ଭୁବନେଶ୍ୱର, ୧୯/୦୨ : ବୁଧବାରଠାରୁ ରାଜ୍ୟରେ ବର୍ଷା ହେବ । ଉତ୍ତର ଓଡ଼ିଶା ଓ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ହୋଇପାରେ। ୨୦ ତାରିଖରୁ ଉତ୍ତର ଓଡ଼ିଶାର ବିସ୍ତୃତ ଅଞ୍ଚଳରେ ବର୍ଷା ସମ୍ଭାବନା ଅଛି ବୋଲି ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି । ପ୍ରଫେସର ପଶୁପାଳକଙ୍କ ପୂର୍ବାନୁମାନ ଅନୁସାରେ, ୨୦ରୁ ୨୩ ତାରିଖ ଯାଏ ଉତ୍ତର ଓଡ଼ିଶାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ଏହି ୪ ଦିନ ଭଦ୍ରକ, ବାଲେଶ୍ୱର ଓ ମୟୂରଭଞ୍ଜରେ ହାରାହାରି ୯୦ ମିମି ପର୍ଯ୍ୟନ୍ତ ବର୍ଷା ହେବ । ଯାଜପୁର, କେନ୍ଦୁଝର ଓ ଢେଙ୍କାନାଳରେ ୩୦ ମିମି ଯାଏ ବର୍ଷା ହୋଇପାରେ । ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, ଅନୁଗୁଳ, କେନ୍ଦ୍ରାପଡ଼ା ଓ କଟକରେ ୫ରୁ ୧୫ ମିମି ପର୍ଯ୍ୟନ୍ତ ବର୍ଷା ହୋଇପାରେ ।
ସେହିପରି ଦକ୍ଷିଣ ଓଡ଼ିଶାର ଆଭ୍ୟନ୍ତରୀଣ ଗଞ୍ଜାମ, ଗଜପତି ଓ ଫୁଲବାଣୀର କାଁ ଭାଁ କିଛି ସ୍ଥାନରେ ବୁନ୍ଦା ବର୍ଷା ହୋଇପାରେ । ୧୯ରେ ଭଦ୍ରକ ଓ ମୟୂରଭଞ୍ଜର ଅଳ୍ପ କିଛି ସ୍ଥାନରେ ପାଗ ମେଘୁଆ ରହିବା ସହ ବିଜୁଳି ଓ ଘଡ଼ଘଡ଼ି ସହିତ ବର୍ଷା ହୋଇପାରେ । ୨୦ରେ ଭଦ୍ରକ, ବାଲେଶ୍ୱର ଓ ମୟୂରଭଞ୍ଜର ବିସ୍ତୃତ ଅଞ୍ଚଳରେ ୨୦ରୁ ୨୫ମିମି ବର୍ଷା ସମ୍ଭାବନା ଅଛି । ଢେଙ୍କାନାଳ, କେନ୍ଦୁଝର ଓ ଯାଜପୁରରେ ୧୦ରୁ ୨୦ମିମି ବର୍ଷା ହୋଇପାରେ । ୨୧ ତାରିଖରେ ବର୍ଷା କମିବ । ଭଦ୍ରକ, ଯାଜପୁର ଓ ବାଲେଶ୍ୱରର ଅନେକ ସ୍ଥାନରେ ୧୦ରୁ ୧୫ମିମି ବର୍ଷା ସମ୍ଭାବନା ଅଛି । କେନ୍ଦ୍ରାପଡ଼ା ଓ ଢେଙ୍କାନାଳରେ ୫ରୁ ୧୦ମିମି ବର୍ଷା ହୋଇପାରେ । ୨୨ରେ ଭଦ୍ରକ, ବାଲେଶ୍ୱର ଓ ୨୩ରେ ଭଦ୍ରକ, କେନ୍ଦ୍ରାପଡ଼ାର ବିସ୍ତୃତ ଅଞ୍ଚଳରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ୨୩ ତାରିଖ ସନ୍ଧ୍ୟା ପରେ ବର୍ଷା ଛାଡ଼ିଯିବ ।
ଆଗକୁ ବର୍ଷା ଥିବାରୁ ପନିପରିବା, ମୁଗ, ବିରି, ଚିନାବାଦାମ ଓ ଆଳୁ କ୍ଷେତରୁ ପାଣି ନିଷ୍କାସନ ବ୍ୟବସ୍ଥା କରିବାକୁ ପ୍ରଫେସର ପଶୁପାଳକ ପରାମର୍ଶ ଦେଇଛନ୍ତି । ଆଳୁ ଫସଲରେ ପତ୍ରପୋଡ଼ା ଓ ଚିନାବାଦାମରେ ଝାଉଁଳା ରୋଗ ହେବାର ଆଶଙ୍କା ଅଛି । ସୋରିଷ ଗଛରେ ପାଉଁଶିଆ ରୋଗ ହୋଇପାରେ । କୃଷି ବିଜ୍ଞାନ କେନ୍ଦ୍ରରୁ ପରାମର୍ଶ ନେଇ ରୋଗ, ପୋକର ନିୟନ୍ତ୍ରଣ କରିବାକୁ ସେ ପରାମର୍ଶ ଦେଇଛନ୍ତି । ସେହିଭଳି ୧୯ରୁ ୨୪ ତାରିଖ ଯାଏ ସ୍ୱଳ୍ପରୁ ମଧ୍ୟମ ବର୍ଷା ସମ୍ଭାବନା ଅଛି ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ୨୨ ତାରିଖ ଯାଏ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।