ନୂଆଦିଲ୍ଲୀ,୨୫/୦୮: କରୋନା ମହାମାରୀ ପରେ ବିଶ୍ୱ ବଜାର ସ୍ଥିତାବସ୍ଥାକୁ ଫେରୁଥିଲା । ଏହା ପରେ ରୁଷ ୟୁକ୍ରେନ ଯୁଦ୍ଧ, ମଧ୍ୟପ୍ରାଚ୍ୟ ସଙ୍କଟ ଏବଂ ଆମେରିକାର ଟାରିଫ ଯୋଗୁ ଏବେ ବଜାର ପୁଣି ଥରେ ପ୍ରଭାବିତ ରହିଛି । ଏଭଳି ସ୍ଥିତିରେ ଭାରତୀୟ ରପ୍ତାନିକାରୀ ମାନେ ବର୍ତ୍ତମାନ ବିଭିନ୍ନ ସମସ୍ୟା ଦେଇ ଗତି କରୁଛନ୍ତି । ରପ୍ତାନିକାରୀଙ୍କ ସମସ୍ୟା ସମାଧାନ ଲାଗି ଆସିପାରେ ୨୫ ହଜାର କୋଟିର ବୁଷ୍ଟର ପ୍ୟାକେଜ । ଏ ନେଇ ସରକାର ବର୍ତ୍ତମାନ ବିଚାର କରୁଥିବା ପ୍ରକ୍ରିୟା ସହ ଜଡିତ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।
ଅଧିକାରୀଙ୍କ କହିବା ମୁତାବକ, ବଜେଟରେ କେନ୍ଦ୍ର ସରକାର ରପ୍ତାନି କ୍ଷେତ୍ରରେ ପ୍ରୋତ୍ସାହିତ କରିବା ଲାଗି ରପ୍ତାନି ପ୍ରୋତ୍ସାହନ ମିଶନ ସମ୍ପର୍କରେ ଘୋଷଣା କରିଥିଲେ । ୨୦୨୫-୨୦୩୧ ଯାଏ ଏହା କାର୍ଯ୍ୟକାରୀ ହେବ । ଏ ସମ୍ପର୍କରେ ସରକାର ବିସ୍ତୃତ କାର୍ଯ୍ୟକ୍ରମ ଗ୍ରହଣ କରିବାକୁ ଯାଉଛନ୍ତି । ଏହା ଦ୍ୱାରା ରପ୍ତାନିକାରୀଙ୍କୁ ସୁଲଭ ହାରରେ ଋଣ ଯୋଗାଣ ଉପରେ ଫୋକସ କରାଯିବ । ଏ ନେଇ ବାଣିଜ୍ୟ ମନ୍ତ୍ରଣାଳୟ ପକ୍ଷରୁ ଅର୍ଥ ମନ୍ତ୍ରଣାଳୟର ଖର୍ଚ୍ଚ କମିଟିକୁ ଏକ ଚିଠି ଲେଖାଯାଇଛି । ମନ୍ତ୍ରଣାଳୟର ମଞ୍ଜୁରୀ ପରେ ଏହାକୁ ଲାଗୁ କରିବା ଉପରେ କେନ୍ଦ୍ର ସରକାର ଅଗ୍ରସର ହେବେ । ଏହି ପ୍ରୋତ୍ସାହନ ସ୍କିମ ଆସିଲେ ଟାରିଫ ଯୁଦ୍ଧ ଯୋଗୁ ସଙ୍କଟ ସ୍ଥିତି ଦେଇ ଗତି କରୁଥିବା ରପ୍ତାନିକାରୀଙ୍କ ଲାଗି ନୂଆ ଆଶା ସଂଚାର ହେବ ବୋଲି ଆଶା କରାଯାଉଛି ।
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ୫୦% ଟାରିଫ ଘୋଷଣା କରିଛନ୍ତି । ବର୍ତ୍ତମାନ ଭାରତ ଉପରେ ୨୫% ଟାରିଫ ଲାଗୁ ହେଉଥିବା ବେଳେ ନୂଆ ୫୦% ଟାରିଫ ଚଳିତ ମାସ ୨୭ରୁ ଲାଗୁ ହେବ । ଏହା ଦ୍ୱାରା ଆମେରିକା ବଜାରରୁ ଭାରତର ରପ୍ତାନି ମହଙ୍ଗା ହେବ । ରପ୍ତାନିକାରୀଙ୍କୁ ଆଗାମୀ ୬ ବର୍ଷ ଲାଗି ଉତ୍ସାହିତ କରିବା ଉପରେ ବଜେଟରେ ନୂଆ ସ୍କିମ ଘୋଷଣା କରିଥିଲେ । ଏହା ଆସିଲେ ରପ୍ତାନି କ୍ଷେତ୍ର ଲାଭବାନ ହେବାକୁ ଯାଉଛି ।
ଦେଶର ଏମ୍ଏସ୍ଏମ୍ଇ ରପ୍ତାନିକାରୀ ସାମ୍ନା କରୁଥିବା ବିଭିନ୍ନ ସମସ୍ୟାକୁ ମଧ୍ୟ ବିଚାର କରିବେ ସରକାର । ଏକ୍ସପୋର୍ଟ ପ୍ରମୋସନ ମିଶନ (ଇପିଏମ୍) ଅର୍ଥ ମନ୍ତ୍ରଣାଳୟ, ବାଣିଜ୍ୟ ବିଭାଗ, ଏମ୍ଏସ୍ଏମ୍ଇ ମନ୍ତ୍ରଣାଳୟ, ଏକ୍ସିମ ବ୍ୟାଙ୍କ, ଇସିଜିସି, ସିଜିଟି ଏମ୍ଏସ୍ଇ, ଏନ୍ସିଜିଟିସି, ରପ୍ତାନି ପ୍ରମୋସନ କାଉନସିଲ, କମୋଡିଟି ବୋର୍ଡ, ଶିଳ୍ପ ସଂଘ ଏବଂ ରାଜ୍ୟ ସରକାରଙ୍କ ସମନ୍ୱୟରେ ଲାଗୁ କରାଯିବ । ଏଥିରେ ୨ଟି ଉପ ସ୍କିମ ରହିବ । ଏହା ମଧ୍ୟରେ ୧୦ ହଜାର କୋଟି ଟଙ୍କା ବିନିଯୋଗରେ ନିର୍ଯ୍ୟାତ ପ୍ରୋତ୍ସାହନ ଏବଂ ୧୪,୫୦୦ କୋଟିରେ ନିର୍ଯ୍ୟାତ ଦିଶା କାର୍ଯ୍ୟକ୍ରମ ଆସିବ ।
ଏଥିରେ ରପ୍ତାନିକାରୀ ସାମ୍ନା କରୁଥିବା ନଗଦ ସମସ୍ୟା, ଋଣ ଉପରେ ସୁଧ ରିହାତି ଭଳି ଦିଗ ଗୁଡ଼ିକୁ ଧ୍ୟାନରେ ରଖାଯିବ । ସେହିଭଳି ରପ୍ତାନି କ୍ଷେତ୍ରରେ ଅନୁପାଳନ,ରପ୍ତାନି ୱେରହାଉସିଂ, ଲଜିଷ୍ଟିକ୍ସ ଏବଂ ଦକ୍ଷତା ବୃଦ୍ଧି ଉପରେ କାର୍ଯ୍ୟକ୍ରମ ଆସିବ । ଟ୍ରମ୍ପ ଟାରିଫ ଯୋଗୁ ଏବେ ଦେଶର ବୟନ, କେମିକାଲ୍ସ ଏବଂ ଫୁଟୱେର ଭଳି ବିଭିନ୍ନ କ୍ଷେତ୍ରରେ ବଡ ମାତ୍ରାରେ ପ୍ରଭାବ ସାମ୍ନା କରୁଛନ୍ତି । ନୂଆ ଯୋଜନା ଏ କ୍ଷେତ୍ରରେ ନୂଆ ଆଶା ସଂଚାର କରିବ ବୋଲି ଶିଳ୍ପ ପକ୍ଷରୁ ଆଶା ପ୍ରକଟ କରାଯାଇଛି।