ପ୍ରମୂଖ ଖବର
  • ସୁଭଦ୍ରାକୁ ନେଇ ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ଡିସେମ୍ବର ସୁଦ୍ଧା ୧ କୋଟି ମହିଳା ହିତାଧିକାରୀଙ୍କୁ ମିଳିବ ଟଙ୍କା
  • ||
  • ପଳାଶୁଣି ଛକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ମହିଳାଙ୍କ ଉପରେ ମାଡ଼ିଗଲା ଅଜଣାଗାଡ଼ି
  • ||
  • ରାଜଧାନୀରେ ମାଙ୍କଡ଼ ଉତ୍ପାତ ଘଟଣା, ଟ୍ରାଙ୍କୁଲାଇଜ୍ କରି ଧରିଲା ନନ୍ଦନକାନନ ଟିମ୍
  • ||
  • କଟକ: କଟକ ବାଲିଯାତ୍ରାରେ ସିଏମ୍‌ସି ସ୍ବାସ୍ଥ୍ୟ ଟିମ୍‌ର ଚଢ଼ଉ, ଖାଦ୍ୟ ଷ୍ଟଲ୍‌ରୁ ବାସି, ଅପମିଶ୍ରିତ ଖାଦ୍ୟ ଜବତ
  • ||
  • ଭରତପୁର ଥାନା ମାମଲା: ଷ୍ଟାଟସ୍‌ ରିପୋର୍ଟ ଦାଖଲ ନିର୍ଦ୍ଦେଶ
  • ||
  • ମାଲକାନଗିରିରେ ସୁରକ୍ଷାକର୍ମୀ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ: ନକ୍ସଲ ନିହତ, ଜଣେ ଯବାନ ଆହତ
  • ||
  • ତାମିଲନାଡୁ ମୁହାଁଇପାରେ ସମ୍ଭାବ୍ୟ ବାତ୍ୟା, ଓଡ଼ିଶାକୁ ପ୍ରଭାବ ନାହିଁ: ୨୪ ଘଣ୍ଟାରେ ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ
  • ||

ସୃଜନଶୀଳ ଅର୍ଥବ୍ୟବସ୍ଥା : ନବସୃଜନ ଓ ଭବିଷ୍ୟତ

ନବସୃଜନ, ସହଯୋଗ ଏବଂ ନିରବଚ୍ଛିନ୍ନ ଭାବେ ସୃଷ୍ଟି କରୁଥିବା ସ୍ରଷ୍ଟାମାନଙ୍କର ଭବିଷ୍ୟତ ଉଜ୍ଜ୍ୱଳ । ଆସନ୍ତୁ ଭାରତର ସୃଜନଶୀଳ ଅର୍ଥ ବ୍ୟବସ୍ଥାରେ ପ୍ରେରଣାର ପ୍ରତୀକ ସାଜିବା, ଆର୍ଥିକ ବିକାଶ, ସାଂସ୍କୃତିକ କୂଟନୀତି ଓ ବିଶ୍ୱସ୍ତରୀୟ ନେତୃତ୍ୱକୁ ଆଗକୁ ବଢ଼ାଇବା । ସମସ୍ତେ ମିଶି, ପ୍ରତ୍ୟେକ ଭାରତୀୟ ସ୍ରଷ୍ଟାଙ୍କୁ ଜଣେ ଜଣେ ବିଶ୍ୱସ୍ତରୀୟ କଥାକାରରେ ପରିଣତ କରିବା, ଯାହା ଫଳରେ ଭବିଷ୍ୟତକୁ ଆକାର ଦେଉଥିବା କାହାଣୀଗୁଡ଼ିକ ପାଇଁ ସାରା ଦୁନିଆ ଭାରତ ଆଡ଼କୁ ଚାହିଁବ ।

