ନୂଆଦିଲ୍ଲୀ: ଇରାନ୍ ଯୁଦ୍ଧ ଥମିବା ପରେ ଇସ୍ରାଏଲ ପୁଣି ଥରେ ଗାଜାରେ ଆକ୍ରମଣ ଜୋରଦାର କରିଛି । ଆଜି (ଶନିବାର) ଇସ୍ରାଏଲ ସେନା ଗାଜାରେ ରକେଟ ମାଡ଼ କରିଛି । ଏହି ଆକ୍ରମଣରେ ୩୪ ଜଣଙ୍କ ମୃତ୍ୟୁ ହୋଇଛି । ଗାଜାରେ ଗଭୀର ମାନବୀୟ ସଂକଟ ଜାରି ଥିବା ବେଳେ ଇସ୍ରାଏଲର ଏହି ଆକ୍ରମଣ ଚିନ୍ତା ବଢ଼ାଇ ଦେଇଛି । ସେପଟେ ଗାଜା ସହ ଯୁଦ୍ଧବିରତି ନେଇ ଆଲୋଚନା ଆଗକୁ ବଢ଼ୁଛି । ହେଲେ ଏହାରି ଭିତରେ ଆଇଡିଏଫ ଗାଜା ଉପରେ ବଡ଼ ଆକ୍ରମଣ କରି ସମସ୍ତଙ୍କୁ ଚକିତ କରିଦେଇଛି । ଶୁକ୍ରବାର ବିଳମ୍ବିତ ରାତିରୁ ଆରମ୍ଭ ହୋଇଥିବା ଏହି ଆକ୍ରମଣ ଶନିବାର ବି ଜାରି ରହିଛି । ଗାଜାରେ ଥିବା ପାଲେଷ୍ଟାଇନ୍ ଷ୍ଟାଡିୟମ ଉପରେ ରକେଟ ମାଡ଼ କରିଛି ଇସ୍ରାଏଲ ସେନା । ଏହି ଆକ୍ରମଣରେ ୧୨ ଜଣଙ୍କ ମୃତ୍ୟୁ ହୋଇଛି । ଏହି ଷ୍ଟାଡିୟମରେ ବିସ୍ଥାପିତଙ୍କୁ ଆଶ୍ରୟ ଦିଆଯାଇଛି ।
ଦକ୍ଷିଣ ଗାଜାର ମୁୱାସିରେ ଟେଣ୍ଟରେ ରହୁଥିବା ବିସ୍ଥାପିତଙ୍କ ଉପରେ ମଧ୍ୟ ଆମ୍ରମଣ ହୋଇଛି । ଏଥିରେ ଛଅ ଜଣ ପ୍ରାଣ ହରାଇଛନ୍ତି । ଗାଜା ଯୁଦ୍ଧରେ ବିରାମ ଲାଗିପାରେ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇସାରା ଦେବା ପରେ ଏହି ଆକ୍ରମଣ ହୋଇଛି । ହ୍ୱାଇଟ୍ ହାଉସର ଓଭାଲ୍ ଅଫିସରେ ସାମ୍ବାଦିକମାନଙ୍କୁ ଟ୍ରମ୍ପ କହିଛନ୍ତି, ‘ଆମେ ଗାଜା ପ୍ରସଙ୍ଗରେ କାମ କରୁଛୁ ଏବଂ ଏହାର ସମାଧାନ କରିବାକୁ ଚେଷ୍ଟା କରୁଛୁ।’
ସୂତ୍ର ଅନୁସାରେ, ଇସ୍ରାଏଲର ମନ୍ତ୍ରୀ ରନ୍ ଡର୍ମର ଆସନ୍ତା ସପ୍ତାହରେ ୱାଶିଂଟନ ଗସ୍ତ କରିବେ। ସେଠାରେ ଗାଜା ଯୁଦ୍ଧବିରତି, ଇରାନ ଏବଂ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ଆଲୋଚନା ହେବ । ଗତ ମାର୍ଚ୍ଚ ମାସରେ ଯୁଦ୍ଧବିରତି ଭଙ୍ଗ ହେବା ପରଠାରୁ ଗାଜାରେ ଇସ୍ରାଏଲର ସାମରିକ କାର୍ଯ୍ୟାନୁଷ୍ଠାନ ଜାରି ରହିଛି । ଇସ୍ରାଏଲର ଲଗାତାର ଆକ୍ରମଣ ପରେ ଗାଜାରେ ସ୍ଥିତି ଆହୁରି ଅଣାୟତ ହୋଇପଡ଼ିଛି । ସେପଟେ ଗାଜାରେ ଏବେ ବି ପ୍ରାୟ ୫୦ ଜଣ ଇସ୍ରାଏଲ ନାଗରିକ ବନ୍ଧକ ଅଛନ୍ତି । ସେମାନଙ୍କ ମଧ୍ୟରୁ ଅନେକଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି । ସେମାନଙ୍କୁ ୭ ଅକ୍ଟୋବର ୨୦୨୩ରେ ହମାସ ବନ୍ଧକ କରି ନେଇଥିଲା । ତାପରଠାରୁ ଇସ୍ରାଏଲ ଏବଂ ହମାସ ମଧ୍ୟରେ ଆରମ୍ଭ ହୋଇଥିବା ଯୁଦ୍ଧ ଏବେ ବି ଜାରି ରହିଛି ।