ବେଙ୍ଗାଲୁରୁ: ରୁଷିଆ ଭାରତକୁ ଏହାର ଅତ୍ୟାଧୁନିକ ପଞ୍ଚମ ପିଢ଼ିର ଷ୍ଟେଲଥ ଯୁଦ୍ଧବିମାନ Su-57E ସହ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଦେଇଛି। ଯେଉଁଥିରେ ବିମାନର ସୋର୍ସ କୋଡ୍ ଏବଂ ସଂପୂର୍ଣ୍ଣ କଷ୍ଟମାଇଜେସନ୍ ଅଧିକାର ଅନ୍ତର୍ଭୁକ୍ତ ରହିଛି। ରୁଷର ଏହି ପ୍ରସ୍ତାବ ଆମେରିକାର F-35A ଷ୍ଟେଲଥ ଯୁଦ୍ଧବିମାନ ଚୁକ୍ତି ଆଲୋଚନାକୁ ପ୍ରଭାବିତ କରିପାରେ। କାରଣ ଭାରତୀୟ ବାୟୁସେନାକୁ ଏହି ଯୁଦ୍ଧ ବିମାନ କ୍ରୟ ପାଇଁ ବର୍ତ୍ତମାନ ଆମେରିକା ସହ କଥାବର୍ତ୍ତା ଜାରି ରଖିଛି। ଏରୋ ଇଣ୍ଡିଆ ୨୦୨୫ରେ ପ୍ରଦର୍ଶିତ ହୋଇଥିବା Su-57E ରୁଷିଆର ସବୁଠାରୁ ଉନ୍ନତ ଯୁଦ୍ଧବିମାନ। ଯାହା ଏକ ମଲ୍ଟିରୋଲ ବିମାନ ଭାବେ ଏୟାର ଟୁ ଏୟାର ଏବଂ ଏୟାର ଟୁ ଗ୍ରାଉଣ୍ଡ ଯୁଦ୍ଧରେ ସକ୍ଷମ ବୋଲି ଜଣାପଡିଛି।
Su-57Eର ବୈଶିଷ୍ଟ୍ୟ:
Su-57Eର ଷ୍ଟେଲଥ(ରାଡାରରୁ ବଞ୍ଚିବା) କ୍ଷମତା ଏହା ସମକକ୍ଷ ସମସ୍ତ ଯୁଦ୍ଧ ବିମାନଠୁ ଭଲ ରହିଛି। କାରଣ ଏହି ବିମାନ ନିର୍ମାଣରେ ରାଡାର ଶୋଷଣକାରୀ ସାମଗ୍ରୀ, ଅଭ୍ୟନ୍ତରୀଣ ଅସ୍ତ୍ର ବେସ ଏବଂ ବକ୍ର ଏୟାର ଇନଟେକ ଡିଜାଇନ ଯୋଗୁଁ ଏହା ରାଡାର ଏବଂ ଇନଫ୍ରାରେଡ ସିଗନେଚରକୁ ହ୍ରାସ କରେ। ଯାହାଫଳରେ ଏହା ଜଲଦି ରାଡାର ନଜରକୁ ଆସେନାହିଁ। ଏହା ସହିତ ଏହି ବିମାନରେ AL-41F1 ଇଞ୍ଜିନ ଓ 3D ଥ୍ରଷ୍ଟ ଭେକ୍ଟରିଂ ଯୋଗୁଁ ଏଥିରେ ଚମତ୍କାର ଗତିଶୀଳତା ମିଳିଥାଏ। ଏହି ବିମାନ ତଳୁ ସିଧାସଳଖ ଉପରକୁ, ଉପରୁ ସିଧାସଳଖ ତଳକୁ ଲ୍ୟାଣ୍ଡ କରିବାର କ୍ଷମତା ସହ ଉଡୁଥିବା ବେଳେ ହଠାତ ଯେ କୌଣସି ଦିଗକୁ ଗତି କରିବାରେ ସକ୍ଷମ।
ଏହି ବିମାନରେ N036 ବାୟେଲକା AESA ରାଡାର ରହିଛି। ଯାହା ଫଳରେ ଏହା ୩୬୦ ଡିଗ୍ରୀ ଅଞ୍ଚଳରେ ନଜର ରଖିବାକୁ ସକ୍ଷମ। ଏହାସହିତ ଋଷ ଏହାର ସୋର୍ସକୋଡ ଦେବାକୁ ରାଜି ହୋଇଥିବାରୁ ଏଥିରେ ବିଭିନ୍ନ ଭାରତୀୟ ଅସ୍ତ୍ର ସମନ୍ୱୟ କରିହେବ। ଅସ୍ତ୍ର Mk1/Mk2, ରୁଦ୍ରମ ଆଣ୍ଟି-ରେଡିଏସନ ମିସାଇଲ ଏବଂ DRDO ର ଅନ୍ୟ ପ୍ରେସିଜନ ଅସ୍ତ୍ର ସହ ଅହି ବିମାନକୁ ସଜ୍ଜିତ କରାଯାଇ ପାରିବ। ଯାହା ଭାରତର ଏକ ବିଦେଶି ଅସ୍ତ୍ର ଉପରେ ନିର୍ଭରଶୀଳତାକୁ କମାଇବ ବୋଲି ବିଶେଷଜ୍ଞମାନେ ସୂଚନା ଦେଇଛନ୍ତି।
ରୁଷିଆର ରାଷ୍ଟ୍ରୀୟ ଅସ୍ତ୍ର ରପ୍ତାନୀ ସଂସ୍ଥା ରୋସୋବୋରୋନ ଏକ୍ସପୋର୍ଟ ଏବଂ ସୁଖୋଇ ଡିଜାଇନ ବ୍ୟୁରୋ ଅଧୀନରେ ଥିବା ୟୁନାଇଟେଡ ଏୟାରକ୍ରାଫ୍ଟ କର୍ପୋରେସନ (UAC) ଭାରତର ହିନ୍ଦୁସ୍ତାନ ଏୟାରୋନଟିକ୍ସ ଲିମିଟେଡ (HAL) ନାସିକ ପ୍ଲାଣ୍ଟରେ Su-57E ଉତ୍ପାଦନ ପାଇଁ ପ୍ରସ୍ତାବ ଦେଇଛନ୍ତି। ଏହା ସହ ଭାରତୀୟ ସିଷ୍ଟମ ସହ ସହବନ୍ଧିତା ଏବଂ ‘ମେକ ଇନ ଇଣ୍ଡିଆ’ ଉଦ୍ୟୋଗକୁ ସମର୍ଥନ କରିବା ପାଇଁ ମଧ୍ୟ ରୁଷିଆ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଛି। ଏହି ପ୍ରସ୍ତାବରେ GaN-ଆଧାରିତ AESA ରାଡାର ଏବଂ ଭାରତୀୟ ମିଶନ କମ୍ପ୍ୟୁଟର ସମେତ ସୁପର-୩୦ ଅପଗ୍ରେଡ ପ୍ରୋଗ୍ରାମ ସହ ସାମଞ୍ଜସ୍ୟ ରହିଛି।
ଆମେରିକାର F-35A ସହ ତୁଳନା:
ଆମେରିକା ଭାରତକୁ F-35A ଯୁଦ୍ଧବିମାନ ପ୍ରଦାନ କରିବାକୁ ଯୋଜନା କରୁଛି। ଯାହା ଏକ ସିଙ୍ଗଲ-ସିଟ, ସିଙ୍ଗଲ-ଇଞ୍ଜିନ ଷ୍ଟେଲଥ ବିମାନ ଭାବେ ଜଣାଶୁଣା। ଏହି ବିମାନ ଏୟାପ ଷ୍ଟ୍ରାଇକ, ଗ୍ରାଉଣ୍ଡ ଷ୍ଟ୍ରାଇକ ଏବଂ ଇଲେକ୍ଟ୍ରୋନିକ ଯୁଦ୍ଧରେ ସକ୍ଷମ। କିନ୍ତୁ F-35 ର ମୂଲ୍ୟ ପ୍ରାୟ ୮୨.୫ ମିଲିୟନ ଡଲାର (₹୬୮୮ କୋଟି) ଥିବାବେଳେ Su-57E ଏହା ତୁଳନାରେ ଅଧିକ ଶସ୍ତା। ଏହା ସହିତ, ଆମେରିକାର ଚୁକ୍ତିରେ କଠୋର ନିୟମ ଯେପରିକି ଏଣ୍ଡ ୟୁଜ ମନିଟରିଂ ଏବଂ COMCASA ରହିଛି, ଯାହା ଭାରତର ସ୍ୱାଧୀନତାକୁ ସୀମିତ କରିପାରେ। ଅନ୍ୟପକ୍ଷରେ, ରୁଷିଆର ପ୍ରସ୍ତାବ ଭାରତକୁ ଅଧିକ ସ୍ୱାଧୀନତା ଏବଂ ଟେକ୍ନୋଲୋଜି ଟ୍ରାନ୍ସଫର ପ୍ରଦାନ କରୁଛି।
