ନୂଆଦିଲ୍ଲୀ,୨୫/୦୬: ଭାରତ ପାଇଁ ଐତିହାସିକ ଦିନ । ପ୍ରତିଟି ଭାରତୀୟଙ୍କ ପାଇଁ ଗର୍ବ ଓ ଗୌରବର ମୂହୁର୍ତ୍ତ । ୪୧ ବର୍ଷ ପରେ ମହାକାଶରେ ଉଡ଼ିବ ତ୍ରିରଙ୍ଗା । ଇତିହାସ ରଚିବେ ଆଇଏଏଫ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା । ବହୁ ପ୍ରତୀକ୍ଷିତ ଆକ୍ସିଅମ୍-୪ ମିଶନ୍ ଲଞ୍ଚ ହୋଇଛି । ଫ୍ଲୋରିଡା ସ୍ଥିତ ନାସାର କେନେଡ଼ି ସ୍ପେସ୍ ସେଣ୍ଟରରୁ ଆକାଶକୁ ଛୁଇଁବାକୁ ଅନ୍ତରୀକ୍ଷକୁ ଉଡ଼ାଣ ଭରିଛନ୍ତି ଗ୍ରୁପ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା । ତାଙ୍କ ସହିତ ୩ ମହାକାଶଚାରୀ ରହିଛନ୍ତି । ପୁଅର ଏହି ସଫଳତା ଦେଖି ଭାବବିହ୍ୱଳ ହୋଇଛନ୍ତି ଶୁଭାଂଶୁଙ୍କ ମା' ।
ମହାକାଶକୁ 'ଶୁଭ' ଅଭିଯାନ- ରାକେଶ ଶର୍ମାଙ୍କ ପରେ ଭାରତୀୟ ଭାବେ ମହାକାଶ ଯାତ୍ରା କରିଛନ୍ତି ଶୁଭାଂଶୁ ଶୁକ୍ଳା । ୪୧ ବର୍ଷ ପରେ ଅନ୍ତରୀକ୍ଷରେ ଉଡ଼ିବ ତ୍ରିରଙ୍ଗା । ଏ ନେଇ ସବୁଠି ଉତ୍ସାହ, ସେଲିବ୍ରେସନ୍ । ଇଣ୍ଟରନ୍ୟାସନାଲ ସ୍ପେସ୍ ସେଣ୍ଟରକୁ ଉଡ଼ାଣ ଭରିଛନ୍ତି ଭାରତର ସୁନାପୁଅ ଶୁଭାଂଶୁ । ଏହା ପରେ 'ଜୟ ହିନ୍ଦ ଜୟ ଭାରତ' ସନ୍ଦେଶ ଦେଇଛନ୍ତି ସେ । ମହାକାଶକୁ ଶୁଭାଂଶୁ ଶୁକ୍ଳା ଉଡ଼ାଣ ଭରିବା ପରେ ଆନନ୍ଦରେ ବିଭୋର ହୋଇଥିଲେ ତାଙ୍କ ବାପାମାଆ । ପୁ୍ଅର ଏହି ସଫଳତାରେ ମାଆ ଆଶା ଶୁକ୍ଳା ଭାବବିହ୍ୱଳ ହୋଇଥିବା ଦେଖିବାକୁ ମିଳିଥିଲା । ବାପାଙ୍କ ଛାତି ଗର୍ବରେ କୁଣ୍ଢେମୋଟ ହୋଇଛି । ଶୁଭାଂଶୁଙ୍କ ପତ୍ନୀଙ୍କ ଆଖିରୁ ମଧ୍ୟ ଝରି ଯାଇଥିଲା ଖୁସିର ଲୁହ ।
#WATCH | Lucknow, Uttar Pradesh: Mother of IAF Group Captain & astronaut Shubhanshu Shukla, Asha Shukla, gets emotional as she cheers for her son, who is part of the #AxiomMission4 pic.twitter.com/62Ki2J3hRU
— ANI (@ANI) June 25, 2025
