ନୂଆଦିଲ୍ଲୀ, ୨୬/୬ : କଲ୍ କରିବା ବେଳେ ଅମିତାଭ ବଚ୍ଚନଙ୍କ ସାଇବର୍ କଲର ଟ୍ୟୁନ୍ ଶୁଣି ଶୁଣି ବରକ୍ତ ହୋଇଗଲେଣି କି ? ତାହେଲେ ଚିନ୍ତା କରନ୍ତୁନି। ଆପଣଙ୍କ ପାଇଁ ଖୁସି ଖବର। ଜୁନ୍ ୨୬ରୁ ଆଉ ଶୁଭିବନି ବଚ୍ଚନ ସାର୍ଙ୍କ ଭଏସ୍। ସରକାର ଏହି ସଚେତନତା ଅଭିଯାନ ସମାପ୍ତ କରିଛନ୍ତି। ଏବେ ଦିନରେ କେବଳ ୨ ଥର ସାଇବର ସମ୍ପର୍କିତ କଲର ଟ୍ୟୁନ୍ ବାଜିବ। ସବୁଠୁ ବଡ଼ କଥା ହେଲା ଆମ୍ବୁଲାନ୍ସ ସେବା ଭଳି ଏମରଜେନ୍ସି କଲ୍ କଲାବେଳେ ଏହି କଲର ଟ୍ୟୁନ୍ ବାଜିବନି।
ଦେଶରେ ଏବେ ସାଇବର୍ ଅପରାଧ ପିକ୍ରେ ରହିଛି। ଲୋକମାନଙ୍କୁ ସଚେତନ କରିବା ଲାଗି ସୁପରଷ୍ଟାର ଅମିତାଭ ବଚ୍ଚନଙ୍କ ଭଏସ୍ରେ ଏକ ସାଇବର୍ ସୁରକ୍ଷା ସମ୍ପର୍କିତ କଲର ଟ୍ୟୁନ୍ ତିଆରି କରାଯାଇଥିଲା। ୪୦ ସେକେଣ୍ଡ୍ର ଏହି ମେସେଜ୍ ପ୍ରତି କଲ୍ ପୂର୍ବରୁ ବାଜୁଥିଲା। ଯାହାକୁ ଶୁଣି ଶୁଣି ଲୋକେ ବିରକ୍ତ ହୋଇଯାଉଥିଲେ। ଏହାକୁ ବନ୍ଦ କରିବା ପାଇଁ ସୋସିଆଲ୍ ମିଡିଆରେ ଟ୍ରେଣ୍ଡ୍ ଆରମ୍ଭ କରିଥିଲେ। ଲୋକମାନଙ୍କ ଅଭିଯୋଗକୁ ଭିତ୍ତି କରି ଏବେ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ଜରୁରୀକାଳୀନ ସ୍ଥିତିରେ କଲ୍ କରିବା ବେଳେ ହେଉଥିବା ଅସୁବିଧାକୁ ଉପଲବ୍ଧ କରି ସଂଚାର ମନ୍ତ୍ରାଳୟ ପକ୍ଷରୁ ଏହି ଟ୍ୟୁନ୍କୁ ବନ୍ଦ କରିଦିଆଯାଇଛି। ଏବେ କଲ୍ କଲାବେଳେ ଦିନକୁ କେବଳ ୨ ଥର ଏହି ଟ୍ୟୁନ୍ ଶୁଣିବାକୁ ମିଳିବ। ଜରୁରୀ ସେବା ଯେପରି ଆମ୍ବୁଲାନ୍ସ ଭଳି ସେବା ପାଇଁ କଲ୍ କରିବା ବେଳେ ଏହି ଟ୍ୟୁନ୍ ବାଜିବ ନାହିଁ।
ଏହି ଟ୍ୟୁନ୍କୁ ନେଇ ଅମିତାଭ ବଚ୍ଚନଙ୍କୁ ମଧ୍ୟ ଟ୍ରୋଲ୍ର ଶିକାର ହେବାକୁ ପଡ଼ିଛି। ଜଣେ ୟୁଜର ସୋସିଆଲ ମିଡିଆରେ ଲେଖିଥିଲେ ଯେ, ଫୋନରେ କହିବ ବନ୍ଦ କର ଭାଇ। ଏହାର ଉତ୍ତରରେ ବିଗ୍ ବି ଲେଖିଥିଲେ ଯେ, ସରକାରଙ୍କୁ କୁହ ଭାଇ। ତେବେ ଅମିତାଭଙ୍କ ଏହି ରିପ୍ଲାଏ ପରେ ଚର୍ଚ୍ଚା ଜୋର୍ ଧରିଥିଲା। ଏବେ ସରକାର ଜୁନ୍ ୨୬ରୁ ଏହି ସଚେତନତା ଅଭିଯାନ ସମାପ୍ତ କରିଛନ୍ତି।