ନୂଆଦିଲ୍ଲୀ, ୨୪/୦୭: ମନ୍ଦିରକୁ ନେଇ ଘମାଘୋଟ ଲଢ଼େଇ । ଆରମ୍ଭ ହେଲା ଆଉ ଏକ ମହାଯୁଦ୍ଧ । ଆକାଶରେ ଘନଘନ ଉଡ଼ିଲା ଡ୍ରୋନ୍ । କାମ୍ବୋଡିଆ ଉପରେ ଥାଇଲାଣ୍ଡର ଏୟାର ଷ୍ଟ୍ରାଇକ୍ । ଗଲାଣି ୯ ଜୀବନ, ଆହୁରି ମୃତ୍ୟୁ ଆଶଙ୍କା । ବିଶ୍ବରେ ଏବେ ଯୁଦ୍ଧ ନିଆଁର ଜଳୁଛି । ଆକାଶରୁ ପାଣି ବଦଳରେ ବାରୁଦ ବର୍ଷା ହେଉଛି । ୟୁରୋପରେ ଋଷ୍-ୟୁକ୍ରେନ୍ ଏବଂ ମଧ୍ୟପ୍ରାଚ୍ୟରେ ପାଲେଷ୍ଟାଇନ୍-ଇସ୍ରାଏଲ୍ ମଧ୍ୟରେ ନରସଂହାର ଜାରି ରହିଥିବା ବେଳେ ଏବେ ଦକ୍ଷିଣ-ପୂର୍ବ ଏସିଆରେ ଆଉ ଏକ ମହାଯୁଦ୍ଧର ବହ୍ନି କୁହୁଲାଣି । ଯୁଦ୍ଧର ନିଆଁକୁ ଡେଇଁ ସାରିଲେଣି ଦୁଇ ପଡ଼ୋଶୀ ଦେଶ । ବ୍ୟାଟେଲ୍ ଗ୍ରାଉଣ୍ଡରେ ଆରମ୍ଭ ହୋଇଗଲାଣି ଲଢ଼େଇ । ଏ ଲଢ଼େଇ କିନ୍ତୁ କୌଣସି ଆତଙ୍କବାଦକୁ ନେଇ ନୁହେଁ ବରଂ ସାମାନ୍ୟ ସୀମାକୁ ଉପୁଜିଛି ବିବାଦ । ପ୍ରାଚୀନ ମନ୍ଦିରକୁ ନେଇ ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ଟଣାଓଟରା ଏବଂ ରକ୍ତପାତ ହୋଇଛି । ବିବାଦୀୟ ସୀମାରେ ଦୁଇ ଦେଶ ମୁହାଁମୁହିଁ ହୋଇଛନ୍ତି । ରକେଟ୍ ମାଡ଼ରେ ୯ଜଣ ପ୍ରାଣ ହରାଇଥିବା ବେଳେ ୧୪ଜଣ ଆହତ ହୋଇଛନ୍ତି ।
ଗୁରୁବାର ସକାଳୁ ଥାଇଲାଣ୍ଡ- କାମ୍ବୋଡ଼ିଆ ମଧ୍ୟରେ ସଂଘର୍ଷ ଆରମ୍ଭ ହୋଇଛି । ଉଭୟ ଦେଶର ଧାର୍ମିକ ଭାବନା ସହିତ ଜଡ଼ିତ ‘ଥା ମୋଆମନ୍ ଥମ୍’ ମନ୍ଦିର । UNESCO ହେରିଟେଜ୍ ସାଇଟ୍ ଅଧୀନରେ ଥିବା ଏହି ମନ୍ଦିରକୁ ଦୁଇ ଦେଶ ନିଜର ବୋଲି କହିଆସୁଛନ୍ତି । ଆଉ ବିବାଦ ଏହିଠୁ ଆରମ୍ଭ ସଂଘର୍ଷ ଏବଂ ଗୁଳିମାଡ଼ । ସକାଳ ସାଢ଼େ ୭ଟାରେ କାମ୍ବୋଡିଆ ସେନା ମନ୍ଦିର ଉପରେ ଡ୍ରୋନ୍ ଉଡ଼ାଇଥିଲା । ଏହାର କିଛି