ରାଉରକେଲା,୨୫/୬ : ରାଉରକେଲାସ୍ଥିତ ସୁରକ୍ଷା ଆଶ୍ରୟ କେନ୍ଦ୍ରରେ ଆଜି ଜଣେ ଅନ୍ତେବାସୀ ଫିନାଇଲ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଅନ୍ତେବାସୀ ଜଣଙ୍କ ଗଞ୍ଜାମ ଜିଲ୍ଲାର ଅଟନ୍ତି। ୪ ବର୍ଷ ପୂର୍ବେ ଏକ ହତ୍ୟା ମାମଲାରେ ସେ ଗିରଫ ହୋଇ ରାଉରକେଲାସ୍ଥିତ ସୁରକ୍ଷା ଆଶ୍ରୟ କେନ୍ଦ୍ରକୁ ଆସିଥିଲେ।
ଗତ ତିନି ମାସ ପୂର୍ବେ ତାଙ୍କ ଭଉଣୀଙ୍କ ବିବାହରେ ସେ ଯୋଗଦେଇ ପାରି ନ ଥିଲେ। ଦୀର୍ଘ ଦିନ ଧରି ସେ ସୁରକ୍ଷା ଆଶ୍ରୟ କେନ୍ଦ୍ରରେ ରହି ମାନସିକ ଅବସାଦର ଶିକାର ହୋଇଥିଲେ। ଆଜି ସକାଳେ ସୁରକ୍ଷା ଆଶ୍ରୟ କେନ୍ଦ୍ରରେ ସେ ରହୁଥିବା ଗୃହରେ ଫିନାଇଲ ପିଇ ଦେଇଥିଲେ। କେନ୍ଦ୍ରର କର୍ମଚାରୀ ତାଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାକୁ ଆଣିଥିଲେ। ସେଠାରେ ସେ ବର୍ତ୍ତମାନ ଚିକିତ୍ସାଧୀନ ଅଛନ୍ତି।