ଭୁବନେଶ୍ୱର,୩୦/୦୧: ଆସୁଛି ଖରା । ବର୍ତ୍ତମାନ ଖରା  ବଢ଼ିବ । ଫେବ୍ରୁଆରୀ ଆରମ୍ଭରୁ ତାପମାତ୍ରା ଅଧିକ ବଢ଼ିପାରେ । ପାରଦ ବର୍ତ୍ତମାନ ତୁଳନାରେ ୩ ଡିଗ୍ରୀ  କିମ୍ବା ତା’ଠାରୁ ଅଧିକ ବଢ଼ିପାେରେ । କିଛି ଜାଗାରେ ପାରଦ ୩୪-୩୫  ଡିଗ୍ରୀ ଡେଇଁପାରେ । ପାଣିପାଗ ବିଶେଷଜ୍ଞ କହିଛନ୍ତି,  ବର୍ତ୍ତମାନ ଶୀତ ପ୍ରକୋପ କମିବ ।  ବଢ଼ିବ ଦିନ ଓ ରାତି ତାପମାତ୍ରା । ଦିନ  ତାପମାତ୍ରା ଆସନ୍ତା ୩୧ ପରଠାରୁ  କ୍ରମାଗତ ଭାବେ ବୃଦ୍ଧି ପାଇବ । ଆଗ ପଛ ହୋଇ ଭାରତ ଉପରେ  ପ୍ରଭାବ ପକାଇବ ୩ଟି ପଶ୍ଚିମା ଝଡ଼ । ସମ୍ଭାବ୍ୟ ପଶ୍ଚିମା ଝଡ଼ ପ୍ରଭାବରେ  ଓଡ଼ିଶା ଉପରେ ଗୁରୁଚାପ ବଳୟ ସୃଷ୍ଟି ହେବା ସମ୍ଭାବନା ଅଛି ।  ଏହା ପ୍ରଭାବରେ ବାୟୁମଣ୍ଡଳର  ମଧ୍ୟଭାଗରେ ଜଳୀୟବାଷ୍ପ ରହିବ  ନାହିଁ । ସୂର୍ଯ୍ୟ କିରଣ ସିଧା ଆସି  ପଡ଼ିବ । ଫଳରେ ତାପମାତ୍ରା  ବଢ଼ିବ । ସପ୍ତାହକ ତଳେ ଓଡ଼ିଶାରେ  ଅଚାନକ ତାପମାତ୍ରା ବଢ଼ିବାରୁ  ଅସ୍ୱାଭାବିକ ଭାବେ ବଢ଼ିଥିଲା  ଗରମ । ଏପରିକି କୋରାପୁଟରେ  ଜାନୁଆରୀ ମାସର ସର୍ବକାଳୀନ  ରେକର୍ଡ ତାତି ଅନୁଭୂତ ହୋଇଥିଲା ।  ବିଶେଷଜ୍ଞଙ୍କ କହିବାନୁସାରେ ପୁଣି ଏଭଳି ଗରମ ବଢ଼ିବ । ଫେବ୍ରୁଆରୀ ୨ ତାରିଖବେଳକୁ ଦିନ ତାପମାତ୍ରା  ରେକର୍ଡ ଭାଙ୍ଗିପାରେ । 

ପାଣିପାଗ  ବିଭାଗ କହିଛି, ୨୪ ଘଣ୍ଟା ପରେ  ରାତି ତାପମାତ୍ରା ପ୍ରାୟ ୨ରୁ ୪  ଡିଗ୍ରୀ ସେଲସିୟସ୍‌ ବଢ଼ିବ । ଏଭଳି  ହେଲେ ଶୀତ ପ୍ରକୋପ ପ୍ରାୟତଃ  କମିଯିବ । କୁହୁଡ଼ି ପ୍ରକୋପ ଆହୁରି  ଦୁଇଦିନ ରାତି ଓ ସକାଳବେଳା  ନାକେଦମ କରିବ ।

