ନୂଆଦିଲ୍ଲୀ,୨୫/୦୬: ସିଡିଏସ୍ଙ୍କୁ ନୂଆ କ୍ଷମତା । ଏଣିକି ଦେଶର ତିନି ସେନା ମୁଖ୍ୟଙ୍କୁ ସଂଯୁକ୍ତ ନିର୍ଦ୍ଦେସ ଦେବେ ସିଡିଏସ୍ । ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ ଅନୀଲ ଚୌହାନଙ୍କୁ କ୍ଷମତା ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଏକୀକୃତ ହୋଇ କାମ କରିବାକୁ ପଦକ୍ଷେପ ନିଆଯାଇଛି । ପୂର୍ବରୁ ପ୍ରତି ସେନା ପାଇଁ ଭିନ୍ନ ଭିନ୍ନ ଆଦେଶ ଜାରି ହୋଉଥିଲା ।
ଭାରତୀୟ ସଶସ୍ତ୍ର ବଳକୁ ଆଧୁନିକୀକରଣ କରିବା ଦିଗରେ ଆଉ ଏକ ପଦକ୍ଷେପ ସ୍ୱରୂପ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସିଡିଏସ୍ (ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍) ତଥା ସାମରିକ ବ୍ୟାପାର ବିଭାଗ ସଚିବଙ୍କୁ ୩ ସେନା (ସ୍ଥଳସେନା, ବାୟୁସେନା ଓ ନୌସେନା) ପାଇଁ ସଂଯୁକ୍ତ ଆଦେଶ ଜାରି କରିବାର କ୍ଷମତା ପ୍ରଦାନ କରିଛନ୍ତି । ପୂର୍ବରୁ ପ୍ରଚଳିତ ବ୍ୟବସ୍ଥା ଭିତରେ ଏହା ଏକ ବଡ଼ ପରିବର୍ତ୍ତନ । କାରଣ ପୂର୍ବରୁ ୩ ସେନା ପକ୍ଷରୁ କୌଣସି ମାମଲାରେ ପୃଥକ ପୃଥକ ଆଦେଶ ଦିଆଯାଉଥିଲା ।
୩ ସେନାର ସଂଚାଳନ ପ୍ରକ୍ରିୟାକୁ ସହଜ କରିବା, ସେମାନଙ୍କ ଭିତରେ ଉପଯୁକ୍ତ ସମନ୍ୱୟ ଓ ତାଳମେଳକୁ ଅଧିକ ମଜଭୁତ କରିବା ଉଦ୍ଦେଶ୍ୟରେ ଏଭଳି ପଦକ୍ଷେପ ନିଆଯାଇଛି । ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ବିବୃତ୍ତିରେ ଏହି ସୂଚନା ଦିଆଯାଇଛି । ସେଥିରେ କୁହାଯାଇଛି ଯେ, ଏଭଳି ପଦକ୍ଷେପ ଫଳରେ ୩ ସେନା ବାହିନୀ ମଧ୍ୟରେ ଉତ୍ତମ ପାରଦର୍ଶିତା, ସମନ୍ୱୟ ଓ ପ୍ରଶାସନିକ ଦକ୍ଷତା ରହିପାରିବ । ଏହାଫଳରେ ୩ ବାହିନୀ ମଧ୍ୟରେ ଏକତା ଓ ସମନ୍ୱୟର ଏକ ନୂଆ ଯୁଗ ଆରମ୍ଭ ହେବ ଯାହା ରାଷ୍ଟ୍ରର ସେବାରେ ସଶସ୍ତ୍ର ବଳକୁ ମଜଭୁତ କରିବ ।
ପ୍ରତିରକ୍ଷା ମନ୍ତ୍ରଣାଳୟର ଏଭଳି ପଦକ୍ଷେପକୁ ଥିଏଟର କମାଣ୍ଡ ଲାଗୁ କରିବାର ପ୍ରୟାସ ଭାବେ ଦେଖାଯାଉଛି । ଥିଏଟର କମାଣ୍ଡ ଅଧୀନରେ ସରକାର ସ୍ଥଳସେନା, ନୌସେନା ଓ ବାୟୁସେନାକୁ ଏକାଠି ଯୋଡିବାକୁ ଚାହୁଁଛନ୍ତି । ଯାହାଫଳରେ କି ଯୁଦ୍ଧ କିମ୍ବା ଅନ୍ୟ କୌଣସି ସାମରିକ ଅଭିଯାନ ବେଳେ ୩ ସେନା ଏକାଠି କାର୍ଯ୍ୟ କରିବେ ଓ ସେମାନଙ୍କ ସଂଶାଧନର ସର୍ବାଧିକ ଉପଯୋଗ ହେବ ।