‘ଆପଣମାନେ ସମଗ୍ର ବିଶ୍ୱରେ ଭାରତର ଡିଜିଟାଲ ରାଷ୍ଟ୍ରଦୂତ । ଆପଣମାନେ ମଧ୍ୟ ଭୋକାଲ ଫର୍‌ ଲୋକାଲର ପ୍ରଚାର ଦୂତ ।’ ଚଳିତ ବର୍ଷ ପ୍ରାରମ୍ଭରେ ପ୍ରଥମ ଥର ପାଇଁ ଜାତୀୟ କ୍ରିଏଟର୍‌ ବା ସୃଜନଶୀଳ ସ୍ରଷ୍ଟା ପୁରସ୍କାର ପ୍ରଦାନ ସମୟରେ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏହି ପ୍ରେରଣାଦାୟୀ ଉକ୍ତି ଭାରତର ସୃଜନଶୀଳ ଅର୍ଥବ୍ୟବସ୍ଥାର ପରିବର୍ତ୍ତନଶୀଳ ଭୂମିକା ଉପରେ ଆଲୋକପାତ କରିଥାଏ । ଆଜି ଆମର ସୃଜନଶୀଳ ସ୍ରଷ୍ଟାମାନେ କେବଳ କଥାକାର ନୁହନ୍ତି, ସେମାନେ ହେଉଛନ୍ତି ରାଷ୍ଟ୍ର ନିର୍ମାତା । ସେମାନେ ଭାରତର ପରିଚୟ ସୃଷ୍ଟି କରୁଛନ୍ତି ଏବଂ ବିଶ୍ୱ ସ୍ତରରେ ଏହାର ଜୀବନ୍ତ ସ୍ୱରୂପକୁ ପ୍ରଦର୍ଶନ କରୁଛନ୍ତି । ଗୋଆରେ ‘୫୫ତମ ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ’ (ଆଇଏଫଏଫଆଇ) ଆଜିଠାରୁ ଆରମ୍ଭ ହେଉଥିବାବେଳେ “ଯୁବ ଚଳଚ୍ଚିତ୍ର ନିର୍ମାତାବର୍ତ୍ତମାନ ହିଁ ଭବିଷ୍ୟତ’ ଶୀର୍ଷକ ବିଷୟବସ୍ତୁ ଉପରେ ସମସ୍ତଙ୍କ ନଜର ରହିଛି । ଆଗାମୀ ୮ ଦିନ ମଧ୍ୟରେ ଆଇଏଫଏଫଆଇ ଶତାଧିକ ଚଳଚ୍ଚିତ୍ର ପ୍ରଦର୍ଶିତ କରିବ, ମନୋରଞ୍ଜନ ଶିଳ୍ପର ପ୍ରତିଷ୍ଠିତ ବ୍ୟକ୍ତିତ୍ୱଙ୍କ ସହ ମାଷ୍ଟର କ୍ଲାସ୍‌ ଆୟୋଜନ କରିବ ଏବଂ ବିଶ୍ୱ ସିନେମାର ଶ୍ରେଷ୍ଠ ପ୍ରତିଭାମାନଙ୍କୁ ସମ୍ମାନିତ କରିବ । ବୈଶ୍ୱିକ ଏବଂ ଭାରତୀୟ ସିନେମା ଉତ୍କର୍ଷର ଏହି ସମନ୍ୱୟ ଭାରତର ସୃଜନଶୀଳ ଅର୍ଥବ୍ୟବସ୍ଥାକୁ ନୂଆ ଉଦ୍ଭାବନ, ନିଯୁକ୍ତି ଓ ସାଂସ୍କୃତିକ କୂଟନୀତିର ଏକ ଶକ୍ତିକେନ୍ଦ୍ର ଭାବରେ ଦର୍ଶାଇଥାଏ । 

