ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

୮୭ ମୁହାଁ ଟଙ୍କା... ଆଗକୁ ମହଙ୍ଗା ହେବ ଆମଦାନି, ବଢ଼ିବ ତେଲ ଦର

Published By : Prameya | January 14, 2025 9:31 AM

ମୁମ୍ବାଇ,୧୪/୦୧: ମନ୍ଥର ଅଭିବୃଦ୍ଧି ଏବଂ ଅନ୍ୟାନ୍ୟ ଆଶଙ୍କା ମଧ୍ୟରେ ଦୁର୍ବଳ ହୋଇଚାଲିଛି ଟଙ୍କା । ଆମେରିକୀୟ ଡଲାର ତୁଳନାରେ ଏହାର  ବିନିମୟ ମୂଲ୍ୟ ୮୭ ସ୍ତର ଆଡ଼କୁ ଗଲାଣି । ସପ୍ତାହର ପ୍ରଥମ କାରବାର  ଦିବସ ଅର୍ଥାତ୍‌ ସୋମବାର ଡଲାର ତୁଳନାରେ ୫୭ ପଇସା ଖସିଛି ଟଙ୍କା ।  ଏହାର ବିନିମୟ ମୂଲ୍ୟ ୮୬.୬୧ ସ୍ତରକୁ ଖସିଯାଇଛି । ଏଯାବତ୍‌ ଏହା  ସବୁଠାରୁ ନିମ୍ନ ସ୍ତର । ଜାନୁଆରୀ ୧୦ରେ ଏହା ୮୬.୦୪ ସ୍ତରରେ ବନ୍ଦ  ହୋଇଥିଲା । ଦୁଇବର୍ଷରେ ଟଙ୍କା ମୂଲ୍ୟରେ ସର୍ବବୃହତ୍‌ ହ୍ରାସ ଘଟିଛି ।

ବିଶେଷଜ୍ଞଙ୍କ  ଅନୁସାରେ, ଟଙ୍କା ଦୁର୍ବଳ ହେବା ପଛରେ ଅନେକ କାରଣ ରହିଛି । ଇତିମଧ୍ୟରେ ଭାରତୀୟ ସେୟାର ବଜାରରେ ବିଦେଶୀ ନିବେଶକଙ୍କ ବିପୁଳ ମାତ୍ରାରେ ସେୟାର ବିକ୍ରି ଏହାର ଏକ ପ୍ରମୁଖ କାରଣ । ତା’ସହିତ ଭୁ-ରାଜନୈତିକ ସମସ୍ୟାଗୁଡ଼ିକ ମଧ୍ୟ ଟଙ୍କା ଉପରେ ନକାରାତ୍ମକ ପ୍ରଭାବ ପକାଉଛି । ଟଙ୍କା ମୂଲ୍ୟରେ ହ୍ରାସ ଅର୍ଥାତ୍‌ ଭାରତ ପାଇଁ ଅନେକ ସାମଗ୍ରୀର ଆମଦାନି  ବ୍ୟୟବହୁଳ ହେବ । ଏହାବ୍ୟତୀତ ବିଦେଶ ଭ୍ରମଣ ଏବଂ ବିଦେଶରେ ପାଠପଢ଼ା ବି ମହଙ୍ଗା ହେବ । ପେଟ୍ରୋଲିୟମ ସାମଗ୍ରୀ ଏବଂ ସୁନା ଦାମ ବଢ଼ିବ । ସାମଗ୍ରୀ ଦର ବଢ଼ିବା ସହ ମୁଦ୍ରାସ୍ଫୀତି ଚିନ୍ତା ଆହୁରି ତେଜିବ । ଦେଶରେ ବିଦେଶୀ ନିବେଶ କମିବ । 

ଅନ୍ୟପକ୍ଷରେ, ଟଙ୍କାର ବିନିମୟ ମୂଲ୍ୟ ଖସିବା ଦ୍ୱାରା  ବିଦେଶୀ ପର୍ଯ୍ୟଟକଙ୍କ ପାଇଁ ଭାରତ ଭ୍ରମଣ ଶସ୍ତା ହେବ । ଦେଶର ମେଡିକାଲ ପର୍ଯ୍ୟଟନ ଶିଳ୍ପକୁ ଫାଇଦା  ମିଳିବ । ବିଦେଶରୁ ଡଲାର ପଠାଇଲେ ଏହାର ଅଧିକ ବଦଳ ମୂଲ୍ୟ ମିଳିବ । ଡିସେମ୍ବରରୁ ଟଙ୍କା ଦରରେ  ୨% ହ୍ରାସ ଘଟିଛି । ଆଉ କିଛି ଦିନ ଏହା ଚାପ ମଧ୍ୟରେ ରହିବ ବୋଲି ବିଶେଷଜ୍ଞମାନେ ଆଶଙ୍କା ପ୍ରକାଶ  କରିଛନ୍ତି । ବର୍ତ୍ତମାନ ପରିସ୍ଥିତିରେ ଟଙ୍କାକୁ ଟ୍ରାକ୍‌କୁ ଆଣିବା ପାଇଁ ଆର୍‌ବିଆଇର ହସ୍ତକ୍ଷେପ ଲୋଡ଼ା । କେନ୍ଦ୍ରୀୟ  ବ୍ୟାଙ୍କକୁ ଏହାର ସଂକୁଚିତ ହେଉଥିବା ବୈଦେଶିକ ମୁଦ୍ରା ଭଣ୍ଡାରକୁ ଦେଖିଚାହିଁ ବ୍ୟବହାର କରିବାକୁ ପଡ଼ିବ  ବୋଲି ଏମାନେ ମତ ଦେଇଛନ୍ତି । ଦୁର୍ବଳ ଟଙ୍କାକୁ ଟ୍ରାକ୍‌କୁ ଆଣିବା ପାଇଁ ଆର୍‌ବିଆଇ ସ୍ପଟ୍‌ ଏବଂ ଫର୍‌ୱାର୍ଡ  ମାର୍କେଟରେ ଡଲାର ବିକ୍ରି କରୁଛି । 

ସୂଚନାଯୋଗ୍ୟ, ଜାନୁଆରୀ ୩ରେ ଶେଷ ହୋଇଥିବା ସପ୍ତାହରେ  ଦେଶର ବୈଦେଶିକ ମୁଦ୍ରା ଭଣ୍ଡାର ୬୩୪୬୦ କୋଟି ଡଲାରକୁ ଖସିଆସିଛି । ବିଶ୍ୱର ପ୍ରାୟ ୮୫%  କାରବାର ଆମେରିକୀୟ ଡଲାରରେ ହୋଇଥାଏ । ଏହାକୁ ବିଶ୍ୱର ସବୁଠାରୁ ସ୍ଥିର କରେନ୍ସି ଭାବେ ଗଣନା  କରାଯାଇଥାଏ । ବିଶ୍ୱବ୍ୟାପୀ କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକରେ ଥିବା ବିଦେଶୀ ମୁଦ୍ରା ମଧ୍ୟରେ ୬୪% ଡଲାର  ଆକାରରେ ଅଛି । ବିଶ୍ୱବ୍ୟାପୀ ୩୯% ଋଣ ଆମେରିକୀୟ ଡଲାରରେ ଦିଆଯାଇଥାଏ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.