ପରିବେଶ ସୁରକ୍ଷା ପାଇଁ ଦେଶ, ବିଦେଶରୁ ବହୁ ସଙ୍ଗଠନ ବର୍ତ୍ତମାନ ସମୟରେ ଏକଜୁଟ ହୋଇ କାର୍ଯ୍ୟ କରୁଛନ୍ତି । କିନ୍ତୁ ପରିବେଶର ମୂଲ୍ୟବୋଧକୁ ହୃଦ୍ବୋଧ କରି ବହୁବର୍ଷ ପୂର୍ବେ ଓଡ଼ିଶାର କିଛି ଜନଜାତି ସମ୍ପ୍ରଦାୟର ବ୍ୟକ୍ତିବିଶେଷ ଲୋକଙ୍କୁ ସଚେତନ କରିବା ଆରମ୍ଭ କରିଥିଲେ । ପରିବେଶ ସୁରକ୍ଷା ଦିଗରେ ସେମାନଙ୍କ ନିଃସ୍ୱାର୍ଥ କାର୍ଯ୍ୟ ଏବେ ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ପ୍ରେରଣା ସାଜିଛି ।
ପ୍ରକୃତି ମା' ଭେଟି ଦେଇଥିବା ଏକ ସୁନ୍ଦର ଉପହାର ହେଉଛି ପରିବେଶ । ଯାହା ଜଳ, ବାୟୁ, ଆକାଶ, ଭୂମି, ଜୀବଜନ୍ତୁ, ଗଛ, ଲତାକୁ ନେଇ ଗଢ଼ା । ମଣିଷ ବଞ୍ଚିବା ପାଇଁ ଯେଉଁସବୁ ଜରୁରି ଉପାଦାନର ଆବଶ୍ୟତା ରହିଛି ସେସବୁ ପରିବେଶରୁ ହିଁ ମିଳେ । ପରିବେଶର ଯତ୍ନନେବା ପ୍ରତ୍ୟେକ ବ୍ୟକ୍ତିର ପ୍ରାଥମିକ କାର୍ଯ୍ୟ ହେବା ଆବଶ୍ୟକ । କିନ୍ତୁ ମନୁଷ୍ୟ ନିଜ ସ୍ୱାର୍ଥ ହାସଲ କରିବା ଉଦ୍ଦେଶ୍ୟ ରଖି ପରିବେଶକୁ ନଷ୍ଟ କରିବାକୁ ପଛଘୁଞ୍ଚା ଦେଉନାହିଁ । ଯାହାର ଫଳସ୍ୱରୂପ ମଣିଷ ସମେତ ପ୍ରତ୍ୟେକ ଜୀବଜଗତକୁ ଏହାର କୁପରିଣତି ଭୋଗିବାକୁ ପଡ଼ୁଛି। ପରିବେଶ ସୁରକ୍ଷା ପାଇଁ ଦେଶ, ବିଦେଶରୁ ବହୁ ସଙ୍ଗଠନ ବର୍ତ୍ତମାନ ସମୟରେ ଏକଜୁଟ ହୋଇ କାର୍ଯ୍ୟ କରୁଛନ୍ତି । କିନ୍ତୁ ପରିବେଶର ମୂଲ୍ୟବୋଧକୁ ହୃଦ୍ବୋଧ କରି ବହୁବର୍ଷ ପୂର୍ବେ ଓଡ଼ିଶାର କିଛି ଜନଜାତି ସମ୍ପ୍ରଦାୟର ବ୍ୟକ୍ତିବିଶେଷ ଲୋକଙ୍କୁ ସଚେତନ କରିବା ଆରମ୍ଭ କରିଥିଲେ । ପରିବେଶ ସୁରକ୍ଷା ଦିଗରେ ସେମାନଙ୍କ ନିଃସ୍ୱାର୍ଥ କାର୍ଯ୍ୟ ଏବେ ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ପ୍ରେରଣା ସାଜିଛି ।
ପରିବେଶର ଦରଦୀ ବନ୍ଧୁ କମଳା ପୂଜାରୀ
