ରାଜ୍ୟରେ ପୃଥକ୍ ପୃଥକ୍ ଦୁର୍ଘଟଣା। ଚମାଖଣ୍ଡି ଥାନା ଜାତୀୟ ରାଜପଥରେ ଡିଭାଇଡରକୁ ଧକ୍କାହେଲା ଟ୍ରାଭେଲର। ଜଣେ ଆହତ। ସେପଟେ ବଅଁରପାଳ ହାଟ ଛକରେ ବାଇକ୍ ଦୁର୍ଘଟଣାରେ ଜଣେ ନାଲ୍କୋ କର୍ମଚାରୀଙ୍କ ମୃତ୍ୟୁ।
ଡିଭାଇଡରରେ ଟ୍ରାଭେଲର ପିଟିହୋଇ ଜଣେ ଆହତ
ଛତ୍ରପୁର: ହଠାତ୍ ଗାଈ ଚାଲି ଆସିବାରୁ ଡିଭାଇଡରରେ ପିଟିହେଲା ଟ୍ରାଭେଲର, ଜଣେ ଆହତ। ଏକ ଟ୍ରାଭେଲର ଭୁବନେଶ୍ୱରରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ବେଳେ ଚମାଖଣ୍ଡି ଥାନା ଜାତୀୟ ରାଜପଥରେ ଡିଭାଇଡରକୁ ଧକ୍କା ଦେଇଛି। ଆହତ ଜଣଙ୍କ ହେଉଛନ୍ତି ଜାଭେଦ ଖାନ (୪୦ ବର୍ଷ)। ଜାତୀୟ ରାଜପଥ ପୁଲିସ ପାଟ୍ରୋଲିଂ ଟିମ୍ ଏବଂ ଚମାଖଣ୍ଡି ପୁଲିସ ପହଞ୍ଚି ଆହତଙ୍କୁ ମେଡିକାଲ ପଠାଇଛି। ଦୁର୍ଘଟଣାଗ୍ରସ୍ତ ଗାଡିକୁ କ୍ରେନ୍ ଯୋଗେ ଜାତୀୟ ରାଜପଥ ଉପରୁ ହଟାଯାଇଛି।
ବାଇକ୍ ଧକ୍କାରେ ନାଲ୍କୋ କର୍ମଚାରୀ ମୃତ
ଅନୁଗୁଳ : ବଅଁରପାଳ ହାଟ ଛକ ଠାରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଦୁଇ ବାଇକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ ନାଲ୍କୋ କର୍ମଚାରୀଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ବଅଁରପାଳର ଗଣେଶ୍ୱର ରାଉତ(୫୫ ବର୍ଷ)। ବୁଧବାର ରାତି ପ୍ରାୟ ସାଢ଼େ ୧୦ଟାରେ ଗଣେଶ୍ୱର ନାଲ୍କୋରୁ ଡ୍ୟୁଟି ସାରି ବାଇକ୍ରେ ଯୋଗୁଁ ଘରକୁ ଫେରୁଥିଲେ। ବଅଁରପାଳ ହାଟଛକ ନିକଟରେ ତାଙ୍କୁ ବିପରୀତ ଦିଗରୁ ଆସୁଥିବା ଏକ ବାଇକ୍ ଧକ୍କା ଦେଇ ଫେରାର୍ ହୋଇଯାଇଥିଲା । ଗଣେଶ୍ୱର ଛିଟିକି ପଡ଼ିଥିଲେ । ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ସ୍ଥାନୀୟ ଲୋକ ତାଙ୍କୁ ଉଦ୍ଧାର କରି ପ୍ରଥମେ ବଅଁରପାଳ ଡାକ୍ତରଖାନାରେ ଭର୍ତି କରିଥିଲେ। ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା । ମାତ୍ର ଏଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଗୁରୁବାର ସକାଳେ ପୁଲିସ୍ ଏକ ମାମଲା ରୁଜୁ କରିବା ସହିତ ଶବ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରିଥିବା ଜଣାପଡିଛି ।
ମିନିବସ ଧକ୍କାରେ ବୃଦ୍ଧ ମହିଳା ମୃତ
ପାତ୍ରପୁର : ଚିକିଟି ବ୍ଲକ କେ.ନୂଆଗାଁ ଥାନା ଅନ୍ତର୍ଗତ ଓଳପୁର ଛକ ନିକଟରେ ବସ୍ ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମା କାଳୀ ନାମକ ଏକ ଯାତ୍ରୀବାହୀ ମିନିବସ ଓଳପୁର ଗ୍ରାମର ଜଣେ ୬୦ ବର୍ଷୀୟା ଅବିବାହିତା ମହିଳା ଲକ୍ଷ୍ମୀ ବେହେରାଙ୍କୁ ପଛ ପଟୁ ଧକ୍କା ଦେଇଥିଲା। ଫଳରେ ତାଙ୍କର ମୃତ୍ୟୁ ହୋଇଛି। ଲକ୍ଷ୍ମୀ ରାସ୍ତା ପାର ହୋଇ ବିଲ ପଟକୁ ଶୌଚ ପାଇଁ ଯାଉଥିବା ବେଳେ ମିନିବସଟି ତାଙ୍କୁ ପଛପଟୁ ଧକ୍କା ଦେଇଥିଲା । ଯାହା ଫଳରେ ତାଙ୍କ ମୁଣ୍ଡର ବାମ ପାର୍ଶ୍ଵ ପଛ ଭାଗରେ ଗଭୀର ଆଘାତ ଲାଗି ସେ ରାସ୍ତା ଉପରେ ପଡିଯାଇଥିଲେ । ପାତ୍ରପୁରରୁ ଚିକିଟି ରାସ୍ତା ଦେଇ ଭୁବନେଶ୍ୱର ଅଭିମୁଖେ ଯାଉଥିବା ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରା ରାସ୍ତା ଉପରେ ଦୁର୍ଘଟଣାରେ ଗୁରୁତର ହୋଇ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିବା ଦେଖି ତୁରନ୍ତ ସ୍ଥାନୀୟ ପୋଲିସ ଓ ଚିକିଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ସୂଚନା ଦେଇଥିଲେ ।
କିଛି ସମୟ ପରେ ଦୁର୍ଘଟଣା ସ୍ଥଳରେ ଆମ୍ବୁଲାନ୍ସ ପହଞ୍ଚି ସମ୍ପୃକ୍ତ ଆହତ ମହିଳାଙ୍କୁ ଚିକିଟି ମେଡ଼ିକାଲ ନେଇଥିଲା । ସେଠାରେ ପ୍ରାଥମିକ ଚିକିତ୍ସା ପରେ ସଙ୍କଟାପନ୍ନ ଅବସ୍ଥାରେ ତାଙ୍କୁ ବ୍ରହ୍ମପୁର ବଡ଼ ମେଡ଼ିକାଲ ସ୍ଥାନାନ୍ତରିତ କରାଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ରକ୍ତାକ୍ତ ଅବସ୍ଥାରେ ମହିଳାଙ୍କୁ ଡାକ୍ତରଖାନା ପଠେଇବାରେ ସହଯୋଗ କରିଥିବା ଚିକିଟି ବିଧାୟକଙ୍କ ମାନବିକତା ପାଇଁ ତାଙ୍କୁ ଅନେକ ପ୍ରଶଂସା କରିଛନ୍ତି । ଦୁର୍ଘଟଣାରେ ମହିଳାଙ୍କ ମୃତ୍ୟୁ ନେଇ କେ.ନୂଆଗାଁ ଥାନା ତରଫରୁ କେସ୍ ନମ୍ବର 165/25 ରୁଜୁ ହୋଇ ଶବ ବ୍ୟବଛେଦ କରାଯାଇଛି ।