ନୂଆଦିଲ୍ଲୀ ୦୫/୦୬: ଦୀର୍ଘ ଦଶନ୍ଧି ଧରି ଆମେରିକାକୁ ସମଗ୍ର ବିଶ୍ୱର ବୈଜ୍ଞାନିକ ପ୍ରତିଭାଙ୍କ ଭୂସ୍ୱର୍ଗ ବୋଲି କୁହାଯାଉଥିଲା । କିନ୍ତୁ ଏବେ ଏହା ନିଜର ଚମକ ହରାଉଛି । ବିଗତ ୮୦ ବର୍ଷରେ ପ୍ରଥମ ଥର ଦେଶ ଏଭଳି ଏକ ‘ବ୍ରେନ୍ ଡ୍ରେନ୍’ର ସାମ୍ନା କରୁଛି, ଯାହା ଏହାର ବୈଶ୍ୱିକ ସ୍ଥିତିକୁ ଚାଲେଞ୍ଜ୍ ହୋଇଛି ତାହା ନୁହେଁ, ଉଦ୍ଭାବନ ଇଞ୍ଜିନ୍କୁ ବି ବଡ଼ ଝଟ୍କା ଲାଗିଛି ।
ନିକଟରେ ଆମେରିକାନ୍ ଆସୋସିଏସନ୍ ଫର୍ ଦ ଆଡ୍ଭାନ୍ସମେଣ୍ଟ୍ ଅଫ୍ ସାଇନ୍ସ ଦ୍ୱାରା କରାଯାଇଥିବା ସର୍ଭେରୁ ସାମ୍ନାକୁ ଆସିଛି, ୭୫ ପ୍ରତିଶତ ବୈଜ୍ଞାନିକ ଆମେରିକା ଛାଡ଼ି ୟୁରୋପ ଓ ଏସିଆରେ ନୂଆ ସ୍ଥାନ ଅନ୍ୱେଷଣ କରୁଛନ୍ତି ଅବା ପଳାୟନ କରିସାରିଛନ୍ତି । ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ କଠୋର ନୀତି ଯଥା- ଅନୁସନ୍ଧାନ ପାଣ୍ଠି ହ୍ରାସ, ପ୍ରବାସୀ ଛାତ୍ରଙ୍କ ଉପରେ ରୋକ ଏବଂ ଶିକ୍ଷଣୀୟ ସ୍ୱାଧୀନତା ଉପରେ ଆକ୍ରମଣ ଏହି ବ୍ରେନ୍ ଡେଡ୍ର ବଡ଼ କାରଣ । ଟ୍ରମ୍ପ୍ ପ୍ରଶାସନ ନ୍ୟାସନାଲ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ହେଲ୍ଥର ପାଣ୍ଠି ମଞ୍ଜୁରିରେ ୨୦୨୬ ପାଇଁ ୪୦ ପ୍ରତିଶତ ହ୍ରାସ କରିଛି । ଏଥିସହ ନ୍ୟାସନାଲ ସାଇନ୍ସ ଫାଉଣ୍ଡେସନ୍ରୁ ୧୩ ହଜାର କୋଟି ଟଙ୍କାର ଅନୁଦାନ ରଦ୍ଦ କରିବା କଥା ମଧ୍ୟ କହିଛି । ପାଣ୍ଠି କମାଇବା ଯୋଗୁ ବୈଜ୍ଞାନିକମାନେ ପ୍ରୋଜେକ୍ଟ ବନ୍ଦ ହେବାର ଆଶଙ୍କା କରୁଛନ୍ତି । ୨୦୧୫ ସୁଦ୍ଧା ପ୍ରତି ବର୍ଷ ୬୦ ହଜାରରୁ ଅଧିକ ବିଦେଶୀ ଆମେରିକା ଆସୁଥିଲେ । ୨୦୨୪ରେ ଏହି ସଂଖ୍ୟା ହ୍ରାସ ପାଇ ୨୩,୦୦୦ ହୋଇଛି । ରିପୋର୍ଟ ଅନୁସାରେ, ଏ ବର୍ଷ ଏହି ଅଙ୍କ ଆହୁରି ହ୍ରାସ ପାଇ ୧୫ ହଜାର ତଳକୁ ଖସିଯିବ ।
ଏଆଇ (ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ), ଜଳବାୟୁ ବିଜ୍ଞାନ, ଜେନେଟିକ୍ସ ଓ ନ୍ୟୁରୋସାଇନ୍ସ ଭଳି କ୍ଷେତ୍ରରେ କାମ କରୁଥିବା ବୈଜ୍ଞାନିକଙ୍କୁ ଏବେ ସାରା ବିଶ୍ୱର ଦେଶ ନିଜ ପ୍ରତି ଆକର୍ଷିତ କରିବା ପାଇଁ ବିଭିନ୍ନ ପ୍ରକାର ଅଫର୍ ଦେଉଛନ୍ତି । ଏହା ବିଶ୍ୱସ୍ତରରେ ଏକ ନୂଆ ପ୍ରତିଯୋଗିତାକୁ ଜନ୍ମ ଦେଇଛି । ଗବେଷକଙ୍କ ଧ୍ୟାନ ଆକର୍ଷଣ କରିବା ପାଇଁ ୟୁରୋପୀୟ ସଂଘ ୩ ବର୍ଷରେ ୫ ହଜାର କୋଟି ୟୁରୋ ନିବେଶ କରିବାକୁ ଘୋଷଣା କରିଛି । ଫ୍ରାନ୍ସର ମାର୍ସେଲ ବିଶ୍ୱବିଦ୍ୟାଳୟ ବୈଜ୍ଞାନିକଙ୍କୁ ଶରଣ ଦେବା ପାଇଁ ସେଫ୍ ପ୍ଲେସ୍ ଫର୍ ସାଇନ୍ସ (ବିଜ୍ଞାନ ପାଇଁ ସୁରକ୍ଷିତ ସ୍ଥାନ) କାର୍ଯ୍ୟକ୍ରମ ଆରମ୍ଭ କରିଛି । କାନାଡା ବୈଜ୍ଞାନିକଙ୍କୁ ଆକର୍ଷିତ କରିବା ପାଇଁ ୨୦୦ କୋଟିର ନିବେଶ କରିଛି।
ଆମେରିକା ଦୀର୍ଘ ସମୟ ଧରି ଅନୁସନ୍ଧାନ ଓ ବିକାଶ (ଆର୍ ଆଣ୍ଡ ଡି)ର ଲିଡର୍ ରହିଛି । ୧୯୬୦ ଦଶକରେ ସଂଘୀୟ ସରକାରଙ୍କ ଆର୍ ଆଣ୍ଡ ଡିର ବାର୍ଷିକ ବଜେଟ୍ ୫ ଲକ୍ଷ କୋଟି ଟଙ୍କା ଥିଲା, ଯାହା ୨୦୨୪ରେ ୧୩ ଲକ୍ଷ କୋଟି ହେଲା । ଘରୋଇ କ୍ଷେତ୍ର ସହ ମିଶି ୨୦୨୪ରେ ଏହି ଅଙ୍କ ୭୭ ଲକ୍ଷ କୋଟିରେ ପହଞ୍ଚିଗଲା । ଏହି ନିବେଶ ଆମେରିକାକୁ ୪୦୦ରୁ ଅଧିକ ନୋବେଲ ପୁରସ୍କାର ଆଣିଦେଲା, ତନ୍ମଧ୍ୟରୁ ଏକ ତୃତୀୟାଂଶରୁ ଅଧିକ ପ୍ରବାସୀ ଜିତିଛନ୍ତି ।