ଭାରତର ସୃଜନଶୀଳ ଅର୍ଥବ୍ୟବସ୍ଥାର ଦିଗନ୍ତ ବିସ୍ତାରଣ 

ଭାରତର ସୃଜନଶୀଳ ଅର୍ଥବ୍ୟବସ୍ଥା ୩୦ ବିଲିୟନ ଡଲାରର ଶିଳ୍ପ ଭାବରେ ଉଭା ହୋଇଛି, ଯାହା ସାମଗ୍ରିକ ଘରୋଇ ଉତ୍ପାଦ (ଜିଡିପି)ରେ ପ୍ରାୟ ୨.୫% ଯୋଗଦାନ କରୁଛି ଏବଂ ୮% କର୍ମଚାରୀଙ୍କୁ ଜୀବିକା ପ୍ରଦାନ କରୁଛି । ସିନେମା, ଗେମିଂ, ଆନିମେସନ, ସଙ୍ଗୀତ, ପ୍ରଭାବଶାଳୀ ମାର୍କେଟିଂ ଆଦି କ୍ଷେତ୍ରରେ ଭାରତର ସାଂସ୍କୃତିକ ଦୃଶ୍ୟପଟ୍ଟର ଜୀବନ୍ତ ସ୍ୱରୂପ ପ୍ରତିଫଳିତ ହୋଇଛି । ୩,୩୭୫ କୋଟି ଟଙ୍କା ମୂଲ୍ୟର ଏକ ସମୃଦ୍ଧ ଇନଫ୍ଲୁଏନ୍ସର ମାର୍କେଟିଂ କ୍ଷେତ୍ର ଏବଂ ୨,୦୦,୦୦୦ରୁ ଅଧିକ ପୂର୍ଣ୍ଣକାଳୀନ କଣ୍ଟେଣ୍ଟ (ବିଭିନ୍ନ କାର୍ଯ୍ୟକ୍ରମ) ପ୍ରସ୍ତୁତକାରୀଙ୍କୁ ନେଇ, ଏହି ଶିଳ୍ପ ଭାରତର ବୈଶ୍ୱିକ ଆକାଂକ୍ଷାକୁ ଚଳାଇଥିବା ଏକ ଗତିଶୀଳ ଶକ୍ତି । ଉଲ୍ଲେଖଯୋଗ୍ୟ, ଗୌହାଟୀ, କୋଚି ଏବଂ ଇନ୍ଦୋର ଭଳି ଅଧିକରୁ ଅଧିକ ସହର ସୃଜନଶୀଳ କେନ୍ଦ୍ର ପାଲଟିବା ସହ ଏକ ବିକେନ୍ଦ୍ରୀକୃତ ସୃଜନଶୀଳ ବିପ୍ଳବକୁ ପ୍ରୋତ୍ସାହିତ କରୁଛନ୍ତି । ଭାରତର ୧୧୦ କୋଟି ଇଣ୍ଟରନେଟ୍‌ ଉପଭୋକ୍ତା ଏବଂ ୭୦ କୋଟି ସୋସିଆଲ ମିଡିଆ ବ୍ୟବହାରକାରୀ ସୃଜନଶୀଳତାର ସାର୍ବଜନୀନକରଣକୁ ପ୍ରୋତ୍ସାହିତ କରୁଛନ୍ତି । ସୋସିଆଲ ମିଡିଆ ପ୍ଲାଟଫର୍ମ ଏବଂ ଓଟିଟି ସେବା ସୃଜନଶୀଳ ସ୍ରଷ୍ଟାମାନଙ୍କୁ ବିଶ୍ୱ ଦର୍ଶକଙ୍କ ସହ ସିଧାସଳଖ ଯୋଡ଼ିବାକୁ ସକ୍ଷମ କରୁଛି । ଆଞ୍ଚଳିକ ବିଷୟବସ୍ତୁ ଏବଂ ସ୍ଥାନୀୟ କାହାଣୀର ଉତ୍‌ଥାନ କାର୍ଯ୍ୟକ୍ରମଗୁଡ଼ିକର ବିଷୟବସ୍ତୁକୁ ଆହୁରି ବିବିଧ କରିଛି, ଯାହା ଭାରତର ସୃଜନଶୀଳ ଅର୍ଥବ୍ୟବସ୍ଥାକୁ ପ୍ରକୃତରେ ସମାବେଶୀ କରିଛି  । କଣ୍ଟେଣ୍ଟ କ୍ରିଏଟରମାନେ ଅଭୂତପୂର୍ବ ଆର୍ଥିକ ସଫଳତା ହାସଲ କରୁଛନ୍ତି, ଯେଉଁମାନଙ୍କର ଏକ ନିୟୁତରୁ ଅଧିକ ଫଲୋଅର୍‌ ଅଛନ୍ତି ସେମାନେ ମାସକୁ ୨୦ ହଜାରରୁ ଅଢ଼େଇ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି । ଏହି ଇକୋସିଷ୍ଟମ୍‌ ଆର୍ଥିକ ରୂପେ ଲାଭଦାୟକ ଏବଂ ସାଂସ୍କୃତିକ ଅଭିବ୍ୟକ୍ତି ଓ ସାମାଜିକ ପ୍ରଭାବ ପାଇଁ ଏକ ମଞ୍ଚ ପାଲଟିଛି  । 

ବିଭିନ୍ନ କ୍ଷେତ୍ରରେ ପ୍ରଭାବ 

ସୃଜନଶୀଳ ଅର୍ଥବ୍ୟବସ୍ଥାର ଏକ ଗଭୀର ପ୍ରଭାବ ରହିଛି ଯାହା ଜିଡିପି ଅଭିବୃଦ୍ଧିଠାରୁ ଉଦ୍ଧ୍ୱର୍କୁ ବିସ୍ତାରିତ । ଏହା ଆନୁସଙ୍ଗିକ ଶିଳ୍ପକୁ ସମର୍ଥନ କରି ପର୍ଯ୍ୟଟନ, ଆତିଥ୍ୟ ଏବଂ ପ୍ରଯୁକ୍ତି ବିଦ୍ୟା ସମେତ ବିଭିନ୍ନ କ୍ଷେତ୍ରକୁ ଯଥେଷ୍ଟ ପ୍ରଭାବିତ କରିଥାଏ । ଏହା ବ୍ୟତୀତ, ଡିଜିଟାଲ ପ୍ଲାଟଫର୍ମ ଅବହେଳିତ ସ୍ୱରଗୁଡ଼ିକୁ ସଶକ୍ତ କରିବା, ସାମାଜିକ ଅନ୍ତର୍ଭୁକ୍ତିକରଣ, ବିବିଧତା ଏବଂ ସାଂସ୍କୃତିକ ଐତିହ୍ୟର ସଂରକ୍ଷଣକୁ ପ୍ରୋତ୍ସାହିତ କରିଥାଏ । କାହାଣୀ କହିବା କୌଶଳ ମାଧ୍ୟମରେ ଭାରତ ବଲିଉଡ୍‌ଠାରୁ ଆରମ୍ଭ କରି ଆଞ୍ଚଳିକ ସିନେମା ପର୍ଯ୍ୟନ୍ତ ନିଜର ବିଶ୍ୱସ୍ତରୀୟ ସଫ୍ଟ ପାୱାରକୁ ବଢ଼ାଇ ପାରିଛି । ବିଶ୍ୱ ମଞ୍ଚରେ ନିଜର ସମୃଦ୍ଧ ସାଂସ୍କୃତିକ କାହାଣୀକୁ ପ୍ରଦର୍ଶନ କରୁଛି । ଏହି କ୍ଷେତ୍ର ବିଶ୍ୱର ଦୀର୍ଘସ୍ଥାୟିତ୍ୱ ଲକ୍ଷ୍ୟ ଅନୁରୂପ କାର୍ଯ୍ୟ କରୁଛି । ପରିବେଶ ଅନୁକୂଳ ପ୍ରଯୋଜନା କାର୍ଯ୍ୟ ଏବଂ ଦୀର୍ଘସ୍ଥାୟୀ ଫେଶନ୍‌ରେ ଏହା ପ୍ରତିଫଳିତ ହୋଇଛି । ଏହା ପରିବେଶ ପ୍ରତି ସଚେତନ ଥିବା ଅଭିବୃଦ୍ଧି ଲାଗି ନିଜର ପ୍ରତିବଦ୍ଧତାକୁ ବ୍ୟକ୍ତ କରୁଛି  । 

