ବାଉଁଶୁଣୀ, ୨୧/୭ (ଆପ୍ର): ବାଉଁଶୁଣୀ ଥାନା ମୁଣ୍ଡିପଦର ନିକଟରୁ ଦୁଇ ଜଣଙ୍କୁ ଅପହରଣ ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି ବାଉଁଶୁଣୀ ପୋଲିସ l ସେହିପରି ଉକ୍ତ ମାମଲାରେ ସମ୍ପୃକ୍ତ ଅନ୍ୟ ଜଣେ ନାବାଳକକୁ ଜୁଭେନାଇଲ୍ ଜଷ୍ଟିସ ବୋର୍ଡରେ ହାଜର କରା ଯାଇଛି |
ମିଳିଥିବା ସୂଚନା ଅନୁଯାୟୀ ଶନିବାର ବିଳମ୍ବିତ ରାତିରେ ବଘିଆ ପଡା ଗ୍ରାମର ମାନସ ସାହୁ ଦନ୍ତାପାଲି ଗେରେଜରୁ ଟ୍ରାକ୍ଟର କାମ ସାରି ବାଇକ ଯୋଗେ ଓ ଡ୍ରାଇଭର ଟ୍ରାକ୍ଟର ଧରି ଘରକୁ ଫେରୁଥିଲେ l ଉକ୍ତ ସମୟରେ ମୁଣ୍ଡି ପଦର ନିକଟରେ ୩ ଜଣ ବ୍ୟକ୍ତି ଆସି ଅପହରଣ କରି ନେଇଥିଲେ | ଅଭିଯୋଗ ପାଇବା ପରେ ବାଉଁଶୁଣୀ ପୁଲିସ ମନମୁଣ୍ଡା ଥାନା ମନୁପାଲି ନିକଟରୁ ଉଭୟଙ୍କୁ ଉଦ୍ଧାର କରି ୩ ଅପହରଣକାରୀଙ୍କୁ ଗିରଫ କରିଥିଲା |
ଗିରଫ ପରେ ପୁଲିସ ଅପହରଣକାରୀଙ୍କ ନିକଟରୁ ଗୋଟିଏ ଟ୍ରାକ୍ଟର, ଦୁଇଟି ବାଇକ, ତିନିଟି ମୋବାଇଲ୍, ମନି ପର୍ଷ ଓ ଦୁଇଟି ଲାଠି ଜବତ କରିଥିଲା | ଆଜି ଅଭିଯୁକ୍ତ ମନମୁଣ୍ଡା ଥାନା ସାହୁପଡା ଗ୍ରାମର ପୀତବାସ କାମିଲା ଓ ରେଙ୍ଗାଲୀ ଗ୍ରାମର କର୍ମବୀର ମେହେରଙ୍କୁ କୋର୍ଟ ଚାଲାଣ କରାଯାଇଛି | ସେହିପରି ସମ୍ପୃକ୍ତ ଜଣେ ନାବାଳକ ଅଭିଯୁକ୍ତକୁ ଜୁଭେନାଇଲ୍ ଜଷ୍ଟିସ ବୋର୍ଡରେ ହାଜର କରା ଯାଇଥିବା ଆଇଆଇସି ସାରଦା ପ୍ରସନ୍ନ ଦାଶ ସୂଚନା ଦେଇଛନ୍ତି l