ପ୍ରମୂଖ ଖବର
  • ଝାଡ଼ଖଣ୍ଡରେ ଏନ୍‌କାଉଣ୍ଟର, ସୁରକ୍ଷାବାହିନୀ ଗୁଳିରେ ଟଳିଲେ ୩ ନକ୍ସଲ, ସର୍ଚ୍ଚ ଅପରେସନ୍ ଜାରି
  • ||
  • ଡେପୁଟି ରେଞ୍ଜର ରାମଚନ୍ଦ୍ର ନେପାକ ଗିରଫ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • ଦିଲ୍ଲୀରୁ ଫେରିବା ପରେ ମନମୋହନଙ୍କ ବଡ଼ ବୟାନ: 'ଖୁବଶୀଘ୍ର ବିଜେପିର ନୂଆ ସାଂଗଠନିକ କମିଟି'
  • ||
  • ଖୁବ୍‌ଶୀଘ୍ର ଏସ୍‌ସିବିରୁ ଡିସ୍‌ଚାର୍ଜ ହେବେ ଜ୍ୟୋତିପ୍ରକାଶ, ସୋମବାର ଡାକ୍ତରୀ ଟିମର ଜରୁରି ବୈଠକ
  • ||
  • ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର, ଅଗଷ୍ଟ ୧ରୁ ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ
  • ||
  • ଦିଲ୍ଲୀ ଏମ୍‌ସରେ ମୁହଁ ଖୋଲିଲେ ବଳଙ୍ଗା ପୀଡ଼ିତା: ବଖାଣିଲେ ସାଂଘାତିକ ସତ, ମାଜିଷ୍ଟ୍ରେଟ୍‌, ଡାକ୍ତରଙ୍କ ସାମ୍ନାରେ ବୟାନ ରେକର୍ଡ
  • ||
  • ଶନିବାର କଟକରେ ସରକାରୀ ଛୁଟି ବାତିଲ୍‌, ବର୍ଷା ଓ ଜଳବନ୍ଦୀ ପାଇଁ ସତର୍କତା
  • ||
  • ମନ୍ତ୍ରିମଣ୍ଡଳ ଅଦଳବଦଳ ଖୁବ୍‌ଶୀଘ୍ର; ବାଦ୍‌ ପଡ଼ିବେ ସବୁ ଅପାରଗ, ମନ୍ତ୍ରୀଙ୍କ ରିପୋର୍ଟ କାର୍ଡ ମାଗିଲେ ମୁଖ୍ୟମନ୍ତ୍ରୀ
  • ||
  • ବଳ ଗୋଟାଉଛି ଅବପାତ: ଆଜି ପ୍ରବଳ ବର୍ଷା ଆଶଙ୍କା, ବିଭିନ୍ନ ଜିଲ୍ଲାକୁ ଏସ୍‌ଆରସିଙ୍କ ସତର୍କତା
  • ||

ଇସ୍ରାଏଲକୁ ବଡ଼ ଝଟକା ଦେଲା ଫ୍ରାନ୍ସ, ପାଲେଷ୍ଟାନୀୟଙ୍କୁ ଦେଶ ଭାବେ ମାନ୍ୟତା ଦେବାକୁ ଘୋଷଣା କଲେ ମାକ୍ରନ୍

Published By : Ankita S | July 25, 2025 9:30 AM

ନୂଆଦିଲ୍ଲୀ,୨୫/୦୭: ଇତିହାସରେ ଇସ୍ରାଏଲକୁ ସବୁଠୁ ବଡ଼ ଝଟକା ଦେଇଛି ଫ୍ରାନ୍ସ । ରାଷ୍ଟ୍ରପତି ଇମାନୁଏଲ ମାକ୍ରନ୍‌ ଏକ ବଡ଼ ଘୋଷଣା କରି କହିଛନ୍ତି, ଏବେ ଫ୍ରାନ୍ସ ପାଲେଷ୍ଟାନୀୟଙ୍କୁ ଏକ ରାଷ୍ଟ୍ରଭାବେ ମାନ୍ୟତା ଦେବ । ଏହା ସହିତ ଗାଜାରେ ଯୁଦ୍ଧ ରୋକିବା ଓ ସାଧାରଣ ଲୋକଙ୍କୁ ସୁରକ୍ଷା ଦେବା ଜରୁରୀ ବୋଲି କହିଛନ୍ତି । ମାକ୍ରନଙ୍କ ଏହି ଘୋଷଣାକୁ ନିନ୍ଦା କରିଛି ଇସ୍ରାଏଲ୍ । ମାକ୍ରନ୍‌ଙ୍କ ଏହି ନିଷ୍ପତ୍ତିକୁ ଇସ୍ରାଏଲ ବିରୋଧରେ ତାଙ୍କ ଦୃଷ୍ଟିକୋଣରେ ଏକ ବଡ଼ ପରିବର୍ତ୍ତନ ଭାବେ ଦେଖାଯାଉଛି । ପାଲେଷ୍ଟାଇନକୁ ମାନ୍ୟତା ଦେବାରେ ଫ୍ରାନ୍ସ ପ୍ରଥମ ଜି-୭ ଦେଶ ହେବ ।

'ପାଲେଷ୍ଟାଇନ ରାଜ୍ୟକୁ ସ୍ୱୀକୃତି ଦେବ ଫ୍ରାନ୍ସ' : ଏକ ବଡ଼ କୂଟନୈତିକ ପଦକ୍ଷେପ ନେଇ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍‌ ଏକ ଘୋଷଣା କରିଛନ୍ତି । ସେ କହିଛନ୍ତି, ଫ୍ରାନ୍ସ ପାଲେଷ୍ଟାଇନୀୟଙ୍କୁ ସ୍ୱୀକୃତି ହେବ । ସେପ୍ଟେମ୍ବରରେ ହେବାକୁ ଥିବା ଜାତିସଂଘ ସାଧାରଣ ପରିଷଦ ପୂର୍ବରୁ ଏହି ଘୋଷଣା ହେବା ଇସ୍ରାଏଲକୁ ଝଟକା ଦେଇଛି । ସୋସିଆଲ ମିଡ଼ିଆ ଏକ୍ସରେ ମାକ୍ରନ କହିଛନ୍ତି," ଗାଜାରେ ଯୁଦ୍ଧ ବନ୍ଦ କରିବା ଓ ସାଧାରଣ ଲୋକଙ୍କୁ ଉଦ୍ଧାର କରିବା ଅତି ଜରୁରୀ ହୋଇପଡିଛି। ପାଲେଷ୍ଟାନୀୟ କର୍ତ୍ତୃପକ୍ଷ ରାଷ୍ଟ୍ରପତି ମହମୁଦ ଆବାସଙ୍କୁ ଲେଖିଥିବା ଏକ ଚିଠିରେ, ମାକ୍ରନ୍ ଫ୍ରାନ୍ସର ନିଷ୍ପତ୍ତିକୁ ନିଶ୍ଚିତ କରିଛନ୍ତି । ଏହାକୁ ମଧ୍ୟପ୍ରାଚ୍ୟରେ ଶାନ୍ତି ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି କହିଛନ୍ତି । ଏହାର କୌଣସି ବିକଳ୍ପ ନାହିଁ ବୋଲି ସେ ଲେଖିଛନ୍ତି ।

ସେ ତୁରନ୍ତ ଯୁଦ୍ଧବିରତି, ସମସ୍ତ ଇସ୍ରାଏଲୀ ବନ୍ଧକଙ୍କ ମୁକ୍ତି, ଗାଜା ପାଇଁ ମାନବିକ ସହାୟତା, ହମାସର ନିରସ୍ତ୍ରୀକରଣ ଏବଂ ଏକ ପାଲେଷ୍ଟାନୀୟ ରାଷ୍ଟ୍ର ପାଇଁ ଦୀର୍ଘକାଳୀନ ବିକାଶତୁ ଫ୍ରାନ୍ସର ସମର୍ଥନକୁ  ମଧ୍ୟ ଦୋହରାଇଛନ୍ତି ।

କ'ଣ କହିଲେ ନେତ୍ୟାନ୍ୟୁହ ? ମାକ୍ରନଙ୍କ ଏହି ନିଷ୍ପତ୍ତିକୁ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁ ନିନ୍ଦା କରିଛନ୍ତି । ସେ କହିଛନ୍ତି, ଏହି ପଦକ୍ଷେପ ଆତଙ୍କୀଙ୍କୁ ପ୍ରୋତ୍ସାହନ ହେବା ସହ ସମାନ । ଇରାନ୍‌ର ଆଉ ଏକ ସହଯୋଗୀ ସୃଷ୍ଟି କରିପାରେ ଯେମିତି ଗାଜା ହୋଇଥିଲା । ଏପରି ସ୍ଥିତିରେ ଏକ ପାଲେଷ୍ଟାନୀୟ ରାଷ୍ଟ୍ର ଇସ୍ରାଏଲକୁ ଶେଷ କରିବାକୁ ଏକ ଲଞ୍ଚ ପ୍ୟାଡ଼ ହୋଇଯିବ । 

ହମାସ କଲା ସ୍ୱାଗତ- ହମାସ ଫ୍ରାନ୍ସ ରାଷ୍ଟ୍ରପତି ମାକ୍ରୋନଙ୍କ ଘୋଷଣାକୁ ସ୍ୱାଗତ କରି ଏହାକୁ ପାଲେଷ୍ଟାନୀୟ ଲୋକଙ୍କ ପାଇଁ ନ୍ୟାୟ ଏବଂ ସେମାନଙ୍କର ବୈଧ ଅଧିକାରକୁ ସମର୍ଥନ କରିବା ଦିଗରେ ଏକ ସକାରାତ୍ମକ ପଦକ୍ଷେପ ବୋଲି କହିଛି। ଏକ ବିବୃତ୍ତିରେ, ହମାସ ଗୋଷ୍ଠୀ ସମସ୍ତ ଦେଶ, ବିଶେଷକରି ୟୁରୋପୀୟ ରାଷ୍ଟ୍ର ଏବଂ ଯେଉଁମାନେ ଏପର୍ଯ୍ୟନ୍ତ ପାଲେଷ୍ଟାଇନକୁ ମାନ୍ୟତା ଦେଇନାହାଁନ୍ତି, ସେମାନଙ୍କୁ ଫ୍ରାନ୍ସର ଉଦାହରଣ ଅନୁସରଣ କରିବାକୁ  କହିଛି। "ଆମେ ଏହାକୁ ଆମର ନିର୍ଯାତିତ ପାଲେଷ୍ଟାନୀୟ ଲୋକଙ୍କ ପ୍ରତି ନ୍ୟାୟ ପ୍ରଦାନ କରିବା ଏବଂ ସେମାନଙ୍କର  ଅଧିକାରକୁ ସମର୍ଥନ କରିବା ଦିଗରେ ସଠିକ ଦିଗରେ ଏକ ସକାରାତ୍ମକ ପଦକ୍ଷେପ ବୋଲି ବିବେଚନା କରୁଛୁ ।''

ଏପର୍ଯ୍ୟନ୍ତ କେତେ ଦେଶ ପାଲେଷ୍ଟାଇନକୁ ମାନ୍ୟତା ଦେଇଛନ୍ତି ? ୧୯୮୮, ୧୫ ନଭେମ୍ବରରେ ପିଏଲଓ ଅଧ୍ୟକ୍ଷ ୟାସେର ଆରାଫାତ ପାଲେଷ୍ଟାଇନକୁ ଏକ ସ୍ୱାଧୀନ ରାଷ୍ଟ୍ର ଘୋଷଣା କରିଥିଲେ । ଜେରୁଜେଲମକୁ ଏହାର ରାଜଧାନୀ ଭାବରେ ନାମିତ କରିଥିଲେ । ଏହା ପରେ ଆଫ୍ରିକା, ଏସିଆ, ଲାଟିନ୍ ଆମେରିକା ଏବଂ ଆରବ ବିଶ୍ୱର ଅଞ୍ଚଳ ସମେତ ୮୦ ରୁ ଅଧିକ ରାଷ୍ଟ୍ର ସ୍ୱୀକୃତି ପ୍ରଦାନ କରିଥିଲେ । ୧୯୮୦ ଦଶକର ଶେଷ ଭାଗ ଏବଂ ୧୯୯୦ ଦଶକର ପ୍ରାରମ୍ଭରୁ, ପ୍ରାୟ ୨୦ଟି ଅତିରିକ୍ତ ଦେଶ ଏହା ଅନୁସରଣ କରିଥିଲେ । ୨୦୦୦ ରୁ ୨୦୧୦ ମଧ୍ୟରେ ଆହୁରି ୧୨ ଟି ଦେଶ ଯୋଗ ଦେଇଥିଲେ । ଅଧିକାଂଶ ଆଫ୍ରିକା ଏବଂ ଦକ୍ଷିଣ ଆମେରିକାରୁ ଥିଲେ । ୨୦୧୧ ସୁଦ୍ଧା, ଇରିଟ୍ରିଆ ଏବଂ କାମେରୁନ ବାଦ ଦେଇ ସମସ୍ତ ଆଫ୍ରିକୀୟ ରାଷ୍ଟ୍ର ପାଲେଷ୍ଟାଇନକୁ ରାଷ୍ଟ୍ର ମାନ୍ୟତା ଦେଇଥିଲେ। ପ୍ରାୟ ୧୪୬ ଦେଶ ପାଲେଷ୍ଟାନୀୟଙ୍କୁ ମାନ୍ୟତା ଦେଇଛନ୍ତି ।

କ'ଣ ପୁରା ମାମଲା ? ୨୦୨୩, ଅକ୍ଟୋବର ୭ରେ ହମାସ ଇସ୍ରାଏଲରେ ପ୍ରବେଶ କରି ନରସଂହାର କରିଥିଲା । ଏଥିରେ ହଜାରରୁ ଅଧିକ ଇସ୍ରାଏଲୀ ନାଗରିକଙ୍କୁ ନିର୍ମମ ଭାବରେ ହତ୍ୟା କରାଯାଇଥିଲା । ଏହା ପରେ ଇସ୍ରାଏଲ ଗାଜାରେ ହମାସକୁ ନିପାତ କରିବା ପାଇଁ ଏକ ଅଭିଯାନ ଆରମ୍ଭ କରିଥିଲା, ଯାହା ଏପର୍ଯ୍ୟନ୍ତ ଜାରି ରହିଛି । ହମାସ ପରିଚାଳିତ ସ୍ୱାସ୍ଥ୍ୟ ବିଭାଗ ଅନୁଯାୟୀ, ଇସ୍ରାଏଲୀ ଆକ୍ରମଣରେ ଗାଜାରେ ୫୦ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.