ଭୁବନେଶ୍ଵର, ୬/୬ : ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର ମିଳିତ ଜାତିସଙ୍ଘରେ ସମ୍ମାନିତ। ତାଙ୍କୁ ଜାତିସଂଘର ସାସାକାୱା ପୁରସ୍କାର-୨୦୨୫ ପ୍ରଦାନ କରାଯାଇଛି । ବିପର୍ଯ୍ୟୟ ବିପଦ ହ୍ରାସ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ତାଙ୍କୁ ପୁରସ୍କୃତ କରାଯାଇଛି । ସୁଇଜରଲ୍ୟାଣ୍ଡର ଜେନିଭାରେ ମୃତ୍ୟୁଞ୍ଜୟ ମହାପାତ୍ରଙ୍କୁ ଏହି ପୁରସ୍କାର ଦିଆଯାଇଛି।
ଦି ନିପନ୍ ଫାଉଣ୍ଡେସନର ସହାୟତାରେ ୧୯୮୬ ମସିହାରେ ପ୍ରତିଷ୍ଠିତ ଏହି ସଙ୍ଗଠନ ବିପର୍ଯ୍ୟୟ ବିପଦ ହ୍ରାସ କରିବାରେ ଅସାଧାରଣ ପ୍ରୟାସକୁ ସ୍ୱୀକୃତି ଦେଇଥାଏ । ଚଳିତ ବର୍ଷର ଥିମ୍ ଥିଲା "ବିଜ୍ଞାନକୁ ଲୋକଙ୍କ ସହିତ ସଂଯୋଗ କରିବା: ବିପର୍ଯ୍ୟୟ-ପ୍ରତିରୋଧୀ ସମ୍ପ୍ରଦାୟ ପାଇଁ ନବସୃଜନ ଏବଂ ପ୍ରଯୁକ୍ତିବିଦ୍ୟାର ପ୍ରବେଶକୁ ଗଣତାନ୍ତ୍ରିକ କରିବା,"। ବିପର୍ଯ୍ୟୟ ପ୍ରସ୍ତୁତି ଏବଂ ସମ୍ପ୍ରଦାୟ ସ୍ଥିରତା ପାଇଁ ବୈଜ୍ଞାନିକ ଜ୍ଞାନକୁ ସୁଗମ ଏବଂ କାର୍ଯ୍ୟକ୍ଷମ କରିବାରେ ଡକ୍ଟର ମହାପାତ୍ରଙ୍କ ଅମୂଲ୍ୟ କାର୍ଯ୍ୟକୁ ସମ୍ମାନିତ କରାଯାଇଛି।