ଶ୍ରୀନଗର: ଜମ୍ମୁ ଓ କାଶ୍ମୀରର ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନା ଗୁରୁବାର ଦିନ ଏକ ଗୁରୁତ୍ତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। ଚଳିତବର୍ଷ ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଚଳିତ ବର୍ଷର ଅମରନାଥ ଯାତ୍ରା ପାଇଁ ପଞ୍ଜୀକରଣରେ ୧୦.୧୯% ହ୍ରାସ ଘଟିଥିବା ନେଇ ସେ ଘୋଷଣା କରିଛନ୍ତି। ଏହି ଆକ୍ରମଣରେ ୨୬ ଜଣଙ୍କର ମୃତ୍ୟୁ ହୋଇଥିଲା, ଯେଉଁମାନଙ୍କ ମଧ୍ୟରେ ଅଧିକାଂଶ ପର୍ଯ୍ୟଟକ ରହିଥିଲେ। ଏହା ଜମ୍ମୁ ଓ କାଶ୍ମୀରରେ ପର୍ଯ୍ୟଟନ ଶିଳ୍ପ ଉପରେ ମଧ୍ୟ ଗଭୀର ପ୍ରଭାବ ପକାଇଛି।
ରାଜଭବନରେ ହୋଇଥିବା ଏକ ସାମ୍ବାଦିକ ସମ୍ମିଳନିରେ ସୂଚନା ଦେଇ ଶ୍ରୀ ସିହ୍ନା କହିଛନ୍ତି ଯେ, "ଏପ୍ରିଲ ୨୨ ତାରିଖ ପୂର୍ବରୁ ଅମରନାଥ ଯାତ୍ରା ପାଇଁ ଯାତ୍ରୀ ପଞ୍ଜୀକରଣ ଜୋରସୋରରେ ଚାଲିଥିଲା। କିନ୍ତୁ ଏହି ଆକ୍ରମଣ ଘଟିବା ପରେ ପଞ୍ଜୀକରଣ ସଂଖ୍ୟା ହ୍ରାସ ପାଇଛି। ଗତ ବର୍ଷ ତୁଳନାରେ ଚଳିତ ବର୍ଷ ୧୦.୧୯% କମ୍ ପଞ୍ଜୀକରଣ ହୋଇଛି।" ସେ ଆହୁରି କହିଛନ୍ତି ଯେ, ଆକ୍ରମଣ ପୂର୍ବରୁ ୨.୩୬ ଲକ୍ଷ ଯାତ୍ରୀ ପଞ୍ଜୀକରଣ କରିଥିଲେ।
ପହଲଗାମର ବୈସାରଣ ଉପତ୍ୟକାରେ ହୋଇଥିବା ଏହି ଆତଙ୍କବାଦୀ ଆକ୍ରମଣ ପରେ ଜାମ୍ମୁ ଓ କାଶ୍ମୀରରେ ୪୮ଟି ପର୍ଯ୍ୟଟନ ସ୍ଥଳ ବନ୍ଦ କରାଯାଇଥିଲା। ତେବେ, ଲେଫ୍ଟନାଣ୍ଟ ଗଭର୍ଣ୍ଣରଙ୍କ ନିର୍ଦ୍ଦେଶ କ୍ରମେ ଗତ ଜୁନ ୧୪ ତାରିଖରୁ ଏହି ସ୍ଥାନଗୁଡ଼ିକ ପର୍ଯାୟକ୍ରମେ ଧିରେ ଧିରେ ଖୋଲା ଯାଉଛି। ପ୍ରଥମ ପର୍ଯ୍ୟାୟରେ ବୀଟାବ ଉପତ୍ୟକା, ବାଦାମୱାରୀ ପାର୍କ ଏବଂ ଅନ୍ୟାନ୍ୟ ସ୍ଥାନ ପର୍ଯ୍ୟଟକଙ୍କ ପାଇଁ ଖୋଲା ଯାଇଛି।
ଅମରନାଥ ଯାତ୍ରା ଜୁଲାଇ ୩ ତାରିଖରୁ ଆରମ୍ଭ ହେବ ଏବଂ ଅଗଷ୍ଟ ୯ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ। ଏହି ଯାତ୍ରା ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ଜାମ୍ମୁ ଓ କାଶ୍ମୀର ପୁଲିସ ଏବଂ କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବାହିନୀ (CAPF) ଦ୍ୱାରା ତିନିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ପ୍ରସ୍ତୁତ କରାଯାଇଛି। ଯାତ୍ରୀମାନଙ୍କୁ ନିରାପଦ ଯାତ୍ରା ପାଇଁ ଭାଗବତୀ ନଗର ବେସ୍ କ୍ୟାମ୍ପରୁ କନଭୟ ସହିତ ଯାତ୍ରା କରିବାକୁ ପରାମର୍ଶ ଦିଆଯାଇଛି।
ଏହା ସହିତ, ଚଳିତ ବର୍ଷ ହେଲିକପ୍ଟର ସେବା ବନ୍ଦ ରହିବ, କାରଣ ଯାତ୍ରା ପଥଗୁଡ଼ିକୁ ନୋ-ଫ୍ଲାଇ ଜୋନ୍ ଭାବେ ଘୋଷଣା କରାଯାଇଛି। ତେବେ, ସିହ୍ନା କହିଛନ୍ତି ଯେ କେବଳ ୮% ଯାତ୍ରୀ ହେଲିକପ୍ଟର ସେବା ବ୍ୟବହାର କରୁଥିଲେ। ତେଣୁ ଏହା ଯାତ୍ରା ଉପରେ ବଡ଼ ପ୍ରଭାବ ପକାଇବ ନାହିଁ।
ପର୍ଯ୍ୟଟନ ଶିଳ୍ପକୁ ପୁନର୍ଜନ୍ମ ଦେବା ପାଇଁ କେନ୍ଦ୍ର ସରକାର ଜୁଲାଇ ୭ ଓ ୮ ତାରିଖରେ ପହଲଗାମରେ ଏକ ଉଚ୍ଚସ୍ତରୀୟ ବୈଠକ ଆୟୋଜନ କରୁଛନ୍ତି। ଏହି ବୈଠକରେ ସମସ୍ତ ରାଜ୍ୟର ପର୍ଯ୍ୟଟନ ସଚିବମାନେ ଅଂଶଗ୍ରହଣ କରିବେ ଏବଂ କାଶ୍ମୀରକୁ ଏକ ନିରାପଦ ପର୍ଯ୍ୟଟନ ଗନ୍ତବ୍ୟ ସ୍ଥାନ ଭାବେ ପ୍ରୋତ୍ସାହିତ କରିବା ପାଇଁ ରଣନୀତି ପ୍ରସ୍ତୁତ କରାଯିବ।
ଚଳିତ ବର୍ଷର ଅମରନାଥ ଯାତ୍ରାର ସଫଳତା କାଶ୍ମୀରରେ ପର୍ଯ୍ୟଟନ ପୁନରୁଦ୍ଧାରରେ ସହାୟକ ହେବ ବୋଲି ଶ୍ରୀ ସିହ୍ନା ଆଶା ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ଯେ, "ଏହି ଯାତ୍ରା କେବଳ ପ୍ରଶାସନ କିମ୍ବା ସୁରକ୍ଷା ବାହିନୀର ଦାୟିତ୍ୱ ନୁହେଁ, ଏହା ସମସ୍ତଙ୍କର ଯାତ୍ରା।"
ଏହି ସମୟରେ, ପହଲଗାମରେ ପର୍ଯ୍ୟଟନ କ୍ଷେତ୍ର ଧୀରେ ଧୀରେ ଖୋଲିବାରେ ଲାଗିଛି। ଜୁନ ମାସରୁ ପର୍ଯ୍ୟଟକମାନେ ପୁଣିଥରେ ଏହି ଅଞ୍ଚଳକୁ ଫେରିବା ଆରମ୍ଭ କରିଛନ୍ତି। ଯାହା ସ୍ଥାନୀୟ ବ୍ୟବସାୟୀଙ୍କ ପାଇଁ ଆଶାର କିରଣ ସୃଷ୍ଟି କରିଛି।