ନୂଆଦିଲ୍ଲୀ,୨୬/୦୧: ରାଜ୍ୟଗୁଡ଼ିକରେ ଏବେ ମହିଳାଙ୍କ ପାଇଁ ଡିବିଟି ସ୍କିମ୍ର ସୁନାମୀ ଦେଖିବାକୁ ମିଳୁଛି । ମହିଳା ଭୋଟରଙ୍କୁ ଟାଣିବା ପାଇଁ ନିର୍ବାଚନୀ ପ୍ରତିଶ୍ରୁତି ପାଳନପୂର୍ବକ ଏଭଳି ଅନେକ ସ୍କିମ୍ ଆଣୁଛନ୍ତି ବିଭିନ୍ନ ରାଜ୍ୟ ସରକାର । ତେବେ ଏସବୁ ସ୍କିମ୍ ରାଜ୍ୟଗୁଡ଼ିକର ବିତ୍ତୀୟ ସ୍ଥିତିକୁ ଭୟଙ୍କର ଭାବେ ବିଗାଡ଼ିପାରେ ବୋଲି ଭାରତୀୟ ଷ୍ଟେଟ୍ ବ୍ୟାଙ୍କ(ଏସ୍ବିଆଇ) ଏହାର ଏକ ନୂଆ ରିପୋର୍ଟରେ ଉଲ୍ଲେଖ କରିଛି । ଗତ କିଛି ବର୍ଷ ହେବ ମହିଳାକୈନ୍ଦ୍ରିକ ଡିବିଟି (ସିଧାସଳଖ ସୁବିଧା ହସ୍ତାନ୍ତର) ସ୍କିମ୍ଗୁଡ଼ିକର ଟ୍ରେଣ୍ଡ ଦେଖିବାକୁ ମିଳୁଛି । ବିଶେଷକରି ନିର୍ବାଚନ ସମୟରେ ଏହି ସ୍କିମ୍ ଘୋଷଣା କରୁଛନ୍ତି ବିଭିନ୍ନ ରାଜନୈତିକ ଦଳ । କ୍ଷମତାକୁ ଆସିବା ପରେ ଏହାକୁ କାର୍ଯ୍ୟକାରୀ କରୁଛନ୍ତି । ସ୍କିମ୍ ଅଧୀନରେ ମହିଳାଙ୍କ ଖାତାକୁ ନିର୍ଦ୍ଦିଷ୍ଟ ପରିମାଣର ନଗଦ ରାଶି ସ୍ଥାନାନ୍ତର କରାଯାଉଛି । ତେବେ ଏସବୁ ସ୍କିମ୍ ରାଜ୍ୟଗୁଡ଼ିକର ଆର୍ଥିକ ସ୍ଥିତିକୁ ବଡ଼ ମାତ୍ରାରେ ପ୍ରଭାବିତ କରିବ ବୋଲି ଏସ୍ବିଆଇ ପକ୍ଷରୁ ଚେତାବନୀ ଦିଆଯାଇଛି ।
୮ଟି ରାଜ୍ୟରେ ଚାଲୁ ରହିଥିବା ଏଭଳି ସ୍କିମ୍ଗୁଡ଼ିକରେ ମୋଟ ଖର୍ଚ୍ଚ ୧.୫ ଲକ୍ଷ କୋଟି ଟଙ୍କା ପାର୍ କରିଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି । ଏହା ଏସବୁ ରାଜ୍ୟଗୁଡ଼ିକର ମୋଟ ରାଜସ୍ୱର ୩ରୁ ୧୧% । ରିପୋର୍ଟ ଅନୁସାରେ, ଓଡ଼ିଶା ଭଳି କେତେକ ରାଜ୍ୟ ଏଭଳି ସ୍କିମ୍ଗୁଡ଼ିକର ଖର୍ଚ୍ଚ ବହନ କରିବାକୁ ଭଲ ସ୍ଥିତିରେ ରହିଛନ୍ତି । କାରଣ ରାଜ୍ୟର ଅଣ-ଟିକସ ରାଜସ୍ୱ ଅଧିକ ରହିଛି ଏବଂ ରାଜ୍ୟର ଋଣ ଆବଶ୍ୟକତା ମଧ୍ୟ ନାହିଁ । ଖର୍ଚ୍ଚ ବହନ କରିବାକୁ ଓଡ଼ିଶା ସମର୍ଥ । କିନ୍ତୁ ଅନ୍ୟ ରାଜ୍ୟଗୁଡ଼ିକ ଏଭଳି ସ୍କିମ୍ଗୁଡ଼ିକ ଯୋଗୁ ଭୟଙ୍କର ବିତ୍ତୀୟ ସମସ୍ୟାର ସାମ୍ନା କରିପାରନ୍ତି । କର୍ଣ୍ଣାଟକର ଗୃହ ଲକ୍ଷ୍ମୀ ସ୍କିମ୍ ଅଧୀନରେ ପରିବାରଗୁଡ଼ିକର ମହିଳା ମୁଖ୍ୟଙ୍କୁ ମାସକୁ ୨,୦୦୦ ଟଙ୍କା ଲେଖାଏଁ ପ୍ରଦାନ କରାଯାଉଛି । ଏ ସ୍କିମ୍ ପାଇଁ ରାଜ୍ୟ ସରକାର ୨୮,୬୦୮ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି ।
ଏହା ରାଜ୍ୟର ମୋଟ ରାଜସ୍ୱ ଆୟର ପ୍ରାୟ ୧୧% । ସେହିଭଳି ପଶ୍ଚିମବଙ୍ଗର ଲକ୍ଷ୍ମୀର ଭଣ୍ଡାର ସ୍କିମ୍ ଅଧୀନରେ ଆର୍ଥିକ ଦୁର୍ବଳ ବର୍ଗ ମହିଳାଙ୍କ ପାଇଁ ଏକକାଳୀନ ୧୦୦୦ ଟଙ୍କା ପ୍ରଦାନ କରାଯାଉଛି । ଏ ବାବଦ ସରକାରଙ୍କ ଖର୍ଚ୍ଚ ୧୪,୪୦୦ କୋଟି ଟଙ୍କା ରହିଛି, ଯାହାକି ରାଜ୍ୟର ରାଜସ୍ୱ ଆୟର ୬% । ଅନ୍ୟପକ୍ଷରେ, ଦିଲ୍ଲୀର ମୁଖ୍ୟମନ୍ତ୍ରୀ ମହିଳା ସମ୍ମାନ ଯୋଜନା, ଯାହା ଅଧୀନରେ କିଛି ନିର୍ଦ୍ଦିଷ୍ଟ ବର୍ଗକୁ ଛାଡ଼ି ପ୍ରାପ୍ତ ବୟସ୍କ ମହିଳାଙ୍କୁ ମାସିକ ୧,୦୦୦ ଟଙ୍କା ପ୍ରଦାନ କରାଯାଉଛି ଏ ବାବଦ ଖର୍ଚ୍ଚ ୨,୦୦୦ କୋଟି ଟଙ୍କା ରହିଛି । ରାଜ୍ୟର ମୋଟ ରାଜସ୍ୱ ଆୟର ଏହା ୩% । ମହିଳାଙ୍କ ପାଇଁ ରାଜ୍ୟଗୁଡ଼ିକର ଏଭଳି ନଗଦ ହସ୍ତାନ୍ତର ଯୋଜନା ଯୋଗୁ କେନ୍ଦ୍ର ସରକାର ମଧ୍ୟ ସମାନ ଧରଣ ନୀତି ଆପଣାଇବା ପାଇଁ ଚାପକୁ ଆସିପାରନ୍ତି ବୋଲି ଏସ୍ବିଆଇ ପ୍ରକାଶ କରିଛି ।