ନୂଆଦିଲ୍ଲୀ: ବାଂଲାଦେଶରେ ସଂଖ୍ୟାଲଘୁଙ୍କ ପ୍ରତି ଅନ୍ୟାୟ ଜାରି ରହିଛି । ଅନ୍ତରୀଣ ସରକାର ଆସିବା ପୂର୍ବରୁ ଏବଂ ପରେ ସଂଖ୍ୟାଲଘୁ ସଂପ୍ରଦାୟ, ବିଶେଷକରି ହିନ୍ଦୁମାନଙ୍କ ଉପରେ ଅତ୍ୟାଚାର ହେଉଛି । ଏନେଇ ଅନେକ ସମୟରେ ଅଭିଯୋଗ ହେଉଛି ଏବଂ ଏହାକୁ ଭାରତ ସରକାର ମଧ୍ୟ ବିରୋଧ କରିଆସିଛନ୍ତି । ସେହିଭଳି ଆଜି (ଶୁକ୍ରବାର) ପୁଣି ବାଂଲାଦେଶରେ ହିନ୍ଦୁ ମନ୍ଦିର ଭାଙ୍ଗି ଦିଆଯାଇଛି । ଢ଼ାକାରେ ଥିବା ମା’ ଦୁର୍ଗାଙ୍କ ମନ୍ଦିର ଭାଙ୍ଗି ଦେଇଛନ୍ତି ଦେଶର ରେଳ କର୍ତ୍ତୃପକ୍ଷ । ସେପଟେ ଏଭଳି କାର୍ଯ୍ୟକୁ ନିନ୍ଦା କରିଛନ୍ତି ଭାରତ ସରକାର ଏବଂ ବଂଲାଦେଶର ଅନ୍ତରୀଣ ସରକାରର ମୁଖ୍ୟ ମହମ୍ମଦ ୟୁନୁସଙ୍କ ଉପରେ ବର୍ଷିଛନ୍ତି ।
ମା’ ଦୁର୍ଗାଙ୍କ ମନ୍ଦିର ଢ଼ାକାର ଖିଲଖେଟ ଅଞ୍ଚଳରେ ଥିଲା । ତେବେ ରେଳ ଲାଗି ଉଦ୍ଦିଷ୍ଟ ଜମି ଉପରେ ମନ୍ଦିର ବେଆଇନ୍ ଭାବରେ ନିର୍ମିତ ହୋଇଥିଲା ବୋଲି ରେଳବାଇ କର୍ତ୍ତୃପକ୍ଷ ଅଭିଯୋଗ କରିଛନ୍ତି । ସେପଟେ ମନ୍ଦିର ଭାଙ୍ଗିବା ପୂର୍ବରୁ ରେଳବାଇ ପକ୍ଷରୁ କୌଣସି ସୂଚନା ଦିଆଯାଇ ନଥିଲା ବୋଲି ମନ୍ଦିର କମିଟିର ସଂପାଦକ ଅର୍ଜୁନ ରୟ କହିଛନ୍ତି । ମା’ ଦୁର୍ଗାଙ୍କ ମନ୍ଦିର ଭଙ୍ଗାଯିବାକୁ ନେଇ ହିନ୍ଦୁ ସଂପ୍ରଦାୟଙ୍କ ମଧ୍ୟରେ ଅସନ୍ତୋଷ ତୀବ୍ର ହୋଇଛି । ଲୋକେ ରାଜରାସ୍ତାକୁ ଓହ୍ଲାଇ ପ୍ରତିବାଦ କରିଛନ୍ତି ।
ସୂଚନା ଅନୁସାରେ, ୫୦୦ରୁ ଅଧିକ ଲୋକ ହାତରେ ବାଡ଼ି ଧରି ମନ୍ଦିରକୁ ସୁରକ୍ଷା ଦେବାକୁ ଚେଷ୍ଟା କରିଥିଲେ । କିନ୍ତୁ ଏତେ ପ୍ରଚେଷ୍ଟା ସତ୍ତ୍ବେ ବହୁ ସଂଖ୍ୟକ ପୋଲିସ କର୍ମୀଙ୍କ ଉପସ୍ଥିତିରେ ମନ୍ଦିର ଉପରେ ଚାଲିଥିଲା ବୁଲଡୋଜର । ଏହା ପରେ ବାଂଲାଦେଶୀ ହିନ୍ଦୁଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଥିଲା ଏବଂ ଏହା ପ୍ରତିବାଦର ରୂପ ନେଇଛି । ମନ୍ଦିର ଭଙ୍ଗାକୁ ବିରୋଧ କରି ବାଂଲାଦେଶ ସନତନୀ ଗୋଷ୍ଠୀ ଏବଂ ସନାତନୀ ଆନ୍ଦୋଳନ ଢ଼ାକାରେ ବିଦ୍ରୋହ କରିଛି । ବିଭିନ୍ନ ହିନ୍ଦୁ ସଂଗଠନ ରେଳବାଇର ଏହି କାର୍ଯ୍ୟକୁ ନିନ୍ଦା କରିବା ସହ, ଏହା ହିନ୍ଦୁଙ୍କ ଧର୍ମୀୟ ଭାବନାକୁ ଆଘାତ ଦେଇଛି ବୋଲି କହିଛନ୍ତି ।
ହିନ୍ଦୁଙ୍କ ଭାବନାକୁ ଆଘାତ ଦେଲା ଭଳି କାର୍ଯ୍ୟ ହେଉଥିବା ବେଳେ ମହମ୍ମଦ ୟୁନୁସଙ୍କ ନିରବତା ଉପରେ ମଧ୍ୟ ପ୍ରଶ୍ନ ଉଠିଛି । ସରକାର ଜାଣିଶୁଣି ଏଭଳି ଗୋଷ୍ଠୀଙ୍କ ଦ୍ବାରା ମନ୍ଦିର ଉପରେ ଆକ୍ରମଣ କରୁଛନ୍ତି ବୋଲି ମଧ୍ୟ ହିନ୍ଦୁ ସଂଗଠନର ମୁଖ୍ୟମାନେ ଅଭିଯୋଗ କରିଛନ୍ତି । ବାଂଲାଦେଶରେ ହିନ୍ଦୁ ମନ୍ଦିରକୁ ଜାଣିଶୁଣି ନଷ୍ଟ କରିବା ଉପରେ କ୍ଷୋଭ ପ୍ରକାଶ କରିଛନ୍ତି ଭାରତ ସରକାର । ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ବାଲ କହିଛନ୍ତ, ଢ଼ାକାର ଖିଲଖେଟ୍ରେ ମା’ ଦୁର୍ଗାଙ୍କ ମନ୍ଦିର ଭାଙ୍ଗିବା ପଛରେ ଉଗ୍ରବାଦୀଙ୍କ ଭୂମିକା ଥିବା କଥା ଆମେ ବୁଝିପାରୁଛୁ । ମନ୍ଦିରକୁ ସୁରକ୍ଷା ଦେବା ପରିବର୍ତ୍ତେ ବାଂଲାଦେଶର ଅନ୍ତରୀଣ ସରକାର ଏହାକୁ ବେଆଇନ୍ ନିର୍ମାଣ ବୋଲି କହୁଛନ୍ତି । ଫଳରେ ମନ୍ଦିର ସ୍ଥାନାନ୍ତର ହେବା ପୂର୍ବରୁ ଧ୍ବଂସ କରି ଦିଆଯାଉଛି ।