ଭାରତର ସ୍ଥିତି ଏବଂ ଭବିଷ୍ୟତ:
ଭାରତୀୟ ବାୟୁସେନାରେ ବର୍ତ୍ତମାନ ଯାଏଁ ମଧ୍ୟ ପଞ୍ଚମ ପିଢ଼ିର ଯୁଦ୍ଧବିମାନ ନାହିଁ। ଏବଂ ଏହାର ନିଜସ୍ୱ AMCA (ଆଡଭାନ୍ସଡ ମିଡିୟମ କମ୍ବାଟ ଏୟାରକ୍ରାଫ୍ଟ) ପ୍ରୋଗ୍ରାମ ୨୦୩୪-୩୫ ପୂର୍ବରୁ ପ୍ରସ୍ତୁତ ହେବାର ସମ୍ଭାବନା ନାହିଁ। ଏହି ସମୟକାଳରେ ଚୀନର J-20 ଏବଂ ପାକିସ୍ତାନର FC-31 ଷ୍ଟେଲଥ ଯୁଦ୍ଧବିମାନ ନେଇ ଆଞ୍ଚଳିକ ବିପଦ ବୃଦ୍ଧି ପାଇଛି। ରୁଷିଆର Su-57E ଭାରତ ପାଇଁ ଏକ ଅନ୍ତରୀଣ ସମାଧାନ ହୋଇପାରେ। ଯାହା ଭାରତକୁ ୨୦-୩୦ଟି ବିମାନ ତୁରନ୍ତ ଯୋଗାଇବା ସହ ସ୍ଥାନୀୟ ଉତ୍ପାଦନ ଆରମ୍ଭ କରିପାରିବ। କିନ୍ତୁ, Su-57Eର ଷ୍ଟେଲଥ କ୍ଷମତା ଏବଂ ରୁଷିଆର ସାମରିକ ସପ୍ଲାଇ ଉପରେ ପଶ୍ଚିମ ଦେଶମାନଙ୍କର ନିଷେଧାଜ୍ଞା ସମ୍ବନ୍ଧୀୟ ଚିନ୍ତା ମଧ୍ୟ ରହିଛି।
ଭୂ-ରାଜନୌତିକ ପ୍ରଭାବ:
ରୁଷିଆ ଓ ଭାରତର ଦୀର୍ଘକାଳୀନ ସାମରିକ ସହଯୋଗ ରହିଆସିଛି। ଯେଉଁଥିରେ Su-30MKI ଏବଂ ବ୍ରହ୍ମୋସ ମିସାଇଲ ଭଳି ପ୍ରୋଜେକ୍ଟ ଅନ୍ତର୍ଭୁକ୍ତ। କିନ୍ତୁ, Su-57E ଚୁକ୍ତି ଆମେରିକା ସହ ବିଭିନ୍ନ ୟୁରୋପିୟ ଦେଶ ସହ କୂଟନୈତିକ ସମ୍ପର୍କକୁ ଜଟିଳ କରିପାରେ ବୋଲି ଅନୁମାନ କରାଯାଉଛି। ବିଶେଷତଃ CAATSA ନିଷେଧାଜ୍ଞା ଅଧୀନରେ ଭାରତକୁ ଅଧିକ ଅସୁବିଧାର ସାମ୍ନା କରିବାକୁ ପଡିପାରେ। ଅନ୍ୟପକ୍ଷରେ, F-35 ଚୁକ୍ତି ଭାରତକୁ ଆମେରିକା ସହ ନିକଟତର କରିପାରେ। କିନ୍ତୁ ଏହାର ଉଚ୍ଚ ମୂଲ୍ୟ ଏବଂ ସୀମିତ ଟେକ୍ନୋଲୋଜି ଟ୍ରାନ୍ସଫର ଭାରତ ପାଇଁ ଏକ ବଡ ଚ୍ୟାଲେଞ୍ଜ ସୃଷ୍ଟି କରିବ। ତେଣୁ ଭାରତ ବର୍ତ୍ତମାନ କଣ କରିବ ତାହା ଉପରେ ସମସ୍ତ ଦେଶର ନଜର ରହିଛି।