ନୂଆଦିଲ୍ଲୀ: ଭାରତ ଓ ଫ୍ରାନ୍ସ ଆଜି ଏକ ଐତିହାସିକ ପ୍ରତିରକ୍ଷା ଚୁକ୍ତି ସ୍ୱାକ୍ଷର କରିଛନ୍ତି। ଯେଉଁଥିରେ ଭାରତୀୟ ନୌସେନା ପାଇଁ ୨୬ଟି ରାଫେଲ-ମେରାଇନ୍ ଲଢ଼ୁଆ ଯୁଦ୍ଧ ବିମାନ କିଣାଯିବା ପାଇଁ ୬୩,୦୦୦ କୋଟି ଟଙ୍କାର ଚୁକ୍ତି ହୋଇଛି। ଯାହା ଭାରତର ସାମୁଦ୍ରିକ ସୁରକ୍ଷାକୁ ଅଧିକ ମଜବୁତ କରିବା ସହ ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା ସହଯୋଗକୁ ଆହୁରି ମଜବୁତ କରିଛି।
ଖବର ମୁତାବକ, ଭାରତ ଓ ଫ୍ରାନ୍ସ ମଧ୍ୟରେ ହୋଇଥିବା ଚୁକ୍ତିରେ ମୋଟ୍ ୨୬ଟି ରାଫେଲ-ମେରାଇନ୍ ଜେଟ୍ କିଣାଯିବାର ଯୋଜନା ରହିଛି। ଯାହା ମଧ୍ୟରେ ୨୨ଟି ଏକକ-ଆସନ ଏବଂ ୪ଟି ଦୁଇ-ଆସନ ବିଶିଷ୍ଟ ଟ୍ରେନର୍ ଭାରିଅଣ୍ଟ ସାମିଲ ରହିଛି। ତେବେ ଏହି ବିମାନଗୁଡ଼ିକ ଭାରତୀୟ ନୌସେନାର ଯୁଦ୍ଧପୋତ ଜାହାଜ ଆଇ.ଏନ୍.ଏସ୍. ବିକ୍ରମାଦିତ୍ୟ ଏବଂ ଆଇ.ଏନ୍.ଏସ୍. ବିକ୍ରାନ୍ତରୁ ପରିଚାଳନା କରାଯିବ। ବିମାନ କିଣାଯିବା ସହ ବିମାନର ରକ୍ଷଣାବେକ୍ଷଣ, ଲଜିଷ୍ଟିକ୍ ସମର୍ଥନ, ନୌସେନା କର୍ମୀଙ୍କ ପାଇଁ ତାଲିମ ଆଦି ପାଇଁ ମଧ୍ୟ ଫ୍ରାନ୍ସ ସହ ଚୁକ୍ତି କରାଯାଇଛି।
ଏହି ଜେଟ୍ଗୁଡ଼ିକ ମିଟିଅର୍ ଏୟାର-ଟୁ-ଏୟାର୍ ମିସାଇଲ୍, ଏକ୍ସୋସେଟ୍ ଆଣ୍ଟି-ସିପ୍ ମିସାଇଲ୍, ଏବଂ ସ୍କାଲ୍ପ କ୍ରୁଜ୍ ମିସାଇଲ୍ ସହିତ ସୁସଜ୍ଜିତ କରାଯିବ। ଏହା ସହିତ ବିଭିନ୍ନ ସ୍ୱଦେଶୀ ଜ୍ଞାନ କୈଶଳରେ ନିର୍ମିତ ଅସ୍ତ୍ରଶସ୍ତ୍ର ଓ ରୁଦ୍ରମ ମିସାଇଲ୍ ମଧ୍ୟ ସଂଯୋଜନ କରାଯିବାର ଲକ୍ଷ୍ୟ ରହିଛି। ତେବେ ବିମାନ ହସ୍ତାନ୍ତର ପ୍ରକ୍ରିୟା ୨୦୨୯ ଶେଷ ସୁଦ୍ଧା ଆରମ୍ଭ ହୋଇ ଏବଂ ୨୦୩୧ ସୁଦ୍ଧା ସମ୍ପୂର୍ଣ୍ଣ ହେବ ବୋଲି ସୂଚନା ମିଳିଛି। ଏହି ଜେଟ୍ଗୁଡ଼ିକ ଭାରତୀୟ ନୌସେନାର ପୁରୁଣା ମିଗ୍-୨୯କେ ବିମାନକୁ ବଦଳାଇ ଏହା ସ୍ଥାନରେ କାର୍ଯ୍ୟ କରିବେ। ଆସନ୍ତା ୨୦୩୧ ସୁଦ୍ଧା ପର୍ଯ୍ୟାୟକ୍ରମେ ମିଗ୍-୨୯କେ ବିମାନକୁ ରିଟାୟର୍ଡ କରିବାକୁ ଭାରତୀୟ ନୈ-ସେନା ଯୋଜନା ରଖିଛି।