ସରକାରଙ୍କ ପରିବର୍ତ୍ତନକାରୀ ହସ୍ତକ୍ଷେପ 

ଭାରତର ସୃଜନଶୀଳ ଅର୍ଥ ବ୍ୟବସ୍ଥାକୁ ବିଶ୍ୱସ୍ତରରେ ଉନ୍ନୀତ କରିବା ପାଇଁ ସରକାର ତିନୋଟି ପ୍ରମୁଖ ସ୍ତମ୍ଭ ଉପରେ ପ୍ରାଥମିକତା ଦେଉଛନ୍ତି: ଏକ ଦୃଢ଼ ପ୍ରତିଭା ଭଣ୍ଡାରକୁ ପ୍ରୋତ୍ସାହନ ଦେବା, ନିର୍ମାତାଙ୍କ ପାଇଁ ଭିତ୍ତିଭୂମି ସୁଦୃଢ଼ କରିବା ଏବଂ କଥାକାରମାନଙ୍କୁ ସଶକ୍ତ କରିବା ଲାଗି ପ୍ରକ୍ରିୟାକୁ ବ୍ୟବସ୍ଥିତ କରିବା । ଏହି ଦୃଷ୍ଟିକୋଣର ଏକ ଅଂଶ ଭାବରେ, ଇଣ୍ଡିଆନ୍‌ ଇନଷ୍ଟିଚ୍ୟୁଟ୍‌ ଅଫ୍‌ କ୍ରିଏଟିଭ୍‌ ଟେକ୍‌ନୋଲୋଜି (ଆଇ.ଆଇ.ସି.ଟି.) ପ୍ରତିଷ୍ଠା ଅଭିନବ ଏବଂ ସୃଜନଶୀଳତାକୁ ପ୍ରୋତ୍ସାହିତ କରିବା ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ଦର୍ଶାଇଥାଏ । ସିନେମା, ଆନିମେସନ, ଗେମିଂ କିମ୍ବା ଡିଜିଟାଲ କଳା କ୍ଷେତ୍ରରେ ଭାରତୀୟ ସୃଜନଶୀଳ ସ୍ରଷ୍ଟାମାନେ ଯେପରି ଏକ ସମନ୍ୱିତ ସାଂସ୍କୃତିକ ଶକ୍ତି ଏବଂ ବିଶ୍ୱ ମନୋରଞ୍ଜନରେ ଅଗ୍ରଣୀ ପ୍ରଭାବ ରୂପେ ଆଗକୁ ବଢ଼ିବେ ତାହା ସୁନିଶ୍ଚିତ କରିବା ଆଇ.ଆଇ.ସି.ଟି.ର ଲକ୍ଷ୍ୟ । ଚଳଚ୍ଚିତ୍ର ନିର୍ମାଣ, ଇମର୍ସିଭ୍‌ ଅନୁଭୂତି ଏବଂ ଇଣ୍ଟରଆକ୍ଟିଭ୍‌ ମନୋରଞ୍ଜନରେ ଅତ୍ୟାଧୁନିକ ଜ୍ଞାନକୌଶଳକୁ ଗ୍ରହଣ କରି, ଭାରତ କଣ୍ଟେଣ୍ଟ୍‌ କ୍ରିଏସନ୍‌ ବା କାର୍ଯ୍ୟକ୍ରମ ପ୍ରସ୍ତୁତିର ଭବିଷ୍ୟତକୁ ପୁନଃ-ପରିଭାଷିତ କରିବା ଲାଗି ଦୃଢ଼ ସ୍ଥିତିରେ ରହିଛି । କଣ୍ଟେଣ୍ଟ କ୍ରିଏସନ୍‌ ଏବଂ ନବସୃଜନ କ୍ଷେତ୍ରରେ ଦେଶକୁ ଏକ ବିଶ୍ୱସ୍ତରୀୟ ମହାଶକ୍ତି ଭାବରେ ସ୍ଥାନିତ କରିବା ପାଇଁ “ବିଶ୍ୱ ଅଡିଓ ଭିଜୁଆଲ ଏବଂ ମନୋରଞ୍ଜନ ଶିଖର ସମ୍ମିଳନୀ (ୱେଭ୍‌ସ୍‌)’ ଏକ ଐତିହାସିକ ପଦକ୍ଷେପ ୱେଭ୍‌ସ ଏକ ଗତିଶୀଳ ମଞ୍ଚ ଭାବରେ କାର୍ଯ୍ୟ କରେ ଯେଉଁଠାରେ ନିର୍ମାତା, ଶିଳ୍ପ ନେତା ଏବଂ ନୀତି ନିର୍ଦ୍ଧାରକମାନେ ଏକାଠି ହୋଇ ଅଡିଓ ଭିଜୁଆଲ୍‌ ଏବଂ ମନୋରଞ୍ଜନ କ୍ଷେତ୍ରର ଭବିଷ୍ୟତକୁ ଆକାର ଦିଅନ୍ତି । ପ୍ରଧାନମନ୍ତ୍ରୀଙ୍କ “କ୍ରିଏଟ୍‌ ଇନ୍‌ ଇଣ୍ଡିଆ’ ସଂକଳ୍ପ ଅନୁରୂପ ଏହି ଶିଖର ସମ୍ମିଳନୀ ଆପୋସ ସହଯୋଗକୁ ପ୍ରୋତ୍ସାହିତ କରେ, ଭାରତର ସୃଜନଶୀଳ ସାମର୍ଥ୍ୟକୁ ପ୍ରଦର୍ଶନ କରେ ଏବଂ ବିଶ୍ୱ ଭାଗିଦାରୀକୁ ପ୍ରୋତ୍ସାହିତ କରିଥାଏ । ଭାରତର ସୃଜନଶୀଳ ଅର୍ଥ ବ୍ୟବସ୍ଥାରେ ରହିଥିବା ବିପୁଳ ସମ୍ଭାବନାକୁ ଉଜାଗର କରିବା ପାଇଁ ଡିଜାଇନ୍‌ କରାଯାଇଥିବା ଏକ ଅଗ୍ରଣୀ ପଦକ୍ଷେପ ହେଉଛି କ୍ରିଏଟ୍‌ ଇନ୍‌ ଇଣ୍ଡିଆ ଚ୍ୟାଲେଞ୍ଜ । ବିଶ୍ୱ ଅଡିଓ ଭିଜୁଆଲ ଏବଂ ମନୋରଞ୍ଜନ ଶିଖର ସମ୍ମିଳନୀ (ୱେଭ୍‌ସ)ର ଏକ ଅଂଶବିଶେଷ ଭାବରେ ଆରମ୍ଭ ହୋଇଥିବା ଏହି ଚ୍ୟାଲେଞ୍ଜ୍‌ର ଉଦ୍ଦେଶ୍ୟ ହେଉଛି ଆନିମେସନ, ଗେମିଂ, ସଙ୍ଗୀତ, ଓଟିଟି କାର୍ଯ୍ୟକ୍ରମ ଏବଂ ଇମର୍ସିଭ୍‌ କାହାଣୀ ଭଳି ପ୍ରମୁଖ କ୍ଷେତ୍ରରେ ପ୍ରତିଭାମାନଙ୍କୁ ପ୍ରେରଣା ଯୋଗାଇ ଦେବା ସହିତ ସେମାନଙ୍କୁ ସଶକ୍ତ କରିବା । ୧୪ ହଜାରରୁ ଅଧିକ ଷ୍ଟାର୍ଟ ଅପ୍‌, ସ୍ୱାଧୀନ ନିର୍ମାତା ଏବଂ ଶିଳ୍ପ ପେସାଦାରଙ୍କ ଆବେଦନ ଓ ସକ୍ରିୟ ଅଂଶଗ୍ରହଣ ସହିତ ଏହି ପଦକ୍ଷେପ ଭାରତର ଅଭିନବ ଭାବନାକୁ ପ୍ରଦର୍ଶିତ କରୁଛି । 

ଭବିଷ୍ୟତର ମାର୍ଗ: ଭାରତକୁ ବିଶ୍ୱ ସ୍ତରରେ ଉପସ୍ଥାପନ କରିବା 

