ଆନନ୍ଦପୁର,୨୫/୬ : ଆନନ୍ଦପୁର ବିକାଶ ପରିଷଦ ପକ୍ଷରୁ ଆରମ୍ଭ ହୋଇଥିବା ଆନନ୍ଦପୁର ଜିଲ୍ଲା ଦାବି ପ୍ରସଙ୍ଗ ଏବେ ନିରବୀ ଯାଇଛି । ଆନନ୍ଦପୁରକୁ ସ୍ୱତନ୍ତ୍ର ଜିଲ୍ଲା ଦାବି ପ୍ରସଙ୍ଗରେ ୨୭.୩.୨୦୨୩ ରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆରମ୍ଭ ହୋଇଥିଲା ଧାରଣା । ଏହି ଧାରଣରେ ଯୁବ ଗୋଷ୍ଠୀଙ୍କ ଠାରୁ ଆରମ୍ଭ କରି ବରିଷ୍ଠ ନାଗରିକ, ବିଭିନ୍ନ ଅନୁଷ୍ଠାନ ସ୍ୱତଃପ୍ରବୃତ ଭାବେ ସାମିଲ ହୋଇ ଜିଲ୍ଲା ଦାବିକୁ ଜୋର କରିଥିଲେ । ଏପରିକି ଧାରଣାରେ ସାମିଲ ହୋଇଥିବା ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ତତ୍କାଳୀନ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ମଧ୍ୟ ପ୍ରଦାନ କରାଯାଇଥିଲା । ଦୀର୍ଘ ୨୯ ଦିନର ଧାରଣା ପରେ ସ୍ୱତନ୍ତ୍ର ନିମନ୍ତ୍ରଣରେ ଆନନ୍ଦପୁର ବିକାଶ ପରିଷଦକୁ ଭୁବନେଶ୍ୱର ଡାକରା ହେବା ସହିତ ସ୍ୱତନ୍ତ୍ର ଜିଲ୍ଲା ପ୍ରସଙ୍ଗରେ ଆଲୋଚନା ହେଉଥିବା ପ୍ରତିଶ୍ରୁତି ଦିଆଯାଇଥିଲା । ଏପରିକି ଆନନ୍ଦପୁରର ବିକାଶ ପାଇଁ ସ୍ୱତନ୍ତ୍ର ଭାବେ ସରକାରୀ ସ୍ତରରେ କିଛି ପଦକ୍ଷେପ ଗ୍ରହଣ କରାଯାଇଥିବା ମଧ୍ୟ ପ୍ରତିଶ୍ରୁତି ଦିଆଯାଇଥିଲା । ହେଲେ ସବୁ ଆଶା ଅଦ୍ୟାବଧି ଅଧୁରା ରହିଛି ।
ଏବେ ରାଜ୍ୟରେ ସରକାର ପରିବର୍ତ୍ତନ ହୋଇଛନ୍ତି । ବିଜେପି ଏବେ କ୍ଷମତାରେ ରହିଛି । ହେଲେ ପୂର୍ବ ପରି ଆନନ୍ଦପୁରକୁ ସ୍ୱତନ୍ତ୍ର ଜିଲ୍ଲା ଦାବି ଏବେ ନୀରବ ହୋଇଯାଇଛି । ଯେଉଁମାନେ ପୂର୍ବରୁ ବିରୋଧୀ ଦଳର ଭୂମିକାରେ ରହି ଜିଲ୍ଲା ଦାବି ପ୍ରସଙ୍ଗକୁ ପରୋକ୍ଷରେ ସମର୍ଥନ ଦେଇଆସୁଥିଲେ ଏବେ ଶାସନକୁ ଆସିବା ପରେ ପାଟି ଚୁପ୍ ରହିଛି । ଯାହାକୁ ନେଇ ଆନନ୍ଦପୁରର ଜିଲ୍ଲା ଦାବି ମାହୋଲ ଏବେ ଥମିବାରେ ଲାଗିଛି । ଭୌଗଳିକ ଦୃଷ୍ଟି କୋଣ ହେଉ କି ଭାଷାଗତ, ସାଂସ୍କୃତିକ, ଐତିହ୍ୟ, ପରମ୍ପରା ଦୃଷ୍ଟିକୋଣରୁ ଆନନ୍ଦପୁର ଉପଖଣ୍ଡ ଓ କେନ୍ଦୁଝରର ମଧ୍ୟରେ ଅନେକ ତାରତମ୍ୟ ରହିଛି । ସାଧାରଣ ଜନତା ସେମାନଙ୍କ ମୌଳିକ ସମସ୍ୟା ଜିଲ ପ୍ରଶାସନ ନିକଟରେ ଉପସ୍ଥାପନ କରିବା କାଠିକର ପାଠ ହୋଇପଡୁଛି । ଆନନ୍ଦପୁର ସଦର ମହକୁମା ଠାରୁ ୯୦ କିମି ଏବଂ ଉପଖଣ୍ଡର ସୀମା ଠାରୁ ୧୨୦ କମି ଦୂରରେ ଅବସ୍ଥିତ ଜିଲ୍ଲା କାର୍ଯ୍ୟାଳୟ ସହିତ ଯୋଗାଯୋଗ କରାଯିବା କଷ୍ଟସାଧ୍ୟ ହୋଇପଡୁଛି ।
