାର ଅନୁସନ୍ଧାନ କରୁଛନ୍ତି। ମେଡିକାଲରେ ମଧ୍ୟ ପୁଲିସ ପହଞ୍ଚି ଆହତଙ୍କୁ ପଚାରାଉଚରା କରୁଛନ୍ତି।