ପ୍ରମୂଖ ଖବର
  • ମୟୂରଭଞ୍ଜ : ବୁରୁସାହି ଠାରେ ଅଫିମ ଚାଷ ଘଟଣା: ୨ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ
  • ||
  • ସୁନ୍ଦରଗଡ଼ : ମା' ପୁଅଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଲୁଟ୍‌, ସୁନା : ଅଳଙ୍କାର ସହ ଟଙ୍କା ନେଇଗଲେ ଲୁଟେରା
  • ||
  • ଉଦଳା : ମର୍ଣ୍ଣିଙ୍ଗ୍‌ ୱାକ୍‌ କରିବି ବେଳେ ଧକ୍କା ଦେଲା ପିକଅପ୍‌ ଗାଡ଼ି, ଚାଲିଗଲା ବ୍ୟକ୍ତିଙ୍କ ଜୀବନ
  • ||
  • ଜଳଲାପୁଟ ଜଳଭଣ୍ଡାରରେ ଡ଼ଙ୍ଗା ବୁଡି ଘଟଣା: ୮୪ ଘଣ୍ଟା ପରେ ଆଉ ଜଣଙ୍କ ମୃତଦେହ ଉଦ୍ଧାର
  • ||
  • ଜୟପୁର : ଜଳ ସମ୍ପଦ ଅଧିକାରୀଙ୍କ ଘରେ ଭିଜିଲାନ୍ସ ରେଡ୍‌, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • ରାଉରକେଲା : ମାଲବାହୀ ଟ୍ରେନ୍‌ ଲାଇନ୍‌ଚ୍ୟୁତ, ରୋଡ୍‌ ଉପରକୁ ମାଡ଼ିଗଲା ୩ ବଗି
  • ||

ମୃତ୍ୟୁ ପରେ ପ୍ରଜନନ

Published By : Prameya | February 5, 2025 9:57 AM

ଆଜି ବିଜ୍ଞାନ ଅନେକ ପ୍ରଗତି କରିଛି । ଉତ୍ପାଦନ ଅକ୍ଷମ ଦମ୍ପତିଙ୍କୁ ସନ୍ତାନ ପ୍ରଦାନ କରିବା ସମ୍ଭବ ହୋଇଛି । ଏପରିକି ଗେମେଟ୍‌ସକୁ ସଂରକ୍ଷଣ କରି ପୁନର୍ବାର ସଚଳ କରି ସନ୍ତାନ ଜନ୍ମଦେବା କ୍ଷେତ୍ରରେ ଉଲ୍ଲେଖନୀୟ ଅଗ୍ରଗତି ହୋଇପାରିଛି । ସମାଜ, ରାଷ୍ଟ୍ରର କର୍ତ୍ତବ୍ୟ ଏହାର ଯେପରି ଉପଯୁକ୍ତ ଭାବରେ ବ୍ୟବହାର କରିବା ପାଇଁ ଆଇନର ନିର୍ଦ୍ଦିଷ୍ଟ ନିର୍ଦ୍ଦେଶ ରଖିବା । ଅଦାଲତ ଏଠାରେ ଅନ୍ୟାୟ କରିନାହାନ୍ତି । ନ୍ୟାୟ ପ୍ରପ୍ତିରୁ ବଂଚିତ କରିନାହାନ୍ତି ।