ଆମେ ‘ଆଇଏଫଏଫଆଇ’ରେ ଆଠ ଦିନ ଧରି ଚଳଚ୍ଚିତ୍ର ଦୁନିଆର ଜାଜ୍ଜ୍ୱଲ୍ୟମାନ ମହୋତ୍ସବ ପାଳନ କରିବାକୁ ଯାଉଥିବା ଅବସରରେ, ଗୋଟିଏ ସ୍ପଷ୍ଟ ବାର୍ତ୍ତା ଦେବାକୁ ଚାହୁଁଛୁ: ଭାରତର ସୃଜନଶୀଳ ସ୍ରଷ୍ଟମାନେ ବିଶ୍ୱ ସୃଜନଶୀଳ ଅର୍ଥ ବ୍ୟବସ୍ଥାର ନେତୃତ୍ୱ ନେବା ପାଇଁ ପ୍ରସ୍ତୁତ ରହିଛନ୍ତି  । ନୀତିଗତ ସଂସ୍କାର, ଭିତ୍ତିଭୂମି ବିକାଶ ଏବଂ ଅଭିନବତା ପାଇଁ ପ୍ରୋତ୍ସାହନ ମାଧ୍ୟମରେ ଭାରତ ସରକାର ଏହି ଇକୋସିଷ୍ଟମକୁ ସମର୍ଥନ କରିବାକୁ ସମ୍ପୂର୍ଣ୍ଣ ପ୍ରତିଶ୍ରୁତିବଦ୍ଧ । ଆମର ନିର୍ମାତାମାନଙ୍କ ପାଇଁ, କାମ କରିବାର ଆହ୍ୱାନ ସରଳ, କିନ୍ତୁ ଅତ୍ୟନ୍ତ ଗହନ । ୫- ଜି, ଭର୍ଚୁଆଲ୍‌ ପ୍ରଯୋଜନା ଏବଂ କୃତ୍ରିମ ବୁଦ୍ଧିମତ୍ତା ପରି ଅତ୍ୟାଧୁନିକ ଜ୍ଞାନକୌଶଳକୁ ଗ୍ରହଣ କରିବା ଜରୁରି । ଭୌଗୋଳିକ ବାଧା ଦୂର କରୁଥିବା ମଞ୍ଚର ଲାଭ ଉଠାଇବା ସହିତ ଭାରତର ଅଭିନବ ପରିଚୟକୁ ବିଶ୍ୱସ୍ତରରେ ପ୍ରତିଫଳିତ କରୁଥିବା କାହାଣୀ କହିବାର ଆବଶ୍ୟକତା ରହିଛି । ନବସୃଜନ, ସହଯୋଗ ଏବଂ ନିରବଚ୍ଛିନ୍ନ ଭାବେ ସୃଷ୍ଟି କରୁଥିବା ସ୍ରଷ୍ଟାମାନଙ୍କର ଭବିଷ୍ୟତ ଉଜ୍ଜ୍ୱଳ । ଆସନ୍ତୁ ଭାରତର ସୃଜନଶୀଳ ଅର୍ଥ ବ୍ୟବସ୍ଥାରେ ପ୍ରେରଣାର ପ୍ରତୀକ ସାଜିବା, ଆର୍ଥିକ ବିକାଶ, ସାଂସ୍କୃତିକ କୂଟନୀତି ଓ ବିଶ୍ୱସ୍ତରୀୟ ନେତୃତ୍ୱକୁ ଆଗକୁ ବଢ଼ାଇବା । ସମସ୍ତେ ମିଶି, ପ୍ରତ୍ୟେକ ଭାରତୀୟ ସ୍ରଷ୍ଟାଙ୍କୁ ଜଣେ ଜଣେ ବିଶ୍ୱସ୍ତରୀୟ କଥାକାରରେ ପରିଣତ କରିବା, ଯାହା ଫଳରେ ଭବିଷ୍ୟତକୁ ଆକାର ଦେଉଥିବା କାହାଣୀଗୁଡ଼ିକ ପାଇଁ ସାରା ଦୁନିଆ ଭାରତ ଆଡ଼କୁ ଚାହିଁବ । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.