ନୂଆଦିଲ୍ଲୀ,୦୫/୦୭: ଋଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ୩ ବର୍ଷ ଧରି ଚାଲିଛି । ଆଉ ଏବେ ଋଷ ୟୁକ୍ରେନର ରାଜଧାନୀ କିଭରେ ସବୁଠାରୁ ବଡ଼ ଆକ୍ରମଣ କରିଛି। ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଫୋନରେ କଥା ହେବା ପରେ, ଗୁରୁବାର ରାତିରେ ଋଷ କିଭରେ ବିମାନ ଆକ୍ରମଣ କରିଥିଲା ଏବଂ ଗତକାଲି ରାତିରେ ମଧ୍ୟ ଋଷ ସେନା ପ୍ରାୟ ୭ ଘଣ୍ଟା ଧରି ବୋମା ମାଡ଼ କରିଥିଲା। ଗତକାଲି ରାତିରେ ମଧ୍ୟ କିଭ ଉପରେ ପ୍ରାୟ ୧୧ଟି କ୍ଷେପଣାସ୍ତ୍ର ଏବଂ ୫୫୦ଟି ଡ୍ରୋନ୍ ମାଡ଼ କରାଯାଇଥିଲା। ଆକ୍ରମଣରେ ୟୁକ୍ରେନର ଅନେକ ସ୍ଥାନ ନଷ୍ଟ ହୋଇଛି।
କ୍ରମାଗତ ଦ୍ୱିତୀୟ ରାତିରେ କିଭ୍ ଉପରେ ରୁଷର ଆକ୍ରମଣ ଦେଖି, ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍ସକି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଫୋନ୍ ଯୋଗେ କଥା ହୋଇଥିଲେ। ସେ ଟ୍ରମ୍ପଙ୍କୁ ରୁଷର ଆକ୍ରମଣ ବିଷୟରେ ଅବଗତ କରାଇଥିଲେ। ସେ ୟୁକ୍ରେନକୁ ଅସ୍ତ୍ରଶସ୍ତ୍ର ପଠାଣ ବନ୍ଦ କରିବା ପ୍ରସଙ୍ଗରେ ମଧ୍ୟ ଆଲୋଚନା କରିଥିଲେ। ଜେଲେନ୍ସକି କହିଛନ୍ତି ଯେ ଆମେରିକା ୟୁକ୍ରେନର ବାୟୁ ପ୍ରତିରକ୍ଷାକୁ ମଜବୁତ କରିବାକୁ ନିଷ୍ପତ୍ତି ନେଇଛି। ଟ୍ରମ୍ପ ରୁଷ ସହିତ ଯୁଦ୍ଧ ସମାପ୍ତ କରିବା ପାଇଁ ରୁଷ ରାଷ୍ଟ୍ରପତି ପୁଟିନଙ୍କ ସହ କଥା ହୋଇପାରନ୍ତି। ୟୁକ୍ରେନକୁ ସମର୍ଥନ କରୁଥିବା ୟୁରୋପୀୟ ଦେଶଗୁଡ଼ିକ ୟୁକ୍ରେନର ଅସ୍ତ୍ରଶସ୍ତ୍ର ଅଭାବ ପୂରଣ କରିବା ବିଷୟରେ ବିଚାର କରୁଛନ୍ତି, କିନ୍ତୁ ଏଥିପାଇଁ ସମୟ ଲାଗିବ। ଜେଲେନ୍ସକି ଟ୍ରମ୍ପଙ୍କୁ କହିଥିଲେ ଯେ ରୁଷ ସହିତ ଶାନ୍ତି ସ୍ଥାପନ ପାଇଁ ପ୍ରୟାସ ଏପର୍ଯ୍ୟନ୍ତ ବିଫଳ ହୋଇଛି। ସିଧାସଳଖ ଶାନ୍ତି ଆଲୋଚନାରେ କେବଳ ଯୁଦ୍ଧବନ୍ଦୀ, ଆହତ ସୈନିକ, ସହିଦ ସୈନିକଙ୍କ ମୃତଦେହ ବିନିମୟ ହୋଇଛି। ଶାନ୍ତି ଆଲୋଚନା ପାଇଁ କୌଣସି ତାରିଖ ଚୂଡ଼ାନ୍ତ ହୋଇନାହିଁ।
ପ୍ରକାଶ ଥାଉକି, ୨୦୧୪ ରୁ ରୁଷ ଏବଂ ୟୁକ୍ରେନ ମଧ୍ୟରେ ସଂଘର୍ଷ ଚାଲିଛି। ରୁଷ ଚାହୁଁନାହିଁ ଯେ ୟୁକ୍ରେନ ନାଟୋରେ ସାମିଲ ହେଉ। ୟୁକ୍ରେନକୁ ରୋକିବା ପାଇଁ, ୨୦୨୨ ଫେବୃଆରୀ ୨୪ ରେ ରୁଷ ୟୁକ୍ରେନ ଉପରେ ଆକ୍ରମଣ କରିଥିଲା। ଦୁଇ ଦେଶ ମଧ୍ୟରେ ୩ ବର୍ଷ ୪ ମାସ ଧରି ଯୁଦ୍ଧ ଚାଲିଛି। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଏହା ୟୁରୋପର ସବୁଠାରୁ ବଡ ଏବଂ ଘାତକ ଯୁଦ୍ଧ। ୨୦୨୫ ମସିହା ସୁଦ୍ଧା, ରୁଷ ସେନା ୟୁକ୍ରେନର ପ୍ରାୟ ୨୦% ଅଧିକାର କରିଥିଲା। ୟୁକ୍ରେନର ଜନସଂଖ୍ୟା୪୧ ନିୟୁତ, କିନ୍ତୁ ଗତ ୩ ବର୍ଷ ମଧ୍ୟରେ ୮ ନିୟୁତ ଲୋକ ୟୁକ୍ରେନ ଛାଡି ସାରିଛନ୍ତି। ୟୁକ୍ରେନ ଭିତରେ ହିଁ ୮ ନିୟୁତ ଲୋକ ବିସ୍ଥାପିତ ହୋଇଛନ୍ତି।