ନୂଆଦିଲ୍ଲୀ,୦୬/୦୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଜମ୍ମୁ-କାଶ୍ମୀର ଗସ୍ତ କରିବେ । ଏନେଇ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ପ୍ରଧାନମନ୍ତ୍ରୀ ମୋଦି ଏହି ଅବସରର ଚେନାବ ନଦୀ ଉପରେ ନିର୍ମିତ ବିଶ୍ୱର ଉଚ୍ଚତମ ରେଲୱେ ଆର୍କ ବ୍ରିଜ୍ କରିବେ ଲୋକାର୍ପଣ। ଏହା ସହିତ କଟରାରେ ୪୬ ହଜାର କୋଟି ଟଙ୍କାରୁ ଅଧିକ ମୂଲ୍ୟର ଅନେକ ପ୍ରକଳ୍ପ ମଧ୍ୟ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯିବ। ୨୨ ଏପ୍ରିଲରେ ପହଲଗାମ ଆତଙ୍କବାଦୀ ଆକ୍ରମଣର ଜବାବରେ ଭାରତୀୟ ସଶସ୍ତ୍ରବାହିନୀ ଦ୍ୱାରା ଅପରେସନ ସିନ୍ଦୂର ଆରମ୍ଭ ହେବା ପରେ ଏହା ପ୍ରଧାନମନ୍ତ୍ରୀ ମୋଦିଙ୍କ ଜମ୍ମୁ-କାଶ୍ମୀରକୁ ପ୍ରଥମ ଗସ୍ତ। ପିଏମଙ୍କ ଗସ୍ତ ପୂର୍ବରୁ ମୁଖ୍ୟମନ୍ତ୍ରୀ ଓମର ଅବଦୁଲ୍ଲା ମଧ୍ୟ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଥିଲେ। ଏହାପରେ ସେ ନିଜ ‘ଏକ୍ସ’ ଆକାଉଣ୍ଟରେ ଏହାର କିଛି ଫଟୋ ଓ ଭିଡିଓ ସେୟାର କରିଛନ୍ତି ।
ପ୍ରକାଶ ଥାଉକି, ଚେନାବ ରେଳ ସେତୁ ନଦୀଠାରୁ ୩୫୯ ମିଟର ଉଚ୍ଚରେ ନିର୍ମିତ ହୋଇଛି । ଏହାର ଲମ୍ବ ୧,୩୧୫ ମିଟର । ବାତ୍ୟା ଓ ଭୂକମ୍ପ ଭଳି ସ୍ଥିତିରେ ଏହା ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ । ଜମ୍ମୁ ଓ ଶ୍ରୀନଗର ମଧ୍ୟରେ ଯୋଗାଯୋଗ ସୁଗମ ଲାଗି ଏହାକୁ ନିର୍ମାଣ କରାଯାଇଛି । ୧୨୦ ବର୍ଷ ଧରି ଏହା ତିଷ୍ଠି ରହିବ । ଏହି ପ୍ରକଳ୍ପରେ ୧,୪୮୬ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ଏହା କେବଳ ଏକ ସେତୁ ନୁହେଁ, ବରଂ ଭାରତୀୟ ବୈଷୟିକ କ୍ଷମତାର ଏକ ପ୍ରତୀକ । ଏହାର ଉଚ୍ଚତା ଦିଲ୍ଲୀର କୁତୁବ ମୀନାରଠାରୁ ୫ ଗୁଣା ଅଧିକ । ପ୍ୟାରିସର ଏଫିଲ ଟାୱାରଠାରୁ ବି ଏହା ଉଚ୍ଚ । ଏହାକୁ ୨୮ ହଜାର ମେଟ୍ରିକ ଟନ ଇସ୍ପାତରେ ନିର୍ମାଣ କରାଯାଇଛି । ଘଣ୍ଟା ପ୍ରତି ୨୬୬ କିମି ବେଗର ପବନକୁ ଏହା ସହ୍ୟ କରିପାରିବ । ଚେନାବ ସେତୁ ଶୁଭାରମ୍ଭ ହେବା ଦ୍ୱାରା କଟରା ଓ ଶ୍ରୀନଗର ମଧ୍ୟରେ ବନ୍ଦେ ଭାରତ ଏକ୍ସପ୍ରେସ ଯାତ୍ରା ସମୟ ହ୍ରାସ ପାଇ କେବଳ ୩ ଘଣ୍ଟା ହୋଇଯିବ, ଯାହା ବର୍ତ୍ତମାନ ୫-୬ ଘଣ୍ଟା ଲାଗୁଛି । ଚେନାବ ବ୍ରିଜ୍ ସମେତ ପ୍ରଧାନମନ୍ତ୍ରୀ ଅଞ୍ଜି ବ୍ରିଜ୍କୁ ମଧ୍ୟ ଲୋକାର୍ପଣ କରିବେ ।