ପ୍ରମୂଖ ଖବର
  • ଆସନ୍ତା ଦୁଇ ଦିନ ବିକ୍ଷିପ୍ତ ସ୍ଥାନରେ ବର୍ଷା ସମ୍ଭାବନା, ୨୫ରୁ ରାଜ୍ୟରେ ପ୍ରବଳ ଛେଚିବ
  • ||

ରଥଖଳା ହାଲ୍‌ଚାଲ୍‌...ଦଣ୍ଡା ଉଠି ରଥ ମୂଳଦୁଆ ପଡ଼ିଲା, ଅନୁକୂଳ ପରେ ପଡ଼ିଲା କଣ୍ଟା

ପୁରୀ,୧୬/୦୬: ଯୁଦ୍ଧକାଳୀନ ଭିତିରେ ଚାଲିଛି ରଥ ନିର୍ମାଣ । ଶନିବାର ଅଖ ଉପରେ ଦଣ୍ଡା ଉଠି ରଥର ମୂଳଦୁଆ ସ୍ଥାପନ ହୋଇଛି । ତିନି ରଥର ମୁଖ୍ୟ ବିଶ୍ୱକର୍ମା ଶ୍ରୀଫଳ ଭାଙ୍ଗି ଏହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟର ଅନୁକୂଳ କରିଥିଲେ । ବିଶ୍ୱକର୍ମା  ଓ ଭୋଇ ସେବକ ମିଶି ତିନି ରଥର ମୂଳଦୁଆ  ପକାଇଛନ୍ତି । ପରେ ଦଣ୍ଡା କଣ୍ଟା ଅନୁକୂଳ  ହୋଇ କମାର ସେବକମାନେ ଦଣ୍ଡା କଟା  ପିଟିଛନ୍ତି । ଦଣ୍ଡା ଆଗ ଓ ପଛ ମୁହାଁଟରେ ଗୁଜ ଓ ଜଳଯନ୍ତ୍ର ରଖି ଆଗିଆଣି ଓ  ପଛିଆଣି ନିରାଡ଼ି ସ୍ଥାପନ କରାଗଲା । ରବିବାର ରଥରେ ଚାରି ନାହାକା ଉଠାଇବାକୁ ପ୍ରସ୍ତୁତି ଚାଲିଥିବା ସୂଚନା ରହିଛି ।  

ସିଂହଦ୍ୱାର ରଥ ଆସ୍ଥାନକୁ ଦେଖି ସେହି ଦିଗକୁ  ଚାହିଁ ଥାକ ହୋଇଥିଲା ଚକ । ଦଣ୍ଡା କାମ ଠାରୁ ଆରମ୍ଭ  କରି ରଥର କଳସ ପ୍ରତିଷ୍ଠା ପର୍ଯ୍ୟନ୍ତ ସବୁ କାମର  ଓଜନ ଅଖ ସାମ୍ଭାଳିବ । ତେଣୁ ଅଖ ତଳେ ମେଣ୍ଢି ଓ  ଚକ ଉଭୟ ପାଶ୍ୱର୍ରେ ବନ୍ଧ ଲାଗିଥିଲା । ଦଣ୍ଡା ପ୍ରସ୍ତୁତ  ହୋଇ ଯେଉଁ ଅନୁସାରେ ଚିହ୍ନ ଦିଆଯାଇ ଫ୍ରେମ  ହୋଇଥିଲା, ସେହି ଅନୁଯାୟୀ ଅଖ ଉପରେ ସ୍ଥାପନ  କରାଗଲା । ଅଖର ଗୋଲେଇ ଅନୁସାରେ ଦଣ୍ଡାକୁ  କାଟି ଖାପ କରାଯାଇଥିଲା । ଚକ ଅଖ ଉପରେ  ଦଣ୍ଡାକୁ ଗୋଳେଇ ମାପଚୂପ ପରେ ଅଖ ସହିତ  ଦଣ୍ଡା ସମତୁଲ ହେଲା । ପରେ କତା ଦଉଡ଼ି ବାନ୍ଧି  ଦଣ୍ଡାକୁ ଜବତ୍‌ କରାଗଲା । ନନ୍ଦିଘୋଷ ଓ ତାଳଧ୍ୱଜ  ରଥର ୯ଟି ଲେଖାଏଁ ଦଣ୍ଡା ଓ ଦର୍ପଦଳନ ରଥର  ୭ଟି ଦଣ୍ଡାକୁ ଅଖ ଉପରେ ରଖାଗଲା । 

ଆଗ ଓ  ପଛ ମୁହାଁଟ ସ୍ଥାପନ କରାଗଲା । ଦଣ୍ଡା ଉଠିଲା ପରେ  ଭୋଇସେବକମାନେ ହରିବୋଲି ଧ୍ୱନୀ ଦେଇଥିଲେ ।  ଆଗ ଓ ପଛ ମୁହାଁଟରେ ଗୁଜ ଓ ଜଳଯନ୍ତ୍ର  ରହିଲା । ସେଥିରେ ଆଗିଆଣି ଓ ପଛିଆଣି  ନିରାଡ଼ି ସ୍ଥାପନ କରାଗଲା । ମୂଳଦୁଆ ମଜଭୁତି  ପାଇଁ ଦଣ୍ଡାରେ କଣ୍ଟା ପଡ଼ିଲା । ମୁଖ୍ୟ କମାର  ସେବକମାନେ ଅନୁକୂଳ କରି କଣ୍ଟା ପିଟିଥିଲେ । ଚକର ବାହାର ଓ ଭିତର ପାଶ୍ୱର୍ ଦଣ୍ଡାରେ କଣ୍ଟା  ପିଟାଯାଇଛି । ଓଝାସେବକମାନେ ଦଣ୍ଡାବିଡ଼ିଆ କଣ୍ଟା ଓ  ଘଡ଼ିମୁହଁ କଣ୍ଟା ପିଟିଛନ୍ତି । ତୁମ୍ବ ଓ କୁଡ଼ୁକାକୁ ସଂଯୋଗ  କରି ଘଡ଼ିମୁହଁ କଣ୍ଟା ପିଟାଯାଇଛି । ଅଖ ଓ ଦଣ୍ଡାରେ  ଦଣ୍ଡାବିଡ଼ିଆ କଣ୍ଟା ପିଟିଲେ । ଓଝା ସେବକମାନେ ପୋଖରିଆରେ ଚଉରସ କଣ୍ଟା ପିଟିଥିଲେ । ରଥଖଳାରେ ରୂପକାରମାନେ ରଥ ପ୍ରସ୍ତୁତିରେ  ବ୍ୟସ୍ତ ଅଛନ୍ତି । ସ୍ନାନ ପୂର୍ଣ୍ଣମୀର ଯଥେଷ୍ଟ ପୂର୍ବରୁ  ଚାରିନାହାକା ଉଠି ଭୂଇଁ କାମ ଆରମ୍ଭ କରିବାକୁ  ପ୍ରୟାସ କରାଯାଉଥିବା ରଥଖଳାରୁ ସୂଚନା ମିଳିଛି ।

  • PrameyaOdia
  • prameya
  • Ratha Yatra 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.