ନୂଆଦିଲ୍ଲୀ,୨୮।୬: ପାକିସ୍ତାନର ଉତ୍ତର-ପଶ୍ଚିମ ଭାଗରେ ଆତ୍ମଘାତୀ ଆକ୍ରମଣ । ଆକ୍ରମଣରେ ୧୩ ଜଣ ସୈନିକଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ ଜଣ ଗୁରୁତର ଆହତ ହୋଇଛନ୍ତି । ଏହି ଆକ୍ରମଣରେ ୨୦ରୁ ଅଧିକ ନାଗରିକ ମଧ୍ୟ ଆହତ ହୋଇଛନ୍ତି । ବିସ୍ଫୋରଣରେ ନିକଟସ୍ଥ ଘରଗୁଡ଼ିକ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି ।
ଖାଇବର ପଖତୁନଖ୍ୱା ପ୍ରଦେଶର ଉତ୍ତର ୱାଜିରିସ୍ତାନ ଜିଲ୍ଲାର ଜଣେ ସ୍ଥାନୀୟ ସରକାରୀ ଅଧିକାରୀ କହିଛନ୍ତି ଯେ, ଜଣେ ଆତ୍ମଘାତୀ ବିସ୍ଫୋରଣକାରୀ ବିସ୍ଫୋରକ ଭର୍ତ୍ତି ଏକ ଗାଡ଼ିକୁ ଏକ ସେନା ବାହନ ସହ ଧକ୍କା ଦେଇଥିଲା । ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ ବିସ୍ଫୋରଣ ଯୋଗୁଁ ଦୁଇଟି ଘରର ଛାତ ମଧ୍ୟ ଭୁଶୁଡ଼ି ପଡ଼ିଛି, ଯେଉଁଥିରେ ଛଅ ଜଣ ପିଲା ଆହତ ହୋଇଛନ୍ତି । ତାଲିବାନ ହାଫିଜ୍ ଗୁଲ୍ ବାହାଦୁର ସଶସ୍ତ୍ର ଗୋଷ୍ଠୀ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି। ଏହା ପାକିସ୍ତାନର ସବୁଠାରୁ ଉତ୍ତେଜନାପୂର୍ଣ୍ଣ ଅଞ୍ଚଳ ମଧ୍ୟରୁ ଗୋଟିଏ । ଏଠାରେ ପ୍ରାୟତଃ ତେହେରିକ-ଏ-ତାଲିବାନ୍ ପାକିସ୍ତାନ ଆକ୍ରମଣ ହୋଇଛି ।
ଗତ କିଛି ଦିନ ତଳେ ପାକିସ୍ତାନର ଖାଇବର ପଖତୁନଖ୍ୱା ଏବଂ ବେଲୁଚିସ୍ତାନରେ ଆତଙ୍କବାଦୀ ଆକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇଛି । ଏପରି ପରିସ୍ଥିତିରେ ଆଉ ଏକ ବଡ଼ ଆକ୍ରମଣ ପାକିସ୍ତାନର ଚିନ୍ତା ବଢ଼ାଇବାକୁ ଯାଉଛି । ଜିଓ ନ୍ୟୁଜ୍ ରିପୋର୍ଟ ଅନୁଯାୟୀ, ଚଳିତ ବର୍ଷ ମାର୍ଚ୍ଚ ମାସରେ ପାକିସ୍ତାନୀ ସେନା ଦାବି କରିଥିଲା ଯେ ଏହା ଟିଟିପି ସହିତ ଜଡିତ ୧୦ ଜଣ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ହତ୍ୟା କରିଛି ।