ନିଜର ପ୍ରଭାବଶାଳୀ ବ୍ୟକ୍ତିତ୍ୱ ପାଇଁ ଉଭୟ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ବହୁ ସମ୍ମାନ ତାଙ୍କୁ ପ୍ରାପ୍ତ ହୋଇଛି । ଖାଦ୍ୟ ସୁରକ୍ଷା, ସ୍ୱଦେଶୀ କୃଷି ପ୍ରଣାଳୀର ପ୍ରଚାର ପ୍ରସାର କରୁଥିବା ପରୋଜା ଜନଜାତିର କମଳା ପୂଜାରୀ ସାରା ବିଶ୍ୱରେ ପରିଚିତ । ଜୈବିକ କୃଷି ସାହାଯ୍ୟରେ ପରିବେଶ କିପରି ସୁରକ୍ଷିତ ରହିବ ସେ ନେଇ କମଳା ଅବିରତ କାର୍ଯ୍ୟ କରିଛନ୍ତି । ପିଲାଟି ଦିନରୁ ମନରେ ପ୍ରକୃତି ପ୍ରତି ଭଲପାଇବା ସୃଷ୍ଟି ହୋଇଥିଲା । ରାଜସ୍ଥାନ ଜୟପୁର ସ୍ଥିତ ଏମ୍.ଏସ୍. ସ୍ୱାମୀନାଥନ ରିସର୍ଚ୍ଚ ଫାଉଣ୍ଡେସନରେ କିଛି ବର୍ଷ କାମ କରିବା ପରେ ବିଶୋଷଣ କୃଷି, ଜୈବିକ ଚାଷ ସାଙ୍ଗକୁ ପ୍ରକୃତି ଏବଂ ଜୀବଜଗତ ଉପରେ ଏହାର ପ୍ରଭାବ ବିଷୟରେ ସେ ବିସ୍ତୃତ ଜ୍ଞାନ ଆହରଣ କରିଥିଲେ । ଯାହା, ପରେ କମଳା ନିଜ ଜୀବନକୁ ପ୍ରକୃତି ନାଁରେ ଉତ୍ସର୍ଗ କରିଥିଲେ । ପରିବେଶ ସୁରକ୍ଷା ଦିଗରେ କାର୍ଯ୍ୟ କରି କମଳା ଅନେକଙ୍କ ପ୍ରେରଣା ପାଲଟିଛନ୍ତି । ତାଙ୍କ ମତରେ ପ୍ରତ୍ୟେକ ବ୍ୟକ୍ତି ପରିବେଶ ସୁରକ୍ଷାକୁ ନେଇ ଯତ୍ନବାନ ହେବା ଆବଶ୍ୟକ । କୃଷିକାର୍ଯ୍ୟରେ ସାର ଓ ରାସାୟନିକ ପଦାର୍ଥ ବର୍ଜନ କରି ପ୍ରାକୃତିକ ଉପାୟରେ ଚାଷ କରିବାକୁ ସେ ସବୁବେଳେ ଚାଷୀମାନଙ୍କୁ ପ୍ରୋତ୍ସାହିତ କରୁଥିଲେ ।
ପରିବେଶ ସୁରକ୍ଷା କ୍ଷେତ୍ରରେ ନିଃସ୍ୱାର୍ଥ କାର୍ଯ୍ୟ କରିବାରୁ କମଳାଙ୍କୁ ୨୦୧୯ରେ ‘ପଦ୍ମଶ୍ରୀ’ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଏହାଛଡ଼ା ୨୦୦୨ରେ ତାଙ୍କୁ ଜାତିସଂଘ ତରଫରୁ ‘ଇକ୍ୱେଟର ଅଫ୍ ଇନିସିଏଟିଭ’ ପୁରସ୍କାର ମିଳିଥିଲା । କମଳା ଥିଲେ ପ୍ରଥମ ଆଦିବାସୀ ମହିଳା, ଯିଏ ଓଡ଼ିଶା ଷ୍ଟେଟ୍ ପ୍ଲାନିଂ ବୋର୍ଡର ସଦସ୍ୟତା ହାସଲ କରିଥିଲେ । ସେ ସମୟରେ କମଳା ଏକାଧିକ ପ୍ରଶଂସନୀୟ ଡେଭଲପମେଣ୍ଟ ପଲିସି ତିଆରି କରିଥିଲେ । ବର୍ତ୍ତମାନ ସମୟରେ ଖାଦ୍ୟର ଆବଶ୍ୟକତା ଏବଂ ଭବିଷ୍ୟତରେ ଆମ ପର ପିଢ଼ିଙ୍କ ଆବଶ୍ୟତା ମଧ୍ୟରେ ସନ୍ତୁଳନ ରକ୍ଷା କରିବା ପାଇଁ ପ୍ରତ୍ୟେକ ବ୍ୟକ୍ତି ପରିବେଶକୁ ନେଇ ସଚେତନ ହେବା ଜରୁରି ବୋଲି କମଳା କୁହନ୍ତି । ସ୍ୱଦେଶୀ କୃଷିକାର୍ଯ୍ୟ ଏବଂ ପରିବେଶ ସୁରକ୍ଷା କ୍ଷେତ୍ରରେ ଦିନରାତି କାର୍ଯ୍ୟ କରୁଥିବା କମଳାଙ୍କ ଗୋଟିଏ ମାତ୍ର ଉଦ୍ଦେଶ୍ୟ ଥିଲା, ରାଜ୍ୟରେ ପାରମ୍ପରିକ କୃଷିକାର୍ଯ୍ୟ ପୁଣିଥରେ ଆରମ୍ଭ ହେଉ ଏବଂ ଏହାକୁ ବହୁଳ ସଂଖ୍ୟାରେ ଲୋକେ ଆପଣାନ୍ତୁ । ପ୍ରକୃତି ପାଇଁ ଆଦର କମଳାଙ୍କ ମନରେ ପିଲାଟି ଦିନରୁ ଦେଖିବାକୁ ମିଳିଥିଲା ।
ଓଡ଼ିଶାର ପାରମ୍ପରିକ କୃଷି ବିଲୋପ ହେବା ସେ ନିଜ ଆଖିରେ ଦେଖିଛନ୍ତି । ଏହାପରେ ସେ ପାରମ୍ପରିକ କୃଷିର ପ୍ରସାର ପାଇଁ ଅଣ୍ଟା ଭିଡ଼ିଲେ । ବିନା ସାର ଓ ରାସାୟନିକ ପଦାର୍ଥରେ ଉତ୍ପାଦିତ ଖାଦ୍ୟଶସ୍ୟର ଉପାଦେୟତା ବିଷୟରେ ନିଜ ସମ୍ପ୍ରଦାୟର ଲୋକଙ୍କୁ ବୁଝାଇବା ଆରମ୍ଭ କଲେ । ଆମ ପୂର୍ବପୁରୁଷମାନେ ଅବଲମ୍ବନ କରିଥିବା କୃଷି ପ୍ରଣାଳୀ ଦ୍ୱାରା ଉତ୍ପାଦିତ ଖାଦ୍ୟ, ଶସ୍ୟର ପୋଷକ ଆମ ସ୍ୱାସ୍ଥ୍ୟ ପାଇଁ ଜରୁରି ହୋଇଥିବାବେଳେ ପରିବେଶ ଉପରେ ଏହାର କୌଣସି କୁପ୍ରଭାବ ନାହିଁ । ଅନ୍ୟପଟେ ଜଳବାୟୁ ପରିବର୍ତ୍ତନ ଭଳି ବଡ଼ ସମସ୍ୟାର ଏକ ପ୍ରମୁଖ କାରଣ ରାସାୟନିକ ସାରର ବ୍ୟବହାର । କମଳା ଶତାଧିକ କିସମର ସ୍ୱଦେଶୀ ଧାନ ବିହନ ଏବଂ ବିଲୁପ୍ତ ହେବାକୁ ବସିଥିବା ହଳଦୀ, ରାଶି, କଳାଜିରା, ଫୁଲ ମଞ୍ଜି ସଂରକ୍ଷଣ କରିଛନ୍ତି । ଏହା ବ୍ୟତୀତ ତାଙ୍କ ଜୀବନକାଳର ବଡ଼ ଉପଲବ୍ଧି ହେଉଛି କମ୍ୟୁନିଟି ସିଡ୍ ବ୍ୟାଙ୍କ ।
ଜୈବବିବିଧତା ସମ୍ପର୍କରେ ପ୍ରଚାର କରିବା ସମୟରେ ସେ ସିଡ୍ ବ୍ୟାଙ୍କ ଗଠନ କରିଥିଲେ, ଯେଉଁଠାରେ ବିରଳ ପ୍ରଜାତି ତଥା ଉଚ୍ଚମାନର ବିହନ କୃଷକମାନେ ସଂରକ୍ଷଣ କରି ରଖିବା ସହ କୃଷିରେ ବ୍ୟବହାର ମଧ୍ୟ କରୁଥିଲେ । ଅର୍ଗାନିକ୍ ବା ଜୈବିକ ଚାଷ ବାବଦରେ ସେ କୃଷକମାନଙ୍କ ଆଗ୍ରହ ବଢ଼ାଉଥିଲେ । କ୍ଷେତ୍ର ପରିଦର୍ଶନ ଜରିଆରେ ଫସଲଚକ୍ର, ପ୍ରାକୃତିକ ଉପାୟରେ କୀଟ ନିୟନ୍ତ୍ରଣ ଏବଂ ଜୈବିକ ଖତ ପ୍ରସ୍ତୁତି ଓ ଉପକାରିତା ସମ୍ପର୍କରେ ବିସ୍ତୃତ ଜ୍ଞାନ ଆହରଣ କରିଥିଲେ । ଅର୍ଗାନିକ୍ ଫାର୍ମିଂ ଜରିଆରେ ଉତ୍ତମ ପରିବେଶ ଏବଂ ଆର୍ଥିକ ସ୍ୱଚ୍ଛଳତା ଅଣାଯାଇପାରିବ ବୋଲି ପାରମ୍ପରିକ କୃଷିକୁ ଆପଣାଇବା ଲାଗି କମଳା ଚାଷୀଙ୍କୁ ପ୍ରୋତ୍ସାହିତ କରୁଥିଲେ । ମହିଳା ସଶକ୍ତିକରଣକୁ ମଧ୍ୟ କମଳା ଗୁରୁତ୍ୱ ଦେଉଥିଲେ । ସାରା ବିଶ୍ୱର ମଙ୍ଗଳ ପାଇଁ ପରିବେଶ ସୁରକ୍ଷାରେ ନିଜ ଜୀବନକୁ ଉତ୍ସର୍ଗ କରିଥିବା କମଳା ଏବେ ଅନେକଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି ।
‘ମିଲେଟ୍ ରାଣୀ' ରାଇମତି ଘିଉରିଆ
କମଳାଙ୍କ ଭଳି ଆଉ ଜଣେ ଆଦିବାସୀ ମହିଳା ହେଲେ "ରାଇମତି ଘିଉରିଆ' । ଯିଏ "ଦ ମିଲେଟ୍ ରାଣୀ' ଭାବେ ବେଶ୍ ପରିଚିତ । କୋରାପୁଟ ଜିଲା ନୂଆଗୁଡ଼ାର ଭୂମିଆ ଆଦିବାସୀ ପରିବାରରେ ତାଙ୍କ ଜନ୍ମ । ଶିକ୍ଷାଗତ ଯୋଗ୍ୟତା ବେଶୀ ନଥାଇ ମଧ୍ୟ ନିଜର ଜନମଙ୍ଗଳକାରୀ କାର୍ଯ୍ୟବଳରେ ସେ ବେଶ୍ ପରିଚିତି ହାସଲ କରିଛନ୍ତି । ପରିବେଶ ଅନୁକୂଳ କୃଷିକୁ ପ୍ରୋତ୍ସାହନ ଦିଆଯିବା ଦିଗରେ କାର୍ଯ୍ୟ କରୁଥିବା ରାଇମତି ଜୟପୁରର ଏମ୍. ଏସ୍. ସ୍ୱାମୀନାଥନ ରିସର୍ଚ୍ଚ ଫାଉଣ୍ଡେସନ୍ ସହ ମିଶି କାର୍ଯ୍ୟ କରିଛନ୍ତି । ଏ ନେଇ ଅନେକ କ୍ୟାମ୍ପେନ୍ ମଧ୍ୟ ତାଙ୍କୁ କରିବାକୁ ପଡ଼ିଛି । ଅର୍ଗାନିକ ଫାର୍ମିଂ କ୍ଷେତ୍ରରେ ସେ ପାଖାପାଖି ୨୫୦୦ କୃଷକଙ୍କୁ ପ୍ରଶିକ୍ଷଣ ଦେଇଛନ୍ତି ।
ପ୍ରକୃତିର ରକ୍ଷଣାବେକ୍ଷଣା ସାଙ୍ଗକୁ ଦୀର୍ଘସ୍ଥାୟୀ କୃଷି ପଦ୍ଧତି ପାଇଁ କୃଷକଙ୍କ ଭିତରେ ଆଗ୍ରହ ସୃଷ୍ଟି କରିବା ଲାଗି ଜି-୨୦ ଦ୍ୱାରା ତାଙ୍କୁ ସମ୍ମାନିତ କରାଯାଇଛି । ନିଜ ଜୀବନକାଳରେ ରାଇମତି ୭୨ ପ୍ରକାରର ଧାନ ବିହନ ଏବଂ ୩୦ ବିରଳ ପ୍ରଜାତିର ବାଜରା କିସମ ସଂଗ୍ରହ କରିଛନ୍ତି । ଯେଉଁଥିପାଇଁ ରାଇମତି ସାରା ଦେଶର ଦୃଷ୍ଟି ଆକର୍ଷଣ କରିଛନ୍ତି । ଆଧୁନିକ କୃଷି ପଦ୍ଧତିକୁ ଆପଣାଇ କୃଷକ ଅଧିକ ମାତ୍ରାରେ ଲାଭବାନ ହେବାକୁ ମନ ବଳାଉଥିବାବେଳେ ରାଇମତି ବାଜରା ଉତ୍ପାଦନ ପାଇଁ କୃଷକଙ୍କୁ ପରାମର୍ଶ ଦେଉଥିଲେ । ଏଥିପାଇଁ ସେ କୃଷକଙ୍କ ପ୍ରଶିକ୍ଷଣ ନିମିତ୍ତ ବ୍ୟବସ୍ଥା ସାଙ୍ଗକୁ କାର୍ଯ୍ୟଶାଳା, କ୍ଷେତ୍ର ପରିଦର୍ଶନ କରିବା ଆରମ୍ଭ କଲେ । କେବଳ ସ୍ଥାନୀୟ କୃଷକ ନୁହଁନ୍ତି, ଆଖପାଖ ଅଞ୍ଚଳର ଲୋକେ ମଧ୍ୟ ଏହାପ୍ରତି ଆକୃଷ୍ଟ ହେଲେ । ରାଇମତି ଏକକାଳୀନ ଚାଷ, ପୋଷଣ ଏବଂ ଦୀର୍ଘସ୍ଥାୟୀ କୃଷିକୁ ଗୁରୁତ୍ୱ ଦେଇ କାର୍ଯ୍ୟ କରୁଥିଲେ³ ଯାହାପାଇଁ ତାଙ୍କୁ ବିଭିନ୍ନ କୃଷି ଏବଂ ପରିବେଶ ସଙ୍ଗଠନ ସମ୍ମାନିତ କରିଛନ୍ତି । ନିଜ କାର୍ଯ୍ୟବଳରେ ରାଇମତି ଏବେ ଅନେକ କୃଷକ ଏବଂ ପରିବେଶବିତ୍ଙ୍କ ମନୋବଳ ବଢ଼ାଇଛନ୍ତି ।
ଦଇତାରି ନାୟକ (କେନାଲ୍ ମ୍ୟାନ୍)
ସେହିପରି ଆଉ ଜଣେ ବେଶ୍ ଚର୍ଚ୍ଚିତ ଆଦିବାସୀ ବ୍ୟକ୍ତିବିଶେଷ ହେଲେ, ଦଇତାରି ନାୟକ । ଜଳସେତନ କ୍ଷେତ୍ରରେ ଦଇତାରି ଇତିହାସ ରହିଛନ୍ତି, ଯାହାପାଇଁ ସେ ‘ଦ କେନାଲ୍ ମ୍ୟାନ୍' ଭାବେ ପରିଚିତ । ନିଜ ଜମିରେ ଜଳସେଚନଜନିତ ସମସ୍ୟାରୁ ମୁକ୍ତି ପାଇବା ପାଇଁ ସେ ଏକ ସ୍ଥାୟୀ ସମାଧାନ ଚିନ୍ତା କଲେ । ଦଇତାରି ଏକାକୀ ଗୋନାସିକା ପାହାଡ଼ରୁ ୩କି.ମି.