ବ୍ରହ୍ମପୁର,୧୪/୧୧ : ବ୍ରହ୍ମପୁରରେ ନକଲି ଡାକ୍ତରକୁ ଗିରଫ କରିଛି ଟାଉନ ଥାନା ପୁଲିସ । ଗିରଫ ଡାକ୍ତର ଜଣକ ହେଲେ ୱେଷ୍ଟବେଙ୍ଗଲ୍ ର ଡ଼ା. ଉତ୍ପଲ ବାଲା(utpal bala) । ସେ ସିଟି ହସ୍ପିଟାଲ ନିକଟରେ କ୍ଲିନିକ୍ କରିଥିଲେ । ଅଭିଯୋଗ ହେବା ପରେ ପୁଲିସ ଉକ୍ତ କ୍ଲିନିକରେ ପହଞ୍ଚି ଚଢ଼ଉ କରି ଉପରୋକ୍ତ ଡାକ୍ତରକୁ ଗିରଫ କରିଛି ।
ସେ ବ୍ରହ୍ମପୁର ରମ୍ପା ସାହିରେ ଘର ଭଡାରେ ରହୁଥିବାବେଳେ ମିତ୍ରା ସାହିରେ କ୍ଲିନିକ ଚଳାଉଥିଲା । ଅଷ୍ଟମ ଶ୍ରେଣୀ ଫେଲ ଥିବା ଉତ୍ପଲ ୪ ବର୍ଷ ପୂର୍ବେ ବିଶାଖାପାଟଣାର ଏକ ହୋଟେଲରେ ହୋଟେଲ ବୟ ଏବଂ ଖାଦ୍ୟ ପରଷିବା କର୍ମଚାରୀ ଭାବେ କାର୍ଯ୍ୟରତ ଥିଲେ । ୨୦୧୯ମସିହାରେ ବ୍ରହ୍ମପୁରକୁ ଆସି ରମ୍ପା ସାହିରେ ଘର ଭଡ଼ା ନେଇ ରହୁଛନ୍ତି । କ୍ରିଷ୍ଣା ପାଇଲସ କ୍ଲିନିକ, ସେକସୁଆଲ ହେଲଥ କ୍ଲିନିକ, ଗୁପ୍ତ ରୋଗ ଚିକିତ୍ସାଳୟ ବିଭିନ୍ନ ନାମରେ କ୍ଲିନିକ ବୋର୍ଡ ଲଗାଇ ଲୋକଙ୍କୁ ଚିକିତ୍ସା କରି ଠକୁଥିବା ନେଇ ଅଭିଯୋଗ ହୋଇଥିଲା । ଏପରିକି ଡା. ବି. ଉତ୍ପଲ, ବି. ଏ. ଏମ. ଏସ ଲେଖା ଥିବା ସାଇନିଂ ବୋର୍ଡ ଲଗାଇ ଡାକ୍ତର ପରିଚୟ ଦେଇ ଚିକିତ୍ସା କରୁଥୁଲେ ।
କୌଣସି ମେଡ଼ିକାଲ ଚିକିତ୍ସା ଯୋଗ୍ୟତା କି କୌଣସି ମେଡ଼ିକାଲ ପଞ୍ଜିକରଣ ନ ଥାଇ ବିନା ପଞ୍ଜିକରଣରେ ଚିକିତ୍ସା କରୁଥିଲେ । ସହରର ମଧ୍ୟ ଭାଗରେ ଲୋକଙ୍କୁ ଭୂୟାଁ ବୁଲେଇ ଏଭଳି କଳା କାରନାମାର ପସରା ମେଲାଇ ଗତ ୪ ବର୍ଷ ହେବ କାରବାର ଚଳାଇ ଆସୁଥିବା ପୁଲିସ ତଦନ୍ତରୁ ଜଣାପଡିଛି । ପୁଲିସ ଏ ନେଇ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଚଳାଇଥିବା ସୂଚନା ଦେଇଛନ୍ତି ବ୍ରହ୍ମପୁର ଏସପି ।