ଲକ୍ଷ୍ନୌ,୨୭/୦୧: ଉତ୍ତରପ୍ରଦେଶ ପ୍ରୟାଗରାଜରେ ଭବ୍ୟ ଦିବ୍ୟ ମହାକୁମ୍ଭ ମେଳା ଜାରି ରହିଛି । ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଭିଡ ଜମୁଛି । ତ୍ରିବେଣୀ ସଙ୍ଗମ ତଟରେ ସନାତନ ଆସ୍ଥାର ମହାପର୍ବ ମହାକୁମ୍ଭ ମେଳା ୧୬ ଦିନରେ ପହଞ୍ଚିଛି । ଆସ୍ଥାର ବୁଡ ପକାଉଛନ୍ତି ଶ୍ରଦ୍ଧାଳୁ । ଏବେ ସୁଦ୍ଧା ମୋଟ ୧୩ କୋଟି ୨୧ ଲକ୍ଷ ଶ୍ରଦ୍ଧାଳୁ ବୁଡ ପକାଇଥିଲା ସୂଚନା ମିଳିଛି । ସେପଟେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ ସଙ୍ଗମ ଘାଟରେ ବୁଡ ପକାଇଛନ୍ତି ।
ଗତ ଜାନୁଆରୀ ୧୩ ପୌଷ ପୂର୍ଣ୍ଣିମାରୁ ପ୍ରୟାଗରାଜରେ ମହାକୁମ୍ଭ ମେଳାର ଶୁଭାରମ୍ଭ ହୋଇଥିଲା । ଆଜି ସଙ୍ଗମ ଘାଟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ଯୋଗ ଗୁରୁ ରାମଦେବ ବାବା ବୁଡ ପକାଇଛନ୍ତି । ଆଇସିସି ଅଧ୍ୟକ୍ଷ ଜୟ ଶାହ ମଧ୍ୟ ପରିବାର ସହ କୁମ୍ଭମେଳାରେ ପହଞ୍ଚିଥିଲେ । ପ୍ରତି ଦିନ ହଜାର ହାଜର ଶ୍ରଦ୍ଧାଳୁ ସଙ୍ଗମ ଘାଟରେ ବୁଡ ପକାଉଛନ୍ତି । ଆଜି ହସ୍ତଗତ ହୋଇଥିବା ରିପୋର୍ଟରେ ମୋଟ ୧୩ କୋଟି ୨୧ ଲକ୍ଷ ଶ୍ରଦ୍ଧାଳୁ ବୁଡ ପକାଇ ସାରିଛନ୍ତି ।
ଏହା ବି ପଢନ୍ତୁ...ଆସନ୍ତା ଫେବୃଆରୀ ୫ରେ ମହାକୁମ୍ଭରେ ସାମିଲ ହୋଇପାରନ୍ତି ପ୍ରଧାନମନ୍ତ୍ରୀ
ଆସନ୍ତା ଫେବ୍ରୁଆରୀ ୨୬ ତାରିଖ ପର୍ଯ୍ୟନ୍ତ କୁମ୍ଭମେଳା ଚାଲିବ । ପ୍ରତି ୧୨ ବର୍ଷରେ ଥରେ ଏହି ଭବ୍ୟ କୁମ୍ଭମେଳା ଆୟୋଜନ ହୁଏ । କିଛି ଦିନ ତଳେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ତ୍ରିବେଣୀ ସଙ୍ଗମରେ ଶ୍ରଦ୍ଧାର ବୁଡ ପକାଇଥିଲେ । ୪୫କୋଟି ଶ୍ରଦ୍ଧାଳୁଙ୍କ ସମାଗମ ହେବା ଆକଳନ କରାଯାଉଛି । ଆସନ୍ତା ଫେବୃଆରୀ ୫ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୁମ୍ଭମେଳାରେ ସାମିଲ ହୋଇପାରନ୍ତି ।