୧୯୯୩ ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ୧୩ ଗୋଟି ଜିଲ୍ଲାକୁ ପୁନର୍ଗଠନ କରି ୩୦ ଜିଲ୍ଲାରେ ପରିଣତ କରିଥିଲେ ସୁଦ୍ଧା ଭୌଗଳିକ ଦୃଷ୍ଟିକୋଣର ଯଥେଷ୍ଟ ପାର୍ଥକ୍ୟ ରହିଥିବା ଆନନ୍ଦପୁରକୁ ଜିଲ୍ଲା ମାନ୍ୟତା କାର୍ଯ୍ୟକାରୀ ହୋଇପାରିନଥିଲା । ଆୟତନ ଦୃଷ୍ଟିରୁ ରାଜ୍ୟରେ ଚତୁର୍ଥ ଓ ଜନସଂଖ୍ୟା ଦୃଷ୍ଟିରୁ ସପ୍ତମ ସ୍ଥାନରେ ରହିଛି । ଗୋଟିଏ ପୌରପରିଷଦ, ୩ ଗୋଟି ବ୍ଲକ, ୩ ଗୋଟି ତହସିଲ, ୫ ଗୋଟି ଥାନା , ଗୋଟିଏ ଫାଣ୍ଡି, ଦୁଇ ଗୋଟି ନିର୍ବାଚନମଣ୍ଡଳୀ ଓ ୭୪ ଗୋଟି ପଞ୍ଚାୟତକୁ ନେଇ ଆନନ୍ଦପୁର ଉପଖଣ୍ଡର ପରିଚୟ । ୨୦୧୧ ଜନଗଣନା ଅନୁଯାୟୀ ଆନନ୍ଦପୁର ବ୍ଲକ ଓ ପୌରାଞ୍ଚଳକୁ ମିଶାଇ ୧ ଲକ୍ଷ ୨୪ ହଜାର ୨୧୮ ଜନସଂଖ୍ୟା ରହିଛି । ଘସିପୁରା ବ୍ଲକରେ ୧ ଲକ୍ଷ ୯୧ ହଜାର ୪୩୩ ରହିଥିବାବେଳେ ହାଟଡିହି ବ୍ଲକରେ ୧ ଲକ୍ଷ ୪୬ ହଜାର ୭୮୬ ମୋଟ ୪ ଲକ୍ଷ ୬୨ ହଜାର ୪୩୭ ରହିଛି । ଆନନ୍ଦପୁର ମହାବିଦ୍ୟାଳୟକୁ ଛାଡି ଏଠାରେ ୧୪ ଗୋଟି ମହାବିଦ୍ୟାଳୟ ରହିଛି । ୩ ଗୋଟି ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ରହିଥିବାବେଳେ ଉଚ୍ଚ ବିଦ୍ୟାଳୟ ଗୁଡିକର ପରିଚାଳନା ପାଇଁ ଦେଢଶହରୁ ଊର୍ଦ୍ଧ୍ୱ କିମି ଦୂର କେନ୍ଦୁଝର ବିଇଓ କାର୍ଯ୍ୟାଳୟ ଉପରେ ନିର୍ଭର କରିବାକୁ ପଡୁଛି । ଏହା ସତ୍ତ୍ଵେ ଆନନ୍ଦପୁରକୁ ସ୍ୱତନ୍ତ୍ର ଜିଲ୍ଲାର ମାନ୍ୟତା ଦିଆଯିବାରେ ସ୍ଥାଣୁତା ପରିଲକ୍ଷିତ ହୋଇଛି । ମାତ୍ର ୩ଟି ବ୍ଲକ୍, ଗୋଟିଏ ନିର୍ବାଚନମଣ୍ଡଳୀ ଓ ଆନନ୍ଦପୁର ଉପଖଣ୍ଡ ଠାରୁ ଅପେକ୍ଷାକୃତ କମ ଲୋକସଂଖ୍ୟା ବିଶିଷ୍ଟ ଦେବଗଡକୁ ୧୯୯୪ ରେ ଜିଲ୍ଲା ଘୋଷଣା କରାଯାଇଥିଲେ ବି ଆନନ୍ଦପୁର ଉପଖଣ୍ଡ ଉପେକ୍ଷିତ ହୋଇ ରହିଛି ।