ନୂଆଦିଲ୍ଲୀ,୧୪/୦୧: ରିଲାଏନ୍ସ ଜିଓ ବିଶ୍ୱର ସବୁଠାରୁ ଉଚ୍ଚ ଯୁଦ୍ଧ କ୍ଷେତ୍ର ସିଆଚିନ ଗ୍ଲେସିୟରରେ ଇଣ୍ଟରନେଟ ସେବା ପହଞ୍ଚାଇବାକୁ ସକ୍ଷମ ହୋଇଛି । ଭାରତୀୟ ସେନାର ଫାୟାର ଆଣ୍ଡ୍ ଫ୍ୟୁରି ଫୋର୍ସ ପକ୍ଷରୁ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏ ନେଇ ଏକ ପୋଷ୍ଟ ଜରିଆରେ ସୂଚନା ଦିଆଯାଇଛି ।
ସେନା ମୁତାବକ, ଜିଓ ଟେଲିକମ ଏବଂ ଭାରତୀୟ ସେନା ମିଳିତ ହୋଇ ବିଶ୍ୱର ସବୁଠାରୁ ଉଚ୍ଚ ଯୁଦ୍ଧକ୍ଷେତ୍ର ସିଆଚୀନ ଗ୍ଲେସିୟରରେ ପ୍ରଥମ ୫ଜି ମୋବାଇଲ ଟାୱାରକୁ ସଫତଳାପୂର୍ବକ ସ୍ଥାପନ କରିଛନ୍ତି । ଏହାକୁ ସିଆଚୀନର ଏକ ପ୍ରଣ୍ଟ ପୋଷ୍ଟରେ ସ୍ଥାପନ କରାଯାଇଛି । ୧୬ ହଜାର ଫୁଟ ଉଚ୍ଚରେ ସ୍ଥାପନ ହୋଇଛି ଏହି ଟାୱାର । ଜାନୁଆରୀ ୧୫ ରେ ସେନା ଦିବସ ଅବ୍ୟବହିତ ପୂର୍ବରୁ ସିଆଚିନ୍ ଗ୍ଲେସିଅରରେ ୪ଜି ଏବଂ ୫ଜି ସେବା ଆରମ୍ଭ କରି ଜିଓ ଏକ ଅଭୂତପୂର୍ବ ସଫଳତା ହାସଲ କରିଛି । ସିଆଚିନ୍ ଗ୍ଲାସିଅରରେ ସେବା ଆରମ୍ଭ କରିବାରେ ଜିଓ ଦେଶର ପ୍ରଥମ ଅପରେଟର ହୋଇଛି । ଏହାକୁ ଏକ ଉଲ୍ଲେଖନୀୟ ସଫଳତା ଭାବେ ଅଭିହିତ କରି ସେନା ପକ୍ଷରୁ କୁହାଯାଇଛି ଯେ, ଏହି ଅଦମ୍ୟ ସଫଳତା ଆମର ସାହସୀ ସୈନିକମାନଙ୍କ ପାଇଁ ସମର୍ପିତ, ଯେଉଁମାନେ ଆହ୍ୱାନମୂଳକ କଠିନ ପରିସ୍ଥିତିରେ ନିୟୋଜିତ ଥାଇ ଏହି ଆହ୍ୱାନକୁ ସମ୍ପୂର୍ଣ କରିଥିଲେ ।