ମାଲକାନଗିରି, ୧୪/୧୧ : ମଣିଷ ଜୀବନ ପାଣି ଫୋଟକା, କାହାର କେତେବେଳେ କଣ ହେବ କିଏ ବି ଜାଣିପାରିବ ନାହିଁ,ମରଣ ବି ଏମିତି ଆସେ,ବଡ଼ ଓଷା ପୂଜା ପାଇଁ ମୁରୁଜ ପକାଉଥିବା ବେଳେ ହଠାତ ଜଣେ ଶିକ୍ଷୟତ୍ରୀ ଙ୍କ ଚାଲିଗଲା ଜୀବନ । ଏମିତି ଦୁଃଖ ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକସ୍ଥ କୁଡୁମୁଲୁଗୁମା ଠାରେ।
କୁଡୁମୁଲୁଗୁମ୍ମାସ୍ଥ ପଦିଆପାଲି ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଜୟନ୍ତୀ ବେହେରା ଆଜି ସକାଳେ କାର୍ତ୍ତିକ ପୂର୍ଣ୍ଣମୀ ବଡ଼ ଓଷା ପାଇଁ ଘର ଚଉଁରା ମୂଳରେ ମୁରୁଜ ପକାଉଥିଲେ । ହଠାତ ତାଙ୍କ ଛାତିରେ ଯନ୍ତ୍ରଣା ଆରମ୍ଭ ହୋଇଯାଇଥିଲା । ସେ ନିକଟରେ ଥିବା ପାଣି ବାଲ୍ଟି ଧରି ଘରଭିତରକୁ ଯିବାକୁ ଚେଷ୍ଟା କରୁଥିବା ବେଳେ ତଳେ ପଡିଯାଇଥିଲେ। ପାଖ ପଡୋଶୀ ଓ ଅନ୍ୟ ଶିକ୍ଷକ ମାନେ ତାଙ୍କୁ ସଙ୍ଗେ ସଙ୍ଗେ ନିକଟସ୍ଥ କୁଡୁମୁଲୁଗୁମା ସ୍ୱାସ୍ଥ୍ୟ କେନ୍ଦ୍ର କୁ ନେଇଯାଇଥିଲେ। ସେଠାରେ ପହଁଚିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଆଜି ଶିଶୁ ଦିବସ ଥିବାରୁ ଶ୍ରୀମତୀ ବେହେରା କାମ ସାରି ସ୍କୁଲ କୁ ଯିବା ପାଇଁ ବ୍ୟସ୍ତ ହେଉ ଥିଲେ। ସେପଟେ ବିଦ୍ୟାଳୟରେ ପ୍ରଧାନଶିକ୍ଷୟତ୍ରୀଙ୍କୁ ଚାହିଁ ବସିଥିଲେ ଛାତ୍ର ଛାତ୍ରୀ ହେଲେ ବିଦ୍ୟାଳୟ କୁ ଯିବା ବଦଳରେ ତାଙ୍କ ଶବ ଗଲା ମସାଣୀକୁ । ଏ ଦୁଃଖ ଖବର ଜାଣିବା ପରେ ପଦିଆପାଲି ବିଦ୍ୟାଳୟ ସହିତ କୁଡୁମୁଲୁଗୁମା ବ୍ଲକ ଶିକ୍ଷକ ସଂଘ ସହିତ ମାଲକାନଗିରି ଜିଲ୍ଲା ଶିକ୍ଷକ ସଂଘ ଓ ସମଗ୍ର ଶିକ୍ଷକ ଶିକ୍ଷୟତ୍ରୀ ଙ୍କ ମହଲ ରେ ଶୋକର ଛାୟା ଖେଳି ଯାଇଛି। ଅମର ଆତ୍ମାର ସଦ୍ଗତି ନିମନ୍ତେ ସମସ୍ତେ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।
ଶ୍ରୀମତୀ ବେହେରାଙ୍କ ସ୍ୱାମୀ ସନାତନ ଦାସ ମଧ୍ୟ ପୂର୍ବରୁ କୁଡୁମୁଲୁଗୁମା ବ୍ଲକ ରେ ଶିକ୍ଷକ ଥିଲେ। ସେ ଚାକରିରୁ ଅବସର ପରେ ନିଜ ଘର ଭଦ୍ରକ ଜିଲ୍ଲା ଷେଣ୍ଢତିରା ପଞ୍ଚାୟତ ସିଜୁଗଡିଆ ଗ୍ରାମକୁ ପଳାଇଥିଲେ। ମୃତ ଶିକ୍ଷୟତ୍ରୀ ଶ୍ରୀମତୀ ବେହେରାଙ୍କ ମର ଶରୀରକୁ ଅନ୍ୟ ଶିକ୍ଷକମାନେ ତାଙ୍କ ନିଜ ଘର ଭଦ୍ରକକୁ ସ୍ୱତନ୍ତ୍ର ଗାଡି ଯୋଗେ ନେଇଛନ୍ତି।