କିଏ ଶୁଭାଂଶୁ ଶୁକ୍ଳା- ବାୟୁସେନା ଅଧିକାରୀରୁ ମହାକାଶଚାରୀ ହୋଇଛନ୍ତି ଶୁଭାଂଶୁ ଶୁକ୍ଳା । ଭାରତୀୟ ବାୟୁସେନାର ଯୁଦ୍ଧବିମାନର ପରୀକ୍ଷଣ ପାଇଲଟ ହୋଇଥିଲେ । ଶୁଭାଂଶୁଙ୍କର ୨ ହଜାର ଘଣ୍ଟାରୁ ଅଧିକ ସମୟ ଉଡ଼ାଣ ଅଭିଜ୍ଞତା ରହିଛି । ସୁଖୋଇ-୩୦ ଏମ୍ଏକଆଇ, ମିଗ୍-୨୧, ଜଗୁଆର ପରି ବିମାନ ଉଡାଇଛନ୍ତି । ଶୁଭାଂଶୁ ୨୦୧୯ ମସିହାରେ ଇସ୍ରୋ ଗଗନଯାନ ପାଇଁ ଆବେଦନ କରିଥିଲେ, ଯାହା ପରେ ତାଙ୍କୁ ଗଗନଯାନ ମାନବ ମହାକାଶ ଉଡ଼ାଣ କାର୍ଯ୍ୟକ୍ରମ ମନୋନୀତ କରାଯାଇଥିଲା । ଏହା ପରେ ସେ ମହାକାଶ ଯିବା ପାଇଁ ଋଷ ଏବଂ ବେଙ୍ଗାଲୁରୁରେ ତାଲିମ ନେଇଥିଲେ । ଲକ୍ଷ୍ନୌରେ ଜନ୍ମିତ ଶୁଭାଂଶୁ ଶୁକ୍ଳାଙ୍କ ଶିକ୍ଷା ବିଷୟରେ କହିବାକୁ ଗଲେ ସେ, ଲକ୍ଷ୍ନୌର ସିଟି ମୋଣ୍ଟେସୋରି ସ୍କୁଲରୁ ସ୍କୁଲ ଶିକ୍ଷା ସମାପ୍ତ କରିଛନ୍ତି । ସେ ବେଙ୍ଗାଲୁରୁର ଭାରତୀୟ ବିଜ୍ଞାନ ସଂସ୍ଥାନରୁ ଏରୋସ୍ପେସ୍ ଇଞ୍ଜିନିୟରିଂରେ ଏମ୍ଟେକ୍ ଡିଗ୍ରୀ ହାସଲ କରିଛନ୍ତି ।
ଅଧିକ ପଢନ୍ତୁ...ଇତିହାସ ରଚିଲେ ଶୁଭାଂଶୁ ଶୁକ୍ଳା; ଆକ୍ସିଅମ୍-୪ ମିଶନ ଲଞ୍ଚ୍, କାଲି ସାଢ଼େ ୪ଟାରେ ଡକିଂ
ଆକ୍ସିଅମ୍-୪ ମିଶନ୍ କ'ଣ ? ୬ ଥର ଘୁ଼ଞ୍ଚିବା ପରେ ବହୁପ୍ରତୀକ୍ଷିତ ଆକ୍ସିଅମ୍-୪ ମିଶନ୍ ଲଞ୍ଚ ହୋଇଛି । ଫ୍ଲୋରିଡା ସ୍ଥିତ ନାସାର କେନେଡ଼ି ସ୍ପେସ୍ ସେଣ୍ଟରରୁ ଉଡ଼ାଣ ଭରିଛନ୍ତି ଶୁଭାଂଶୁଙ୍କ ସମେତ ୪ ମହାକାଶଚାରୀ । ଭାରତ, ପୋଲାଣ୍ଡ ଓ ହେଙ୍ଗେରୀ ପାଇଁ ଏହି ମିଶନ୍ ଐତିହାସିକ କୁହାଯାଉଛି । କାରଣ ଏହି ଦେଶମାନଙ୍କର ମହାକାଶ ଯାତ୍ରୀଙ୍କୁ ପ୍ରଥମ ଥର ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରକୁ ପଠାଯାଇଛି । ଆକ୍ସିଓମ୍-୪ ଏକ ଘରୋଇ ମହାକାଶ ମିଶନ୍, ଯାହା ଆକ୍ସିଓମ୍ ସ୍ପେସ୍, ନାସା ଓ ସ୍ପେସ୍ଏକ୍ସର ସହଯୋଗରେ ସଂଚାଳିତ ହେଉଛି । ଏହା ସ୍ପେସ୍ଏକ୍ସର ଫାଲକନ୍-୯ ରକେଟ୍ ଓ କ୍ରରୁ ଡ୍ରାଗନ୍ ଯାନ ଜରିଆରେ ମହାକାଶ ଯାତ୍ରୀଙ୍କୁ ସ୍ପେସ୍ ଷ୍ଟେସନ୍ରେ ପହଞ୍ଚାଇବ । ମିଶନ୍ର ଇସ୍ରୋ ପକ୍ଷରୁ ପାଇଲଟ୍ ଭୂମିକା ତୁଲାଇଛନ୍ତି ଶୁଭାଂଶୁ ଶୁକ୍ଳା । ମିଶନ୍ର ଅବଧି ୧୪ ଦିନ ରହିବ । ଭାରତର ମହାକାଶ ଯାତ୍ରା ଗଗନଯାନ ପାଇଁ ଏହି ମିଶନ୍ ଗୁରୁତ୍ୱପୂର୍ଣ୍ଣ ହେବ ।