ଭୁବନେଶ୍ୱର, ୧୭/୦୫ : ରାଜ୍ୟରେ ମଣ୍ଡିରେ ରବି ଧାନ ବିକ୍ରି ଆରମ୍ଭ ହୋଇଯାଇଛି। ଗତବର୍ଷ ତୁଳନାରେ ଚଳିତବର୍ଷ ୨୨% ଅଧିକ ଚାଷୀ ଧାନ ବିକିବାକୁ ପଞ୍ଜିକରଣ କରିଛନ୍ତି। ତେଣୁ ଚଳିତ ବର୍ଷ ୨୦% ଅଧିକ ଧାନ ସଂଗ୍ରହ ସମ୍ଭାବନା ରହିଛି। ସେହି ଅନୁସାରେ ପ୍ରସ୍ତୁତ ହେବାକୁ ପଡ଼ିବ। ଅଧିକ ଧାନ ମହଜୁଦ ରଖିବା ପାଇଁ ଗୋଦାମ ପ୍ରସ୍ତୁତ କରିବାକୁ ପଡ଼ିବ ବୋଲି ଆନ୍ତଃ ମନ୍ତ୍ରୀସ୍ତରୀୟ ବୈଠକରେ ନିଷ୍ପତି ହୋଇଛି।
ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆନ୍ତଃ ମନ୍ତ୍ରୀସ୍ତରୀୟ ବୈଠକରେ ଚଳିତ ରବି ଋତୁରେ ୧୪ ଲକ୍ଷ ମେଟ୍ରିକ ଟନ ଧାନ ସଂଗ୍ରହ ଲକ୍ଷ୍ୟ ନେଇ ଆଲୋଚନା ହୋଇଥିଲା। ମାତ୍ର ଚାଷୀ ପଞ୍ଜିକରଣ ଅଧିକ ହୋଇଥିବାରୁ ଅଧିକ ଧାନ ସଂଗ୍ରହ ବାବଦରେ ମଧ୍ୟ ପ୍ରସ୍ତୁତ ହେବାକୁ ଜିଲ୍ଲାପାଳମାନଙ୍କୁ ଅବଗତ କରାଯାଇଛି। ଚଳିତ ରବି ଋତୁରେ ପୂର୍ବ ବର୍ଷ ତୁଳନାରେ ୩ଟି ଅଧିକ ଜିଲ୍ଲା ସାମିଲ କରାଯାଇଛି। ଭଦ୍ରକ, କନ୍ଧମାଳ ଓ ସୁନ୍ଦରଗଡ଼କୁ ସାମିଲ କରାଯାଇଥିବା ବେଳେ କନ୍ଧମାଳ ଓ ସୁନ୍ଦରଗଡ଼ ଜିଲ୍ଲାରେ ଚାଷୀ ପଞ୍ଜିକରଣ ସ୍ୱଳ୍ପ ରହିଛି। ଭଦ୍ରକ ଜିଲ୍ଳାରେ ଶତ ପ୍ରତିଶତ ସାଟେଲାଇଟ ମାଧ୍ୟମରେ ଚାଷ ହୋଇଥିବା ପ୍ଲଟ ଯାଞ୍ଚ କରିବାକୁ କୁହାଯାଇଛି। ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲାର ଚାଷୀ ପଞ୍ଜିକରଣ ଆବଶ୍ୟକତାଠୁ ଅଧିକ ଥିବାରୁ ଅନିୟମିତତା ରୋକିବା ପାଇଁ ସମସ୍ତ ପଦକ୍ଷେପ ନେବାକୁ ଜିଲ୍ଳାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। କଟନୀ, ଛଟନୀ ରୋକିବା ସହ ମଣ୍ଡିରେ ଚାଷୀଙ୍କ ପାଇଁ ପିଇବା ପାଣି, ଶୌଚାଳୟ ସମେତ ସବୁ ପ୍ରକାର ବ୍ୟବସ୍ଥା କରିବାକୁ ପରାମର୍ଶ ଦିଆଯାଇଛି। ମଣ୍ଡିରୁ ଧାନ ପରିବହନ ବେଳେ ଯାନରେ ଟ୍ରାକର ରହିବ ବୋଲି ଆନ୍ତଃ ମନ୍ତ୍ରୀସ୍ତରୀୟ ବୈଠକରେ ନିଷ୍ପତ୍ତି ହୋଇଛି। ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବାକୁ ରାଜ୍ୟ ସମବାୟ ସମିତି ସମୂହର ନିବନ୍ଧକ ସମସ୍ତ ଉପନିବନ୍ଧକଙ୍କୁ ଚିଠି ଲେଖିଛନ୍ତି।