ବେଲବାହାଳୀ,୨୫/୦୬: ଟ୍ରକ୍କୁ ପଛପଟୁ ଧକ୍କା ଦେଲା ଯାତ୍ରୀବାହୀ ବସ୍ । ଡ୍ରାଇଭର ଗୁରୁତର ଭାବେ ଆହତ ହୋଇଥିବା ବେଳେ ଅଳ୍ପକେ ବର୍ତ୍ତିଯାଇଛନ୍ତି ଯାତ୍ରୀ । ଯାଜପୁର ରୋଡ ପଟୁ କେନ୍ଦୁଝରକୁ ଯିବା ରାସ୍ତାରେ ଏହି ଦୁର୍ଘଟଣା ଘଟିଛି ।
ସୂଚନା ମୁତାବକ, କେନ୍ଦୁଝର ଜିଲ୍ଲା ୨୦ନଂ ଜାତୀୟ ରାଜପଥ ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ହସନପୁର ଟୋଲଗେଟ୍ ନିକଟରେ ଏହି ଦୁର୍ଘଟଣା ଘଟିଛି । ଗତକାଲି ବିଳମ୍ବିତ ରାତିରେ ଯାଜପୁର ରୋଡ୍ ପଟୁ କେନ୍ଦୁଝର ଯିବା ରାସ୍ତାରେ ଟ୍ରକକୁ ପଛରୁ ଧକ୍କା ଦେଇଛି ଯାତ୍ରୀବାହୀ ବସ । ଏହି ଦୁର୍ଘଟଣାରେ ଯାତ୍ରୀମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଡ୍ରାଇଭର ଗୁରୁତର ଭାବେ ଆହତ ହୋଇଥିବା ଜଣାପଡ଼ିଛି । ତାଙ୍କୁ ଆମ୍ବୁଲାନ୍ସ ଯୋଗେ ପ୍ରଥମେ ସାଇଁକୁଳ ମେଡିକାଲ ପରେ ଆନନ୍ଦପୁର ଉପଖଣ୍ଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଖବର ପାଇ ସାଇଁକୁଳ ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ହାସନପୁର ଟୋଲ୍ ଗେଟ୍ ନିକଟରେ ରାସ୍ତା ଉପରେ ବେଆଇନ ଭାବେ ଲୁହାପଥର ବୋଝେଇ ଟ୍ରକ୍ ପାର୍କିଂ କରୁଥିବାରୁ ବିଭିନ୍ନ ସମୟରେ ଦୁର୍ଘଟଣା ଘଟୁଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।