ଏହି ଚୁକ୍ତି ଭାରତୀୟ ନୌସେନାର ବିମାନ ଶକ୍ତିକୁ ଉନ୍ନତ କରିବା ସହ ଭାରତ ମହାସାଗର ଅଞ୍ଚଳରେ ଚୀନ୍ ଏବଂ ଅନ୍ୟାନ୍ୟ ପ୍ରତିଦ୍ୱନ୍ଦୀଙ୍କ ସାମରିକ ଗତିବିଧି ଉପରେ ନଜର ରଖିବାରେ ସହାୟକ ହେବ। ଏହା ମଧ୍ୟ ‘ମେକ୍ ଇନ୍ ଇଣ୍ଡିଆ’ ଉଦ୍ୟମକୁ ପ୍ରୋତ୍ସାହନ ଦେବ। କାରଣ ଏହି ଚୁକ୍ତିରେ ବିମାନରେ ସ୍ୱଦେଶୀ ଉପାଦାନ ଓ ଭାରତୀୟ ମିସାଇଲ୍ ଆଦିର ବ୍ୟବହାର କରାଯିବାକୁ ନେଇ ଚୁକ୍ତି ସମ୍ପାଦନ ହୋଇଛି।
ଏହି ଚୁକ୍ତି ନୂଆଦିଲ୍ଲୀର ନୌସେନା ଭବନରେ ସ୍ୱାକ୍ଷରିତ ହୋଇଛି, ଯେଉଁଠାରେ ଫ୍ରାନ୍ସର ରାଷ୍ଟ୍ରଦୂତ ଏବଂ ଭାରତର ପ୍ରତିରକ୍ଷା ସଚିବ ରାଜେଶ କୁମାର ସିଂହ ଉପସ୍ଥିତ ଥିଲେ। ଫ୍ରାନ୍ସର ପ୍ରତିରକ୍ଷା ମନ୍ତ୍ରୀ ସେବାସ୍ଟିଆନ୍ ଲେକର୍ନୁ ଏହି ଚୁକ୍ତିରେ ସାମିଲ ହେବାର ଯୋଜନା ରହିଥିଲା। ତେବେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିବା କାରଣରୁ ସେ ତାଙ୍କ ଭାରତ ଗସ୍ତକୁ ଶେଷ ସମୟରେ ବାତିଲ କରିଥିଲେ।
ଏହା ପୂର୍ବରୁ ୨୦୧୬ରେ ଭାରତୀୟ ବାୟୁସେନା ପାଇଁ ୩୬ଟି ରାଫେଲ ଜେଟ୍ କିଣାଯାଇଥିଲା। ଯାହା ବର୍ତ୍ତମାନ ଆମ୍ବାଲା ଓ ହାସିମାରା ଏୟାର ବେସରୁ ପରିଚାଳିତ ହେଉଛନ୍ତି। ନୂଆ ଡିଲ୍ ସହିତ ଭାରତର ମୋଟ ରାଫେଲ ସଂଖ୍ୟା ୬୨କୁ ବୃଦ୍ଧି ପାଇବାକୁ ଯାଉଛି। ଯାହା ୪.୫+(ଯୁକ୍ତ) ପିଢ଼ିର ବିମାନ ଭାବେ ଦେଶର ସାମରିକ ଶକ୍ତିକୁ ବଢ଼ାଇବାରେ ସହାୟକ ହେବେ।
ଏହି ଚୁକ୍ତି ଭାରତର ନୌସେନା ଶକ୍ତି ଓ ଇଣ୍ଡୋ-ପ୍ୟାସିଫିକ ଅଞ୍ଚଳରେ ଭାରତୀୟ ସେନାର ସାମରିକ ପ୍ରଭାବକୁ ନୂଆ ଉଚ୍ଚତା ପ୍ରଦାନ କରିବ ବୋଲି ଆଶା କରାଯାଉଛି।