ନୂଆଦିଲ୍ଲୀ: ଭାରତରେ ଥିବା ଆମେରିକୀୟ ଦୂତାବାସ ଆମେରିକା ଭିସା ପାଇଁ ଆବେଦନ କରୁଥିବା ପ୍ରବାସୀ ମାନଙ୍କ ପାଇଁ ଏକ ନୂତନ ନିର୍ଦ୍ଦେଶାବଳୀ ଜାରି କରିଛି। ନୂତନ ନିର୍ଦ୍ଦେଶାବଳୀ ଆଧାରରେ, ଆମେରିକୀୟ ବୈଦେଶିକ ବିଭାଗ ଚେତାବନୀ ଦେଇଛି ଯେ, ଯଦି ଆବେଦନକାରୀ ମାନେ ସୋସିଆଲ ମିଡିଆରେ ସେମାନଙ୍କ ଉପସ୍ଥିତି ବିଷୟରେ ଭ୍ରମାତ୍ମକ ଉତ୍ତର ଦେଉଛନ୍ତି, ତେବେ ସେମାନଙ୍କୁ ନିଷିଦ୍ଧ କିମ୍ବା ଭିସା ମନା କରାଯିବ। ଗତ ମାସରେ, ଟ୍ରମ୍ପ ପ୍ରଶାସନ କହିଥିଲା ଯେ, ସମସ୍ତ ଆମେରିକୀୟ ଭିସା ଆବେଦନକାରୀଙ୍କୁ ସେମାନଙ୍କର ସୋସିଆଲ ମିଡିଆ ଆକାଉଣ୍ଟ ସେୟାର କରିବାକୁ ପଡିବ।
ଗୁରୁବାର ପ୍ରକାଶିତ ନୂତନ ଘୋଷଣାନାମାରେ,ଭାରତରେ ଥିବା ଆମେରିକୀୟ ଦୂତାବାସ କହିଛି ଯେ,ଆବେଦନକାରୀ ମାନଙ୍କୁ ଅତି କମରେ ପାଞ୍ଚ ବର୍ଷ ଧରି ବ୍ୟବହାର କରୁଥିବା ସୋସିଆଲ ମିଡିଆ ଆକାଉଣ୍ଟ ଗୁଡ଼ିକର ଏକ ତାଲିକା ପ୍ରଦାନ କରିବାକୁ ପଡିବ। ଆବେଦକ ମାନଙ୍କୁ ପ୍ରମାଣିତ କରିବାକୁ ପଡିବ ଯେ, ସେମାନଙ୍କ ଭିସା ଆବେଦନରେ ପ୍ରଦାନ କରାଯାଇଥିବା ସୂଚନା ସ୍ୱାକ୍ଷର କରିବା ଏବଂ ଦାଖଲ କରିବା ପୂର୍ବରୁ ସତ୍ୟ ଏବଂ ସଠିକ୍। ସୋସିଆଲ ମିଡିଆ ସୂଚନାକୁ ବାଦ ଦେବା ଦ୍ୱାରା ଭିସା ପ୍ରତ୍ୟାଖ୍ୟାନ ଏବଂ ଭବିଷ୍ୟତ ଭିସା ପାଇଁ ଅଯୋଗ୍ୟତା ହୋଇପାରେ।
ଟ୍ରମ୍ଫଙ୍କ ନିୟମ ଅନୁଯାୟୀ,ଆମେରିକୀୟ ସରକାର ସୋସିଆଲ ମିଡିଆରେ ଏହାର ନଜର ବୃଦ୍ଧି କରିଛନ୍ତି। ବିଦେଶୀ ଛାତ୍ର ମାନଙ୍କୁ ସେମାନଙ୍କ ପୋଷ୍ଟ ଆଧାରରେ ଅଟକ ଏବଂ ଭିସା ବାତିଲ ବିଷୟରେ ଚେତାବନୀ ଦିଆଯାଇଛି। ଏହି ସମୟରେ, ଟ୍ରମ୍ପ ପ୍ରଶାସନ ସ୍ପଷ୍ଟ ଭାବରେ କହିଛି ଯେ, ସେ ଆମେରିକାକୁ ଆସୁଥିବା କିମ୍ବା ରହୁଥିବା ଲୋକଙ୍କ ଯାଞ୍ଚ ପାଇଁ ସୋସିଆଲ ମିଡିଆ ଆକାଉଣ୍ଟ ବ୍ୟବହାର କରିବେ।
ନିକଟରେ ଏକ ମାମଲାରେ,ଜଣେ ୨୧ ବର୍ଷୀୟ ନରୱେଜିଆନ ଛାତ୍ର ଦାବି କରିଛନ୍ତି ଯେ,ତାଙ୍କ ଫୋନରେ ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସଙ୍କ ମିମ୍ସ ଥିବାରୁ ତାଙ୍କୁ ନ୍ୟୁୟର୍କ ବିମାନବନ୍ଦରରେ ଅଟକ ରଖାଯାଇଥିଲା। ଯେତେବେଳେ ମୁଁ ମୋ ଫୋନର ପାସଓ୍ବାର୍ଡ ଦେବାକୁ ମନା କରିଦେଲି,ସେମାନେ ମୋତେ ଅତି କମରେ ୫ ହଜାର ଡଲାର ଜରିମାନା କିମ୍ବା ପାଞ୍ଚ ବର୍ଷ ଜେଲ ଦଣ୍ଡର ଧମକ ଦେଇଥିଲେ।