ନୂଆଦିଲ୍ଲୀ, ୫।୬: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୧୨ଟି ଦେଶର ଲୋକଙ୍କ ପାଇଁ ଆମେରିକାରେ ପ୍ରବେଶ କରିବାକୁ ନିଷେଧ କରିଛନ୍ତି । ଏହି ଦେଶର ଲୋକମାନେ ଆମେରିକା ଯାତ୍ରା କରିପାରିବେ ନାହିଁ । ଆମେରିକା ରାଷ୍ଟ୍ରପତି ଭାବେ ପ୍ରଥମ କାର୍ଯ୍ୟକାଳ ସମୟରେ ମଧ୍ୟ ଟ୍ରମ୍ପ ଅନେକ ଦେଶର ନାଗରିକଙ୍କ ଉପରେ ଯାତ୍ରା ପ୍ରତିବନ୍ଧକ ଲଗାଇଥିଲେ । କିନ୍ତୁ ପରେ ଏହାକୁ ଉଠାଇ ଦିଆଯାଇଥିଲା । ଏବେ ପୁଣି ଥରେ ଟ୍ରମ୍ପ ଏକାଧିକ ଦେଶର ଲୋକଙ୍କ ଉପରେ ଆମେରିକାକୁ ପ୍ରବେଶ ଉପରେ ସମ୍ପୂର୍ଣ୍ଣ ନିଷେଧ ଲଗାଇଛନ୍ତି । ଆମେରିକାର ସୁରକ୍ଷାକୁ ଦୃଷ୍ଟିରେ ରଖି ଟ୍ରମ୍ପ ଅନ୍ୟ ସାତଟି ଦେଶ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ସୋମବାରଠାରୁ ଏହି ପ୍ରତିବନ୍ଧକ ଲାଗୁ ହେବା ନେଇ ଘୋଷଣା ହୋଇଛି ।
ବୁଧବାର ରାତିରେ ଟ୍ରମ୍ପ ଏକ ଡର୍ଜନ ଦେଶର ଲୋକଙ୍କୁ ଆମେରିକାରେ ପ୍ରବେଶ କରିବାକୁ ନିଷେଧ କରିବା ପାଇଁ ଏକ ଘୋଷଣା ପତ୍ରରେ ସ୍ୱାକ୍ଷର କରିଛନ୍ତି । ଏହି ଦେଶଗୁଡ଼ିକ ମଧ୍ୟରେ ଆଫଗାନିସ୍ତାନ, ବର୍ମା, ଚାଡ୍, କଙ୍ଗୋ ଗଣରାଜ୍ୟ, ଇକ୍ୱାଟୋରିଆଲ୍ ଗିନି, ଏରିଟ୍ରିଆ, ହୈତି, ଇରାନ, ଲିବିଆ, ସୋମାଲିଆ, ସୁଡାନ ଏବଂ ୟେମେନ ଅନ୍ତର୍ଭୁକ୍ତ । ଏହା ସହିତ, ବୁରୁଣ୍ଡି, କ୍ୟୁବା, ଲାଓସ୍, ସିଏରା ଲିଓନ୍, ଟୋଗୋ, ତୁର୍କମେନିସ୍ତାନ ଏବଂ ଭେନେଜୁଏଲାରୁ ଆସୁଥିବା ନାଗରିକଙ୍କ ଉପରେ ମଧ୍ୟ କଠୋର ପ୍ରତିବନ୍ଧକ ଲଗାଯାଇଛି । ସୋମବାର ଦିନ ୧୨ଟାରୁ ଏହି ଯାତ୍ରା ପ୍ରତିବନ୍ଧକ ଲାଗୁ ହେବ ।
କ’ଣ ଘୋଷଣା କଲେ ଡୋନାଲ୍ଡ ଟ୍ରମ୍ପ ?
ଡୋନାଲ୍ଡ ଟ୍ରମ୍ପ ତାଙ୍କ ଘୋଷଣାରେ କହିଛନ୍ତି, "ମୁଁ ଆମେରିକା ଏବଂ ଏହାର ଲୋକଙ୍କ ଜାତୀୟ ସୁରକ୍ଷା ଏବଂ ଜାତୀୟ ସ୍ୱାର୍ଥକୁ ସୁରକ୍ଷା ଦେବା ଏଭଳି ନିଷ୍ପତ୍ତି ନେଇଛି ।" ଟ୍ରମ୍ପ ଜାନୁଆରୀ ୨୦ରେ ଏକ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶ ଦେଇଥିଲେ, ଯେଉଁଥିରେ ରାଜ୍ୟ ଏବଂ ଗୃହ ସୁରକ୍ଷା ବିଭାଗ ଏବଂ ଜାତୀୟ ଗୁପ୍ତଚର ନିର୍ଦ୍ଦେଶକଙ୍କୁ ଆମେରିକା ପ୍ରତି "ପ୍ରତିକୂଳ ମନୋଭାବ" ଉପରେ ଏକ ରିପୋର୍ଟ ପ୍ରସ୍ତୁତ କରିବାକୁ ଏବଂ କିଛି ଦେଶରୁ ଆସୁଥିବା ଲୋକମାନେ ଜାତୀୟ ସୁରକ୍ଷା ପାଇଁ ବିପଦ ସୃଷ୍ଟି କରୁଛନ୍ତି କି ନାହିଁ ତାହା ଜାଣିବାକୁ କୁହାଯାଇଥିଲା । ଏହି ରିପୋର୍ଟ ପରେ, ୧୨ଟି ଦେଶ ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲଗାଯାଇଛି ଏବଂ ୭ଟି ଦେଶ ଉପରେ କଠୋର ନିୟମ ଲାଗୁ କରାଯାଇଛି ।
୨୦୧୭ରେ ଲଗାଯାଇଥିଲା ପ୍ରତିବନ୍ଧକ :
ଟ୍ରମ୍ଫ ପ୍ରଥମ କାର୍ଯ୍ୟକାଳ ସମୟରେ, ଜାନୁଆରୀ ୨୦୧୭ରେ ଏକ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶ ଜାରି କରିଥିଲେ । ଯାହା ଇରାକ, ସିରିଆ, ଇରାନ, ସୁଡାନ, ଲିବିଆ, ସୋମାଲିଆ ଏବଂ ୟେମେନ ଏହି ୭ଟି ମୁସଲିମ ଦେଶର ନାଗରିକଙ୍କ ପାଇଁ ଆମେରିକା ଯାତ୍ରା ଉପରେ ପ୍ରତିବନ୍ଧକ ଲଗାଇଥିଲା । ଏହା ଟ୍ରମ୍ଫଙ୍କର ସବୁଠାରୁ ବିଶୃଙ୍ଖଳିତ ନିଷ୍ପତ୍ତି ମଧ୍ୟରୁ ଗୋଟିଏ ଥିଲା । ଏହି ଦେଶଗୁଡ଼ିକର ଯାତ୍ରୀମାନଙ୍କୁ ଆମେରିକାକୁ ବିମାନ ଚଢ଼ିବାରୁ ବାରଣ କରାଯାଇଥିଲା ଏବଂ ଅବତରଣ ପରେ ଆମେରିକା ବିମାନବନ୍ଦରରେ ସେମାନଙ୍କୁ ଅଟକ ରଖାଯାଉଥିଲା । ଏଥିରେ ଛାତ୍ର ଏବଂ ଶିକ୍ଷକଙ୍କ ସହିତ ବ୍ୟବସାୟୀ, ପର୍ଯ୍ୟଟକ ଏବଂ ବନ୍ଧୁ ଏବଂ ପରିବାରକୁ ଭେଟିବାକୁ ଆସୁଥିବା ଲୋକମାନେ ମଧ୍ୟ ସାମିଲ ଥିଲେ ।
ଟ୍ରମ୍ଫଙ୍କର ଏହି ପ୍ରତିବନ୍ଧକକୁ "ମୁସଲିମ୍ ପ୍ରତିବନ୍ଧକ" କିମ୍ବା "ଯାତ୍ରା ପ୍ରତିବନ୍ଧକ" ବୋଲି କୁହାଯାଏ । ଏହି ବ୍ୟାନ୍ ସମ୍ପର୍କରେ ଟ୍ରମ୍ପ ଅନେକ ଆଇନଗତ ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଥିଲେ । ଏପରି ପରିସ୍ଥିତିରେ, ଏହା ନିରନ୍ତର ପରିବର୍ତ୍ତନ ହେଉଥିଲା । ୨୦୧୮ରେ, ସୁପ୍ରିମକୋର୍ଟ ଅନେକ ପରିବର୍ତ୍ତନ ପରେ ଏହାକୁ ଅନୁମୋଦନ କରିଥିଲେ । ଏହି ବ୍ୟାନ ଇରାନ, ସୋମାଲିଆ, ୟେମେନ, ସିରିଆ ଏବଂ ଲିବିଆରୁ ଆସୁଥିବା ଯାତ୍ରୀ, ପ୍ରବାସୀ, ଉତ୍ତର କୋରିଆ ଏବଂ କିଛି ଭେନେଜୁଏଲା ସରକାରୀ ଅଧିକାରୀ ଏବଂ ସେମାନଙ୍କ ପରିବାରକୁ ପ୍ରଭାବିତ କରିଥିଲା । ଟ୍ରମ୍ପ ଯୁକ୍ତି ଦେଇଛନ୍ତି ଯେ, ଜାତୀୟ ସୁରକ୍ଷା ଆଧାରରେ ଏହି ବ୍ୟାନ ଦେଶକୁ ସୁରକ୍ଷା ଦେବା ପାଇଁ ଉଦ୍ଦିଷ୍ଟ, ଏହା କୌଣସି ମୁସଲିମ ବିରୋଧୀ ଚିନ୍ତାଧାରା ଉପରେ ଆଧାରିତ ନୁହେଁ ।