ନୂଆଦିଲ୍ଲୀ, ୨୫।୭: ପିଲା ଜନ୍ମ କର ଲକ୍ଷେ ଟଙ୍କା ପାଅ । କମ୍ ବୟସର ଝିଅମାନଙ୍କୁ ସନ୍ତାନ ଜନ୍ମ କରିବାକୁ ଏଭଳି ଉତ୍ସାହିତ କରାଯାଉଛି । ସରକାରଙ୍କ ତରଫରୁ ଆରମ୍ଭ ହୋଇଛି ଏହି ଯୋଜନା । ଏହି ଯୋଜନାରେ ନାବାଳିକାଙ୍କୁ ସାମିଲ କରାଯାଇଛି । ଝିଅମାନଙ୍କୁ କମ୍ ବୟସରେ ମା’ ହେବାକୁ କୁହାଯାଉଛି । ତେବେ ଏହା ଭାରତରେ ନୁହଁ, ଏହି ଦେଶଟି କେଉଁଟି ? ଏହି ଦେଶର ରାଷ୍ଟ୍ରପତି କାହିଁକି ଏଭଳି ଯୋଜନା କରିଛନ୍ତି ? ଆସନ୍ତୁ ଜାଣିବା । ରୁଷିଆରେ ଜନସଂଖ୍ୟା ହ୍ରାସ ଚିନ୍ତାର କାରଣ ପାଲଟିଛି । ତେଣୁ ଗର୍ଭବତୀ ହେଲେ ସ୍କୁଲ, କଲେଜ ଛାତ୍ରୀମାନେ ୧ ଲକ୍ଷ ଟଙ୍କା ପାଇବେ ବୋଲି ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସରକାର ଘୋଷଣା କରିଛନ୍ତି । ସନ୍ତାନ ଜନ୍ମ କରିବା ପାଇଁ ଯୁବତୀମାନଙ୍କୁ ନଗଦ ବୋନସ୍ ମିଳୁଛି । ଦେଶରେ କ୍ରମାଗତ ହ୍ରାସ ପାଉଥିବା ଜନ୍ମହାର, ୟୁକ୍ରେନ ଯୁଦ୍ଧରେ ହଜାର ହଜାର ଯୁବକଙ୍କ ମୃତ୍ୟୁ ଏହି ସଙ୍କଟକୁ ଆହୁରି ଗମ୍ଭୀର କରୁଛି । ଜନସଂଖ୍ୟାର ହ୍ରାସ ଗତିକୁ ରୋକିବା ପାଇଁ, ଋଷିଆ ସରକାର ନେଇଥିବା ପଦକ୍ଷେପକୁ ନେଇ ସାରା ବିଶ୍ୱରେ ଆଲୋଚନା ହେଉଛି । ସମ୍ବାଦ ସରବରାହ ସଂସ୍ଥା ପିଟିଆଇ ଅନୁଯାୟୀ, ସରକାର ସେମାନଙ୍କୁ ସନ୍ତାନ ଜନ୍ମ କରିବା ଏବଂ ଲାଳନପାଳନ କରିବା ପାଇଁ ପ୍ରାୟ ୧ ଲକ୍ଷ ଟଙ୍କାର ଅନୁଦାନ ଦେଉଛନ୍ତି ।
ମାର୍ଚ୍ଚ ୨୦୨୫ରେ ରୁଷର ୧୦ଟି ସ୍ଥାନରେ ଏହି ଯୋଜନା ଆରମ୍ଭ ହୋଇଛି । ଏହାର ଉଦ୍ଦେଶ୍ୟ ହେଉଛି ଦେଶରେ ଜନସଂଖ୍ୟା ହ୍ରାସ ଏବଂ ବୟସ ବୃଦ୍ଧି ସମସ୍ୟାକୁ ଦୂର କରିବା । ପୂର୍ବରୁ ଏହି ଯୋଜନା କେବଳ ୧୮ ବର୍ଷରୁ ଅଧିକ ବୟସର ମହିଳାମାନଙ୍କ ପାଇଁ ଥିଲା, କିନ୍ତୁ ବର୍ତ୍ତମାନ ନାବାଳିକାମାନଙ୍କୁ ମଧ୍ୟ ଏଥିରେ ସାମିଲ କରାଯାଇଛି, ସେମାନଙ୍କୁ ସନ୍ତାନ ଜନ୍ମ କରିବାକୁ ଉତ୍ସାହିତ କରାଯାଉଛି । ଏବେ ରୁଷିଆର କିଛି ଅଞ୍ଚଳରେ ସ୍କୁଲ ଏବଂ କଲେଜ ଛାତ୍ରୀମାନେ ଗର୍ଭବତୀ ହେଲେ ସେମାନଙ୍କୁ ସିଧାସଳଖ ନଗଦ ବୋନସ୍ ଦିଆଯାଉଛି । ରୁଷ ସରକାରଙ୍କ ଏହି ଯୋଜନାକୁ 'ପ୍ରୋନାଟାଲିଷ୍ଟ ନୀତି' କୁହାଯାଏ । କେମେରୋଭୋ, କାରେଲିଆ, ଟୋମସ୍କ ଭଳି ଅଞ୍ଚଳରେ ଯଦି ଜଣେ ଛାତ୍ରୀ ଅତି କମ୍ରେ ୨୨ ସପ୍ତାହର ଗର୍ଭବତୀ ଏବଂ ସରକାରୀ ପ୍ରସୂତି କ୍ଲିନିକରେ ପଞ୍ଜିକୃତ ହୋଇଛନ୍ତି, ତେବେ ତାଙ୍କୁ ୧ ଲକ୍ଷ ଟଙ୍କାର ଏକକାଳୀନ ନଗଦ ପ୍ରୋତ୍ସାହନ ଦିଆଯାଉଛି । ଯେତେ ଶୀଘ୍ର ସନ୍ତାନ ଜନ୍ମ ଦେବେ, ସେତେ ଭଲ ବୋଲି ସରକାର କହିଛନ୍ତି । ଯୁବତୀ ଏବଂ ମହିଳାମାନଙ୍କୁ ଅଧିକ ସନ୍ତାନ ଜନ୍ମ କରିବାକୁ ଉତ୍ସାହିତ କରିବା ଏହି ଯୋଜନାର ମୂଳ ଉଦ୍ଦେଶ୍ୟ । ବର୍ତ୍ତମାନ, ଜନସଂଖ୍ୟା ଦୃଷ୍ଟିରୁ ରୁଷ ବିଶ୍ୱର ନବମ ବୃହତ୍ତମ ଦେଶ । କିନ୍ତୁ ସେଠାରେ ଦିନକୁ ଦିନ ଜନସଂଖ୍ୟା ହ୍ରାସର ଆଶଙ୍କା ବୃଦ୍ଧି ପାଉଛି । ତେଣୁ ଝିଅମାନଙ୍କୁ କମ୍ ବୟସରେ ମା’ ହେବାକୁ ବାଧ୍ୟ କରୁଛି । ରୁଷରେ, ସ୍କୁଲ ଯାଉଥିବା ଝିଅମାନଙ୍କୁ ପିଲା ଜନ୍ମ କରିବା ପାଇଁ ଟଙ୍କା ଦେବା ଏକ ବିବାଦୀୟ ନିଷ୍ପତ୍ତି ଭାବେ ଉଭା ହୋଇଛି ।
ରୁଷରେ ହୋଇଥିବା ଏକ ସର୍ଭେ ଅନୁଯାୟୀ, ୪୩% ଲୋକ ଏହି ନୀତି ସପକ୍ଷରେ ଥିବାବେଳେ ୪୦% ଏହାକୁ ବିରୋଧ କରୁଛନ୍ତି । ତଥାପି, ଏହା ସ୍ପଷ୍ଟ ଯେ ପିଲା ଜନ୍ମକୁ ରୁଷ ସରକାର ନିଜର ସବୁଠାରୁ ବଡ଼ ପ୍ରାଥମିକତା ମଧ୍ୟରୁ ଗୋଟିଏ ବୋଲି ବିବେଚନା କରନ୍ତି । ଏକ ବୃହତ୍ ଜନସଂଖ୍ୟା ଦେଶକୁ ଏକ ବୃହତ୍ ସେନା ଗଠନ କରିବାରେ ସାହାଯ୍ୟ କରେ ବୋଲି ପୁଟିନ କହିଛନ୍ତି । କହିରଖୁ କି, ଏ ପର୍ଯ୍ୟନ୍ତ ରୁଷ-ୟୁକ୍ରେନ ଯୁଦ୍ଧରେ ପ୍ରାୟ ଅଢ଼େଇ ଲକ୍ଷ ରୁଷ ସୈନିକ ନିହତ ହୋଇଛନ୍ତି । ଏହା ବ୍ୟତୀତ ଯୁଦ୍ଧ ଯୋଗୁଁ ରୁଷର ଲକ୍ଷ ଲକ୍ଷ ଲୋକ ଦେଶ ଛାଡ଼ି ପଳାଇଛନ୍ତି । ଯାହା ଫଳରେ ଋଷରେ ଜନସଂଖ୍ୟା ହ୍ରାସ ପାଇଛି । ରୁଷ ସଂସଦ ୨୦୨୪ ମସିହାରେ ଏକ ଆଇନ ପାସ୍ କରିଛି, ଯାହାର ଲକ୍ଷ୍ୟ ଲୋକମାନଙ୍କୁ ସନ୍ତାନ ନ ପାଇବାର ଧାରଣାକୁ ପ୍ରୋତ୍ସାହିତ କରିବାରୁ ରୋକିବା । ଏହି ଆଇନ ଅନୁଯାୟୀ, ଏବେ କୌଣସି ସଂଗଠନ କିମ୍ବା ବିଜ୍ଞାପନ ଏପରି ବାର୍ତ୍ତା ଦେଇପାରିବେ ନାହିଁ ଯାହା ଲୋକଙ୍କୁ ବିବାହ ଏବଂ ସନ୍ତାନ ଜନ୍ମ କରିବା ପରିବର୍ତ୍ତେ ଅବିବାହିତ ରହିବା କିମ୍ବା କେବଳ ଏକ କ୍ୟାରିଅର ଗଢ଼ିବାକୁ ପ୍ରେରଣା ଦିଏ । ସରକାରଙ୍କ କହିବାନୁସାରେ, ଏପରି ଚିନ୍ତାଧାରା ରୁଷର ଜନ୍ମହାରକୁ ଆହୁରି ହ୍ରାସ କରିପାରେ । ଏହି ଆଇନ ଅନୁଯାୟୀ, ରୁଷର ଘରୋଇ କ୍ଲିନିକଗୁଡ଼ିକରେ ଗର୍ଭପାତ ଉପରେ ମଧ୍ୟ କଠୋର କଟକଣା ଲାଗୁ କରାଯାଉଛି, ଯାହା ଫଳରେ ମହିଳାମାନେ ସହଜରେ ସନ୍ତାନର ଗର୍ଭପାତ କରିପାରିବେ ନାହିଁ । ଦେଶର ଜନସଂଖ୍ୟା ହ୍ରାସକୁ ରୋକିବା ପାଇଁ ମହିଳାମାନେ ବିବାହ କରନ୍ତୁ ପିଲା ଜନ୍ମ କରନ୍ତୁ ବୋଲି ରୁଷ ସରକାର ଚାହୁଁଛନ୍ତି ।