ଲକ୍ଷ୍ନୌ,୦୬/୦୬:ଭାରତର ମ୍ୟାଙ୍ଗୋ ମ୍ୟାନ୍ ଭାବରେ ଜଣାଶୁଣା ପଦ୍ମଶ୍ରୀ କଲିମୁଲ୍ଲା ଖାନ। ଲକ୍ଷ୍ନୌରେ ଥିବା ତାଙ୍କ ମାଲିହାବାଦ ବଗିଚାରେ ପ୍ରତିବର୍ଷ ଆମ୍ୱ ଋତୁରେ ଦେଖିବାକୁ ମିଳିଥାଏ ଆମ୍ୱର ନୂଆ ପ୍ରଜାତି । ହେଲେ ଭାରତର ଅପରେସନ ସିନ୍ଦୂରର ସଫଳତାକୁ ଏଥର ମ୍ୟାଙ୍ଗୋ ମ୍ୟାନ୍ ଦେଇଛନ୍ତି ସ୍ପେଶାଲ ଟ୍ରିବ୍ୟୁଟ୍ । ଏଥର ସେ ଏକ ନୂତନ କିସମର ଆମ୍ବକୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ନାମରେ ନାମିତ କରିଛନ୍ତି।
ଏହି ସ୍ୱତନ୍ତ୍ର ଆମ୍ବର ଲମ୍ୱା ପ୍ରାୟ ୧୦ ଇଞ୍ଚ ଥିବା ବେଳେ ଓଜନ ପ୍ରାୟ ୭୦୦ ଗ୍ରାମ ରହିଛି । କଲିମୁଲ୍ଲା ଖାନ ମାଲିହାବାଦ ବଗିଚାରେ ଥିବା ଗଛରେ ରାଜନାଥ ସିଂହଙ୍କ ନାମ ସହିତ ଏକ ଫଳକ ଲଗାଇଛନ୍ତି ।ଏନେଇ ସେ କହିଛନ୍ତି ଯେ, ରାଜନାଥ ସିଂହଙ୍କ ଉଚ୍ଚତା ପରି,ଆମ୍ବ ମଧ୍ୟ ଏକ ବଡ଼ ଆକାରର। ଏହି ପ୍ରକାର ସାତ-ଆଠ ବର୍ଷ ମଧ୍ୟରେ ପ୍ରସ୍ତୁତ ହୋଇଛି। ଏହି ବର୍ଷ ଏହା ପ୍ରଥମ ଥର ପାଇଁ ଫଳ ଦେଇଛି। ତେବେ ପୂର୍ବରୁ ସଚିନ ତେନ୍ଦୁଲକର,ଐଶ୍ୱର୍ଯ୍ୟା ରାୟ, ଅଖିଳେଶ ଯାଦବ, ସୋନିଆ ଗାନ୍ଧୀ, ନରେନ୍ଦ୍ର ମୋଦି ଏବଂ ଅମିତ ଶାହଙ୍କ ଭଳି ଅନେକ ପ୍ରମୁଖ ଭାରତୀୟ ବ୍ୟକ୍ତିତ୍ୱଙ୍କ ନାମରେ ଆମ୍ବ କିସମର ନାମକରଣ କରିଥିବା ଖାନଙ୍କୁ ଉଦ୍ୟାନ କୃଷି ଏବଂ ଫଳ ପ୍ରଜନନ ପ୍ରତି ତାଙ୍କର ଅନନ୍ୟ ଅବଦାନ ଏବଂ ସମର୍ପଣ ପାଇଁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରାଯାଇଥିଲା।