ରାୟପୁର,୦୬/୦୬: ଛତିଶଗଡ଼ର ବିଜାପୁର ଜିଲ୍ଲା ଇନ୍ଦ୍ରାବତୀ ନ୍ୟାସନାଲ ପାର୍କ ଅଞ୍ଚଳରେ ଗୁରୁବାର ସୁରକ୍ଷା ବାହିନୀ ଓ ନକ୍ସଲଙ୍କ ମଧ୍ୟରେ ପ୍ରବଳ ଗୁଳି ବିନିମୟ ହୋଇଛି । ଏଥିରେ ନକ୍ସଲ ସଙ୍ଗଠନର କେନ୍ଦ୍ରୀୟ କମିଟି ସଦସ୍ୟ ସୁଧାକର (ଗୌତମ) ଓରଫ ଟେଣ୍ଟୁ ଲକ୍ଷ୍ମୀ ନରସିଂହାଚଳମଙ୍କର ମୃତ୍ୟୁ ଘଟିଛି । ସେ ତେଲଙ୍ଗାନା, ଛତିଶଗଡ଼ ଓ ମହାରାଷ୍ଟ୍ର ପାଇଁ ମୋଷ୍ଟ ୱାଣ୍ଟେଡ ମାଓନେତା ଥିଲେ । ତାଙ୍କ ମୁଣ୍ଡ ଉପରେ ପ୍ରାୟ ୧ କୋଟି ଟଙ୍କାର ପୁରସ୍କାର ରହିଥିଲା । ସୁଧାକର ଆନ୍ଧ୍ର ପ୍ରଦେଶ ଚିନ୍ତାପାଲ୍ଲୀ ଅଞ୍ଚଳର ମୂଳ ବାସିନ୍ଦା ।
ବସ୍ତର ରେଞ୍ଜ୍ର ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କ ସୂଚନା ଅନୁସାରେ ନ୍ୟାସନାଲ ପାର୍କ ଅନ୍ତର୍ଗତ ଜଙ୍ଗଲରେ ବହୁସଂଖ୍ୟକ ନକ୍ସଲ ଓ ସେମାନଙ୍କ ନେତା ଏକାଠି ହୋଇଥିବା ନେଇ ଗୁଇନ୍ଦା ତଥ୍ୟ ମିଳିଥିଲା । ସୁଧାକରଙ୍କ ସମେତ ତେଲଙ୍ଗାନା ରାଜ୍ୟ କମିଟି ସଦସ୍ୟ ବନ୍ଦୀ ପ୍ରକାଶ, ଦଣ୍ଡକାରଣ୍ୟ ସ୍ପେଶାଲ ଜୋନାଲ କମିଟି ସଦସ୍ୟ ପାପ୍ପା ରାଓ ଓ ଅନ୍ୟ କିଛି ସଶସ୍ତ୍ର କ୍ୟାଡରଙ୍କ ଉପସ୍ଥିତି ନେଇ ନିର୍ଦ୍ଦିଷ୍ଟ ସୂଚନା ମିଳିଥିଲା । ଏହାକୁ ଆଧାର କରି ଛତିଶଗଡ଼ ପୁଲିସର ଏସ୍ଟିଏଫ ଓ ଡିଆରଜି ଏବଂ ସିଆରପିଏଫ୍ କୋବ୍ରା ବାଟାଲିୟନର କମାଣ୍ଡୋଙ୍କ ପକ୍ଷରୁ ମିଳିତ ଅପରେସନ ଆରମ୍ଭ କରାଯାଇଥିଲା । ପ୍ରାୟ ୫୦ ଘଣ୍ଟାର ଅପରେସନ ପରେ ଗୁରୁବାର ସକାଳେ ନକ୍ସଲଙ୍କ ସହ ସେମାନେ ମୁହାଁମୁହିଁ ହୋଇଥିଲେ । ନକ୍ସଲ ସେମାନଙ୍କ ଉପରକୁ ଅତର୍କିତ ଗୁଳିମାଡ଼ କରିଥିଲେ । ଯବାନମାନେ ତୁରନ୍ତ ପାଲଟା ଗୁଳି ଚଳାଇଥିଲେ । ଯବାନଙ୍କ ଗୁଳିମାଡ଼ ପରେ ନକ୍ସଲମାନେ ଛତ୍ରଭଙ୍ଗ ଦେଇ ପଳାଇଥିଲେ ।
ସେଠାରେ ଯବାନମାନେ ତଲାସୀ କରିବା ବେଳେ ସୁଧାକରଙ୍କ ମୃତଦେହ ମିଳିଥିଲା । ପୁଲିସ ପକ୍ଷରୁ ଏହା ସୁଧାକରଙ୍କ ମୃତଦେହ ବୋଲି କୁହାଯାଉଥିଲା ବେଳେ ନକ୍ସଲଙ୍କ ପକ୍ଷରୁ ଏହା ଉପରେ କୌଣସି ପ୍ରତିକ୍ରିୟା ମିଳିନାହିଁ । ସୁଧାକରଙ୍କ ମୃତଦେହ ନିକଟରୁ ଏକ ଏକେ-୪୭ ଓ କିଛି ବିସ୍ଫୋରକ ମିଳିଛି । ସେଠାରେ ଏବେ ବି ସର୍ଚ୍ଚ ଅପରେସନ ଜାରି ରହିଛି । ଗୁଳି ବିନିମୟ ସ୍ଥଳରେ ଅନେକ ବରିଷ୍ଠ ନକ୍ସଲ କମାଣ୍ଡରଙ୍କ ଉପସ୍ଥିତି ନେଇ ପୂର୍ବରୁ ଗୁଇନ୍ଦା ସୂଚନା ମିଳିଥିବାରୁ ଅଧିକ ମୃତଦେହ ମିଳିବା ସମ୍ଭାବନା ଥିବା ବସ୍ତର ରେଞ୍ଜ ଆଇଜି ସୁନ୍ଦରରାଜ କହିଛନ୍ତି । ନକ୍ସଲ ସଙ୍ଗଠନରେ ଆଉ ପ୍ରାୟ ୧୫ ଜଣ ବରିଷ୍ଠ ନେତା ବଞ୍ଚିଥିବା ବେଳେ ସେମାନଙ୍କ ମଧ୍ୟରୁ ୯ ଜଣ ଏବେ ବସ୍ତର ଜଙ୍ଗଲରେ ଲୁଚିଛନ୍ତି । ସେମାନଙ୍କ ମୁଣ୍ଡରେ ମୋଟ ୮.୪ କୋଟି ଟଙ୍କାର ପୁରସ୍କାର ରହିଛି । ଚଳିତ ବର୍ଷ ସୁଧାକରଙ୍କୁ ମିଶାଇ କେନ୍ଦ୍ରୀୟ କମିଟିର ୩ ଜଣ ସଦସ୍ୟ ନିହତ ହେଲେଣି । ଗତ ଜାନୁଆରୀ ୨୧ରେ ଜୟରାମ ଓରଫ ଚଲପତି ଏବଂ ମେ ୨୧ରେ ସିପିଆଇ (ମାଓବାଦୀ) ଜେନେରାଲ ସେକ୍ରେଟାରୀ ନମ୍ବଲା କେଶବ ରାଓ ଓରଫ ବାସବରାଜୁ ନିହତ ହୋଇଛନ୍ତି ।
ଉଲ୍ଲେଖଯୋଗ୍ୟ, ଗତ ମେ ୨୧ ତାରିଖରେ ବସ୍ତର ଅଞ୍ଚଳରେ ସୁରକ୍ଷା ବାହିନୀର ଏନକାଉଣ୍ଟରେ ୨୭ରୁ ଅଧିକ ନକ୍ସଲ ପ୍ରାଣ ହରାଇଥିଲେ । ସେମାନଙ୍କ ମଧ୍ୟରେ ବାସବରାଜୁ ସାମିଲ ଥିଲେ । ତାଙ୍କ ମୁଣ୍ଡ ଉପରେ ପ୍ରାୟ ୧.୫ କୋଟି ଟଙ୍କାର ପୁରସ୍କାର ରାଶି ରହିଥିଲା । ଏହାର ୭ ଦିନ ପୂର୍ବରୁ ଛତିଶଗଡ଼ର କାର୍ଟେଗୁଡା ଜଙ୍ଗଲରେ ଚାଲିଥିବା ଏନ୍କାଉଣ୍ଟରରେ ୩୧ ଜଣ ନକ୍ସଲ ମଧ୍ୟ ନିପାତ ହୋଇଥିଲେ । ଗତ ୧ ବର୍ଷ ଭିତରେ ପୁଲିସ ଏନ୍କାଉଣ୍ଟରରେ ଅନେକ ନକ୍ସଲ ନେତା ପ୍ରାଣ ହରାଇଛନ୍ତି । ସେମାନଙ୍କ ମଧ୍ୟରେ ଅଛନ୍ତି ଜୟରାମ ଓରଫ ଚଲପତି, ଦାମୋଦର, ନୀତି ଓରଫ ନିର୍ମଳା, ରୂପେଶ, ଦସରୁ, ରଣଧୀର ଓ ଯୋଗନ୍ନା । ୨୦୨୬ ମାର୍ଚ୍ଚ ସୁଦ୍ଧା ସବୁ ନକ୍ସଲଙ୍କୁ ନିପାତ କରାଯାଇ ଦେଶକୁ ମାଓମୁକ୍ତ କରାଯିବ ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ପୂର୍ବରୁ ଘୋଷଣା କରିସାରିଛନ୍ତି । ଏହି ପରିପ୍ରେକ୍ଷୀରେ ନକ୍ସଲ ବିରୋଧୀ ଅଭିଯାନକୁ ସୁରକ୍ଷାବାହିନୀ ଜୋରଦାର କରିଛନ୍ତି ।