ର ଏକ କେନାଲ ଖୋଳିଲେ, ତାହା ପୁଣି କେବଳ କୋଡ଼ି ଓ ଶାବଳ ସାହାଯ୍ୟରେ । କେନାଲ କାମ ସରିବାକୁ ପ୍ରାୟ ୪ବର୍ଷ ଲାଗିଗଲା । ଏ କେନାଲ ଯୋଗୁଁ ବୈତରଣୀ ଗାଁର ଚାରିପାଖରେ ଥିବା ୧୦୦ ଏକର ଶୁଷ୍କ ଭୂମି ବର୍ତ୍ତମାନ ସମୟରେ ଜଳଯୋଗାଣରେ ଏକ ବିଶ୍ୱସନୀୟ ଉତ୍ସ ପାଲଟିଛି । ଦଇତାରିଙ୍କ ଉଦ୍ୟମ ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ଜଳସଙ୍କଟ ଉଭେଇ ଯାଇଛି ।
୧୯୪୫ ଏପ୍ରିଲ ୨ ତାରିଖରେ କୋରାପୁଟର ଏକ ଛୋଟିଆ ଗାଁରେ ତାଙ୍କ ଜନ୍ମ । ସ୍ଥାନୀୟ ଅଞ୍ଚଳର ଲୋକେ ଜଳସେଚନଜନିତ ଅସୁବିଧା ଭୋଗିବା ଯୋଗୁଁ ଚାଷ କରିବା ପାଇଁ ବହୁ ହଇରାଣ ହେଉଥିବା ସେ ପିଲାବେଳୁ ଦେଖିଆସୁଥିଲେ । ଯାହାପରେ ସେ ଏହାର ସମାଧାନ ଉପାୟ ଖୋଜିବା ଆରମ୍ଭ କରିଥିଲେ । ନିଜସ୍ୱ ଉଦ୍ୟମରେ ପାରମ୍ପରିକ କୌଶଳ ଏବଂ କିଛିଟା ପ୍ରଯୁକ୍ତି ବିଦ୍ୟା ଖଟେଇ ଦଇତାରି କେନାଲ ଓ ଚେକ୍ ଡ୍ୟାମ୍ ନିର୍ମାଣ କଲେ, ଯାହା ତାଙ୍କ ଜୀବନର ବଡ଼ ଉପଲବ୍ଧି । ଏହାଦ୍ୱାରା ସ୍ଥାନୀୟ ଲୋକେ ବେଶ୍ ଲାଭବାନ ହୋଇପାରିଛନ୍ତି । ତେବେ ଦଇତାରିଙ୍କ ଏ ପ୍ରକାର ପ୍ରଶଂସନୀୟ କାର୍ଯ୍ୟ ପାଇଁ ତାଙ୍କୁ ୨୦୧୯ରେ ‘ପଦ୍ମଶ୍ରୀ’ ପୁରସ୍କାରରେ ସମ୍ମାନିତ କରାଯାଇଥିଲା । ଜଳସେଚନ କ୍ଷେତ୍ରରେ ଅନ୍ୟମାନଙ୍କୁ ଦଇତାରି ତାଲିମ ଦେବା ମଧ୍ୟ ଆରମ୍ଭ କଲେ । ସେ ଚାହୁଁଥିଲେ ତାଙ୍କ ପରି ଅନେକ ଯୁବପିଢ଼ି ନୂଆ ଶିଖର ସ୍ପର୍ଶ କରନ୍ତୁ । ଜଳସେଚନ ବ୍ୟବସ୍ଥା ଉପରେ ଦଇତାରିଙ୍କ ଦଖଲ ସୀମିତ ନଥିଲା, ଖାଦ୍ୟ ସୁରକ୍ଷା, ସାମାଜିକ ଅର୍ଥ ବ୍ୟବସ୍ଥାକୁ କିପରି ସୁଦୃଢ଼ କରାଯିବ ଏବଂ ଉତ୍ତମ ପୋଷଣ ସଂକ୍ରାନ୍ତରେ ସେ ଲୋକଙ୍କୁ ବୁଝାଉଥିଲେ । ଦଇତାରିଙ୍କ ଏକାଗ୍ରତା ଓ କର୍ତ୍ତବ୍ୟନିଷ୍ଠା ମନୋଭାବ ଗ୍ରାମୀଣ ଲୋକଙ୍କ ମନୋବଳକୁ ବଢ଼ାଇବା ସହ ତାଙ୍କ ଦୂରଦୃଷ୍ଟି ସାଧାରଣ ଲୋକଙ୍କ ବାସ୍ତବିକ ଜୀବନକୁ ବଦଳାଇଛି ।