କଟକ,୦୬/୦୨: ଅବସର କେବଳ କାର୍ଯ୍ୟରୁ ନିଜକୁ ବିରତ କରିବା ନୁହେଁ, ଏହା ଏକ ଦୀର୍ଘଦିନର ପ୍ରତୀକ୍ଷା ଯେଉଁଠି ଜଣେ କର୍ମଚାରୀ ଶାନ୍ତିରେ ଟିକେ ନିଶ୍ୱାସ ମାରିବା ପାଇଁ ସୁଯୋଗ ପାଇଥାଏ । ଏଭଳି ସ୍ଥିତିରେ ଭିଜିଲାନ୍ସ ମାମଲା ରୁଜୁ କରିବାର ୧୨ବର୍ଷ ପରେ ଜଣେ ଅବସରପ୍ରାପ୍ତ କର୍ମଚାରୀଙ୍କ ବିରୋଧରେ ବିଭାଗୀୟ ପ୍ରୋସିଡିଂ କରାଯିବା ଆଇନ ଦୃଷ୍ଟିରୁ ଗ୍ରହଣୀୟ ନୁହେଁ ବୋଲି ହାଇକୋର୍ଟ ମତଦେଇଛନ୍ତି। ଏହି ଅବସରରେ ଅଦାଲତ ସଂପୃକ୍ତ କର୍ମଚାରୀଙ୍କ ବିରୋଧରେ ରୁଜୁ ଶୃଙ୍ଖଳାଗତ ପ୍ରୋସିଡିଂକୁ ରଦ୍ଦ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଧନେଶ୍ୱର ନାୟକଙ୍କ ପକ୍ଷରୁ ଆଗତ ମାମଲାର ଶୁଣାଣି କରି ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଏସ୍.କେ. ପାଣିଗ୍ରାହୀ ଏହି ରାୟ ଦେଇଛନ୍ତି ।
ମାମଲାରୁ ଜଣାଯାଇଛି ଯେ, ଲୁହାପଥର ଚାଲାଣ ଅଭିଯୋଗରେ ୨୦୧୦ ମସିହାରେ ଭିଜିଲାନ୍ସ ପକ୍ଷରୁ ଆବେଦନକାରୀଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା । ଆବେଦନକାରୀ ୨୦୨୨ ଅକ୍ଟୋବର ୩୧ତାରିଖରେ କାର୍ଯ୍ୟରୁ ଅବସର ଗ୍ରହଣ କଲେ । ଏହି ଅବସର ଗ୍ରହଣ କରିବାର ମାତ୍ର ଚାରିଦିନ ପୂର୍ବରୁ ଅର୍ଥାତ ୨୬ତାରିଖ ଦିନ ଭିଜିଲାନ୍ସ ଏସ୍ପି ଆବେଦନକାରୀଙ୍କ ବିରୋଧରେ ଏକ ମେମୋରେଣ୍ଡମ ପରିବହନ କମିସନରଙ୍କ ନିକଟକୁ ପଠାଇଥିଲେ । କମିସନର ଏହାକୁ ଗ୍ରହଣ କରି ପରିବହନ ବିଭାଗକୁ ପଠାଇ ଦେଇଥିଲେ ।
୨୦୨୪ ଫେବ୍ରୁଆରୀ ୨୧ ତାରିଖରେ ଆବେଦନକାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଥିଲା । ଏହି ପ୍ରୋସିଡିଂକୁ ଚାଲେଞ୍ଜ କରି ଆବେଦନକାରୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ହାଇକୋର୍ଟ ଏହି ମାମଲାର ଶୁଣାଣି ଅବସରରେ ଏତେ ବିଳମ୍ବରେ ଜଣେ ଅବସରପ୍ରାପ୍ତ କର୍ମଚାରୀଙ୍କ ବିରୋଧରେ ପ୍ରୋସିଡିଂ କରାଯିବା ଆଇନ ଦୃଷ୍ଟିରୁ ଗ୍ରହଣୀୟ ନୁହେଁ ବୋଲି ମତ ଦେଇଛନ୍ତି । ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଜ୍ଞାନରଞ୍ଜନ ସେଠୀ ମାମଲା ପରିଚାଳନା କରୁଥିଲେ ।