ସମୟରେ ପରେ ୬ଜଣ ସଶସ୍ତ୍ର ଯବାନ ସୀମାରେ ଅନୁପ୍ରବେଶ କରିବାକୁ ଚେଷ୍ଟ କରିଥିଲେ । ସେହିପରି ସକାଳ ୮ଟା ୨୦ରେ କାମ୍ବୋଡିଆ ସେନା ଅଚାନକ ଥାଇ ମିଲିଟାରୀ ବେସ ଉପରେ ଗୁଳିମାଡ଼ କରିଥିଲା । ଏହାର ଏକ ଘଣ୍ଟା ପରେ କାମ୍ବୋଡ଼ିଆ BM-21 ରକେଟ୍ ଲଞ୍ଚରରେ ଥାଇଲାଣ୍ଡର ସିସୋକୋତା ପ୍ରାନ୍ତରେ ଥିବା ଏକ ମନ୍ଦିରକୁ ଟାର୍ଗେଟ୍ କରିଥିଲା । ଏହା ୧୫ ମିନିଟ୍ ପରେ ଅର୍ଥାତ୍ ୯.୫୫ ମିନିଟରେ ସୁରିନ୍ ପ୍ରାନ୍ତରେ ରକେଟ୍ ହମଲା ହୋଇଥିଲା । ମାତ୍ର ଦ୍ବିପ୍ରହର ସମୟରେ ଏହାର ଦୃଢ଼ ଜବାବ ଦେଇଥିଲା ଥାଇ ବାୟୁସେନା । ୬ଟି F-16 ଯୁଦ୍ଧ ବିମାନ ଉଡ଼ାଇ କମ୍ବୋଡ଼ିଆ ସୀମାରେ ପ୍ରବେଶ କରି ଦୁଇଟି ସୈନ୍ୟ ଠିକଣା ଧ୍ବଂସ କରିଦେଇଥିଲା । ଏହି ସଂଘର୍ଷରେ ୯ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୧୪ଜଣ ଆହତ ହୋଇଛନ୍ତି ।
ଥାଇଲାଣ୍ଡ-କାମ୍ବୋଡିଆ ବିବାଦ ନୂଆ ନୁହେଁ । ୮୦୦ ବର୍ଷ ପ୍ରାଚୀନ ଶିବ ମନ୍ଦିର ପ୍ରୀହ ବିହାରକୁ ନେଇ ଦୁଇ ଦେଶ ମଧ୍ୟରେ ଏହି ଉତ୍ତେଜନା ଦଶନ୍ଧି ଧରି ଚାଲିଛି । ୧୯୬୨ରେ, ଇଣ୍ଟର ନ୍ୟାସନାଲ କୋର୍ଟ ଅଫ୍ ଜଷ୍ଟିସ୍ ଏହି ମନ୍ଦିରକୁ କାମ୍ବୋଡିଆର ଅଂଶ ଭାବରେ ଘୋଷଣା କରିଥିଲେ, କିନ୍ତୁ ଥାଇଲାଣ୍ଡର କିଛି ଜାତୀୟତାବାଦୀ ଗୋଷ୍ଠୀ ଏହାକୁ ଏବେ ବି ଚ୍ୟାଲେଞ୍ଜ କରୁଛନ୍ତି । ମନ୍ଦିରର କେବଳ ଐତିହାସିକ ଗୁରୁତ୍ୱ ନାହିଁ, ବରଂ ଏହା କାମ୍ବୋଡିଆର ଜାତୀୟତାବାଦ ଏବଂ ଧାର୍ମିକ ଭାବନା ସହିତ ମଧ୍ୟ ଜଡିତ । ଏହି ଅଞ୍ଚଳରେ ବାରମ୍ବାର ସାମରିକ ସଂଘର୍ଷ ଘଟିଛି । ପୂର୍ବରୁ, ୨୦୦୮, ୨୦୧୧ ଏବଂ ଏବେ ୨୦୨୫ ମସିହାରେ ପୁଣି ଥରେ ଯୁଦ୍ଧ ହୋଇଥିଲା।