ଝାରସୁଗୁଡ଼ାରେ ସର୍ବନିମ୍ନ  ତାପମାତ୍ରା ୧୦.୨ ଡିଗ୍ରୀ ସେଲସିୟସ୍‌  ଥିବାବେଳେ ଆଉ କୌଣସି  ସ୍ଥାନରେ ରାତି ପାରଦ ୧୧ ଡିଗ୍ରୀ ସେଲସିୟସ୍‌ ତଳେ ନାହିଁ ।  ଉପକୂଳରେ ରାତି ତାପମାତ୍ରା  ପ୍ରାୟତଃ ୨୦ ଡିଗ୍ରୀ ଉପରେ । ଦିନ  ତାପମାତ୍ରା ବି ବଢ଼ିଛି । ବରଗଡ଼ ଓ ନୂଆପଡ଼ାରେ ସର୍ବୋଚ୍ଚ ତାପମାତ୍ରା  ୩୩ ଡିଗ୍ରୀ ସେଲସିୟସ୍‌ ଥିବାବେଳେ  ସମ୍ବଲପୁର ୩୨.୮, ଝାରସୁଗୁଡ଼ା  ୩୨.୫, ପାରଳାଖେମୁଣ୍ଡି ୩୨,  ଭବାନୀପାଟଣା ୩୨, ଭୁବନେଶ୍ୱର  ୩୧.୫, ବଲାଙ୍ଗୀର ୩୧.୯,  ସୁନ୍ଦରଗଡ଼ ୩୧.୯, ବୌଦ୍ଧ ୩୧.୮,  ହୀରାକୁଦ ୩୧.୬, ଭଦ୍ରକ ୩୧.୫,  ସୋନପୁର ୩୧.୪ ମାଲକାନଗିରି ୩୧.୩, ଜଗତସିଂହପୁର ୩୧.୨,  ନବରଙ୍ଗପୁର ୩୧ ଡିଗ୍ରୀ ସେଲସିୟସ୍‌ ରେକର୍ଡ ହୋଇଛି ।   

ଘନ କୁହୁଡ଼ି ଯୋଗୁ ବର୍ତ୍ତମାନ ବିଭିନ୍ନ ସ୍ଥାନରେ  ବିଳମ୍ବିତ ରାତି ଓ ସକାଳ ସମୟରେ ଗାଡ଼ି ଚଳାଚଳ  ପ୍ରଭାବିତ ହେଉଛି । ସତର୍କ କରାଯାଇଛି, ମୟୂରଭଞ୍ଜ,  କେନ୍ଦୁଝର, ଅନୁଗୁଳ, ଦେବଗଡ଼, କେନ୍ଦ୍ରାପଡ଼ା,  ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, କଟକ, ଗଞ୍ଜାମ,  ଗଜପତି, ରାୟଗଡ଼ା, ନୟାଗଡ଼, ସମ୍ବଲପୁର, କନ୍ଧମାଳ  ଓ ମାଲକାନଗିରିରେ ଗୁରୁବାର ସକାଳେ ଘନ କୁହୁଡ଼ି  ଆଶଙ୍କା ଅଛି । ଏସବୁ ଜିଲ୍ଲା ସମେତ ବାଲେଶ୍ୱର,  ଭଦ୍ରକ, ଯାଜପୁର, ସୁନ୍ଦରଗଡ଼, କଳାହାଣ୍ଡି,  କୋରାପୁଟ, ଢେଙ୍କାନାଳର କିଛି କିଛି ଜାଗାରେ ମଧ୍ୟମ  ଧରଣର କୁହୁଡ଼ି ହୋଇପାରେ । 

ଗୁରୁବାର ରାତି ଓ ଶୁକ୍ରବାର ସକାଳେ ବି ଘନ  କୁହୁଡ଼ି ଆଶଙ୍କା ଅଛି । ଶୁକ୍ରବାର ରାତି ଓ ଶନିବାର  ସକାଳ ପର୍ଯ୍ୟନ୍ତ ରାଜ୍ୟରେ କୁହୁଡ଼ି ସମ୍ଭାବନା ରହିଛି ।