ସେଥିଲା ଯୁବକ, ଅବିବାହିତ । ଭୋଗୁଥିଲା କ୍ୟାନ୍ସର । କେମୋଥେରାପି ଚିକିତ୍ସାରେ ଥିଲା ଦିଲ୍ଲୀର ଏକ ଡାକ୍ତରଖାନାରେ । ମୃତ୍ୟୁ ସହିତ ଲଢ଼ି ଲଢ଼ି ସେ ହାରିଗଲା । କିନ୍ତୁ ମୃତ୍ୟୁ ପୂର୍ବରୁ ସେ ତାର ସିମେନ୍‌ ବା ଶୁକ୍ରାଣୁ ବା ରେତକୁ ସଂରକ୍ଷଣ କରି ରଖିବାକୁ ଅନୁରୋଧ କରିଯାଇଥିଲା ଡାକ୍ତରଖାନା କର୍ତ୍ତୃପକ୍ଷଙ୍କୁ । ତାହା ବି କରିଥିଲେ କର୍ତ୍ତୃପକ୍ଷ । ଏହି ପଦ୍ଧତିକୁ କୁହାଯାଏ କ୍ରାୟୋ ପ୍ରିଜର୍ଭେସନ ବା ଅତ୍ୟନ୍ତ ନିମ୍ନ ତାପମାତ୍ରାରେ କୌଣସି କୋଷ, ଟିସ୍ୟୁ, ଅଙ୍ଗ ବା ଅନ୍ୟାନ୍ୟ ଜୈବିକ ଉପାଦାନକୁ ହିମାୟିତ କରି ବା ସଂରକ୍ଷଣ କରି ରଖିବା । ଏହି ପ୍ରକ୍ରିୟାରେ ସେସବୁ ଅକ୍ଷୁଣ୍ଣ ରହେ ନଷ୍ଟ ନହୋଇ । ଏହି ପ୍ରକ୍ରିୟାରେ କଠିନ ଅଙ୍ଗାରକାମ୍ଳ (-୮୦ ଡିଗ୍ରୀ ସେଣ୍ଟିଗ୍ରେଡ), ତରଳ ନାଇଟ୍ରୋଜେନ (-୧୯୬ ଡିଗ୍ରୀ ସେଣ୍ଟିଗ୍ରେଡ) ଆଦି ବ୍ୟବହାର କରାଯାଏ । ସେହି ଯୁବକର ୨୦୨୦ ମସିହାରେ ମୃତ୍ୟୁ ହେବା ପରେ ତାର ବାପା, ମାଆ ହସପିଟାଲର ଦ୍ୱାରସ୍ଥ ହୋଇଥିଲେ ସେହି ସଂରକ୍ଷିତ ରେତକୁ ଫେରି ପାଇବା ପାଇଁ । କାରଣ ତାକୁ ବ୍ୟବହାର କରି କୌଣସି ମହିଳା ମାଧ୍ୟମରେ ସନ୍ତାନ ପାଇବା ସମ୍ଭବ । କିନ୍ତୁ କର୍ତ୍ତୃପକ୍ଷ ହସ୍ତାନ୍ତର କରିବାକୁ ମନା କରିଦେଇଥିଲେ ହାଇକୋର୍ଟର ଉପଯୁକ୍ତ ନିର୍ଦ୍ଦେଶ ବିନା । ତେଣୁ ସେମାନେ ଆବେଦନ କରିଲେ ହାଇକୋର୍ଟରେ । 

ଡାକ୍ତରଖାନା କର୍ତ୍ତୃପକ୍ଷ ସେଠାରେ ଯୁକ୍ତି ବାଢ଼ିଲେ, କୌଣସି ଆଇନ ଏପରିକି ଆସିଷ୍ଟେଡ ରିପ୍ରୋଡକଟିଭ ଟେକନୋଲଜି (ଆର୍ଟ) ରେଗୁଲେସନ ଆକ୍ଟ-୨୦୨୧ ମଧ୍ୟ କୌଣସି ଅବିବାହିତ ଯୁବକର ମୃତ୍ୟୁ ହେଲେ ତାର ପିତା ମାତା ବା ଉତ୍ତରାଧିକାରୀଙ୍କୁ ତାର ସଂରକ୍ଷିତ ରେତକୁ ପ୍ରଦାନ କରିବା ବାବଦରେ କିଛି କଲେନାହିଁ । କିନ୍ତୁ ୨୦୨୪ ଅକ୍ଟୋବର ୪ ତାରିଖରେ ଦିଲ୍ଲୀ ହାଇକୋର୍ଟ ହସପିଟାଲ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଲେ ତାର ପିତାମାତାଙ୍କୁ ତାହା ପ୍ରଦାନ କରିବା ପାଇଁ, ଯାହାକୁ ସେମାନେ ବ୍ୟବହାର କରିପାରିବେ ପୋସ୍‌ଥୁମସ୍‌ ରିପ୍ରୋଡକସନ୍‌ ବା ମୃତ୍ୟୁ ପରେ ପ୍ରଜନନ ମାଧ୍ୟମରେ ସନ୍ତାନ ପ୍ରାପ୍ତି ପାଇଁ । ହାଇକୋର୍ଟ ଆହୁରି ମଧ୍ୟ ଉଲ୍ଲେଖ କଲେ ଅବଶ୍ୟ ଆର୍ଟ ଆକ୍ଟ-୨୧୨୧ ବା ଏହାର ୨୦୨୨ର କୌଣସି ଆଇନ ଏପରି ପରିସ୍ଥିତିର କଥା ଉଲ୍ଲେଖ କରିନାହିଁ । କିନ୍ତୁ ଆଉ ଏକ ରାଷ୍ଟ୍ରର ଏପରି ନିର୍ଦ୍ଦେଶ ଅଛି । ଉଦାହରଣ ଦେଇଥିଲେ ଜର୍ମାନୀର ୨୦୧୮ ମସିହାର ଅଦାଲତ ନେଇଥିବା ନିଷ୍ପତ୍ତିକୁ । ଏହାଫଳରେ ନିମ୍ନ ତାପମାତ୍ରାରେ ସଂରକ୍ଷିତ ଏକ ଅବିବାହିତ ମୃତ ଯୁବକର ରେତକୁ ତାର ପିତାମାତା ଡାକ୍ତରଖାନାରୁ ପ୍ରାପ୍ତ ହୋଇଥିଲେ । ଏହା ଅଣାଯାଇଥିଲା ଜର୍ମାନୀରୁ ଭାରତକୁ ଓ ଏହାକୁ ବ୍ୟବହାର କରି ସେମାନେ ଦୁଇଟି ସନ୍ତାନ, ଅବଶ୍ୟ ନାତି ନାତୁଣୀ ପ୍ରାପ୍ତ ହୋଇଥିଲେ ଜଣେ ଏଗ୍‌ ଡୋନର ବା ଜଣେ ଡିମ୍ବ ଦାନ କରିଥିବା ମହିଳା ଓ ଆଉ ଜଣେ ଗର୍ଭରେ ଧାରଣ କରିବା ପାଇଁ ଉପଯୁକ୍ତ ସରୋଗେଟ୍‌ ମଦର ମାଧ୍ୟମରେ । 

ଏଠାରେ ହାଇକୋର୍ଟ ପୋସଥୁମସ୍‌ କନସେପସନ୍‌ ବା ମୃତ୍ୟୁ ପରେ ଗର୍ଭଧାରଣକୁ ବ୍ୟାଖ୍ୟା କରି ଅଯଥା ତର୍କ ମଧ୍ୟକୁ ନଯାଇ ବଳବତ୍ତର ଥିବା ଆଇନ ଓ ତାକୁ ତର୍ଜମା କରିବା ମଧ୍ୟରେ ରହିଥିବା ଗ୍ୟାପ୍‌କୁ ପୂରଣ କରିଦେଇଥିଲେ ଅନ୍ୟ ରାଷ୍ଟ୍ରରେ ପ୍ରଚଳିତ ଏତାଦୃଶ ଆଇନ ଓ ନିର୍ଦ୍ଦେଶକୁ ଅନୁଧ୍ୟାନ କରି । ତେବେ ଏହି ଘଟଣା ଅନେକ ନୈତିକ ପ୍ରଶ୍ନବାଚୀ ସୃଷ୍ଟି କରିଛି ଓ ବିତର୍କ ଭିତରକୁ ଠେଲି ହୋଇଯାଇଛି । କହିବାକୁ ହେବ ଏପରି ଭାବରେ ଗର୍ଭଧାରଣ କରିବା, ଅଙ୍ଗ ବା ଜୈବିକ ଉପାଦାନକୁ ସଂରକ୍ଷଣ କରି ରଖିବା, ସେଥିପାଇଁ ଆଇନ ତିଆରି କରିବା ଓ ତାକୁ ତର୍ଜମା କରିବା ଅନେକ ଚାଲେଞ୍ଜ ସୃଷ୍ଟି କରିଛି । ପ୍ରଜନନ ବିଜ୍ଞାନ ଅନେକ ଅଗ୍ରଗତି କରିଛି । କ୍ରାୟୋ ପ୍ରିଜର୍ଭେସନର ପଦ୍ଧତି ବି । ଶରୀର ବାହାରେ ଗେମେଟ୍‌ସ ବା ରେତ ଏବଂ ଡିମ୍ବାଣୁଗୁଡ଼ିକୁ ବହୁଦିନ ପର୍ଯ୍ୟନ୍ତ ସଂରକ୍ଷଣ କରି ରଖିବା ସମ୍ଭବ । ଅନେକ ମହିଳା ଓ ପୁରୁଷ ଏପରି ମଧ୍ୟ କରୁଛନ୍ତି ଭବିଷ୍ୟତରେ ସନ୍ତାନ ପ୍ରାପ୍ତିର ସମ୍ଭାବନା ଉଦ୍ଦେଶ୍ୟରେ । ମାତ୍ର କ୍ରାୟୋ ପ୍ରିଜର୍ଭଡ ଗେମେଟ୍‌ସକୁ ଜଣକର ମୃତ୍ୟୁ ପରେ ବ୍ୟବହାର କରି ପୋସ୍‌ଥୁମସ୍‌ ରିପ୍ରୋଡକ୍‌ସନ ଉଠାଇଛି ନୈତିକ ପ୍ରଶ୍ନ । ଏଥିପାଇଁ ଆଇନର କିଛି ବ୍ୟବସ୍ଥା କରାଯାଇନାହିଁ । 

ସରୋଗେସି ରେଗୁଲେସନ ଆକ୍ଟ-୨୦୨୨ ଅଥବା ଆର୍ଟ ଆକ୍ଟ-୨୦୨୧ ଅବଶ୍ୟ ଅଛି । କିନ୍ତୁ ଏଗୁଡ଼ିକ ପ୍ରଜନନ କ୍ଷମତା, ବନ୍ଧ୍ୟାତ୍ୱ, ସରୋଗେସି ଅର୍ଥାତ୍‌ ଅନ୍ୟ ଜଣେ ମହିଳା ମାଧ୍ୟମରେ କୌଣସି ଦମ୍ପତିଙ୍କର ସନ୍ତାନ ଲାଭ ଆଦି ବିଷୟକୁ ନେଇ ବ୍ୟବସ୍ଥାର କଥା କହେ । କିନ୍ତୁ ନିରବ-ମୃତ୍ୟୁ ପରେ ପ୍ରଜନନ ବାବଦରେ । ଆର୍ଟ ଆକ୍ଟରେ ମଧ୍ୟ କୁହାଯାଇଛି, ଜଣକର ମୃତ୍ୟୁ ପରେ ତା’ଠାରୁ ଶୁକ୍ରାଣୁ ବା ଡିମ୍ବାଣୁ ସଂଗ୍ରହ କରାଯାଇପାରିବ, ଯଦି ସେହି ଦମ୍ପତି ଇଚ୍ଛା ପ୍ରକାଶ କରିଥିବେ ଇଚ୍ଛାପତ୍ର ମାଧ୍ୟମରେ ବା ଏପରି କୌଣସି ନିର୍ଦ୍ଧାରିତ ନିୟମ ମାଧ୍ୟମରେ । ପୁଣି ମଧ୍ୟ କୁହାଯାଇଛି, ଏପରି କରାଯାଇପାରିବ ଯଦି ସେମାନେ ବନ୍ଧ୍ୟା ବା ଉତ୍ପାଦନଶୀଳ ହୋଇନଥିବେ । ଅର୍ଥାତ୍‌ ଏହି ଆଇନରେ କେବଳ ବିବାହିତ ଅନୁତ୍ପାଦନଶୀଳ ପୁରୁଷ ବା ମହିଳା ହୋଇଥିବେ । କିନ୍ତୁ ଅବିବାହିତ ଓ ଗ୍ରାଣ୍ଡ ପ୍ୟାରେଣ୍ଟସ୍‌ ବା ପିତାମହ ମାତାମହୀଙ୍କ କଥା କିଛି ଉଲ୍ଲେଖ ନାହିଁ । ତେବେ ହାଇକୋର୍ଟ ଏହି ଆଇନକୁ ତର୍ଜମା କରିଛନ୍ତି ଯେ, ଯଦିଓ ଏହା ସ୍ପଷ୍ଟ ଭାବେ ଉଲ୍ଲେଖ ନାହିଁ । କିନ୍ତୁ ଏହି ଆଇନର ଅନ୍ତଃସ୍ୱରରେ ଏହା ନିହିତ ଅଛି । ତେଣୁ ଅଦାଲତ ସେହି ଗ୍ରାଣ୍ଡ ପ୍ୟାରେଣ୍ଟସ୍‌ଙ୍କ ଭାବପ୍ରବଣତା ଓ ନିଜର ଲିଗାସି ବା ବଂଶଧାରାକୁ ବଜାୟ ରଖିବାର ମାନସିକତା ଓ ଅନୁରୋଧକୁ ହୁଏତ ପ୍ରତ୍ୟାଖ୍ୟାନ କରିପାରି ନାହାଁନ୍ତି । କାରଣ ବଂଶରକ୍ଷା ପାଇଁ ସନ୍ତାନର ଆବଶ୍ୟକତା ହୃଦୟଙ୍ଗମ କରିବା ସମୀଚୀନ । ଏ ବାବଦରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଉଲ୍ଲେଖ କରିଛନ୍ତି ଯେ, ଆର୍ଟ ଆକ୍ଟ କେବଳ ଇନଫର୍ଟାଇଲ କପ୍ଲ ବା ଅନୁତ୍ପାଦନଶୀଳ ଦମ୍ପତିଙ୍କୁ ସନ୍ତାନ ପ୍ରାପ୍ତି ପାଇଁ କରାଯାଇଛି । ଏଇ ଯେଉଁ ଘଟଣାଟି ଘଟିଛି ସେ ବାବଦରେ ଏହି ଆଇନ ପ୍ରଯୁଜ୍ୟ ନୁହେଁ । ତେବେ ପ୍ରଶ୍ନ ଉଠିଛି, ଗ୍ରାଣ୍ଡ ପ୍ୟାରେଣ୍ଟହୁଡ୍‌ର ନୈତିକତା ଉପରେ ଓ ଯେଉଁ ପଦ୍ଧତିରେ ମୃତ୍ୟୁ ପୂର୍ବରୁ ଯୁବକଟି ପାଖରୁ ସଂଗ୍ରହ କରାଯାଇଥିଲା ତାର ସିମେନ୍‌ ଉପରେ ଅନେକ ରାଷ୍ଟ୍ରର ଅଦାଲତ ଏଭଳି ଘଟଣା ଉପରେ ଅଧିକ ଆଲୋକପାତ କରିଛନ୍ତି । 

ମଣିଷର ଜୈବିକ ପଦାର୍ଥ ଉପରେ ନିଜର, ନିଜ ପରିବାରର ଅଧିକାର ବାବଦରେ ଅନେକ ଅନୁସନ୍ଧାନ, ବିଶ୍ଳେଷଣ କରିଛନ୍ତି ଓ ମାଲିକାନା ସ୍ଥିର କରିବାକୁ ଆଗ୍ରହୀ ହୋଇଛନ୍ତି । ଯେପରିକି ମୃତ୍ୟୁ ପରେ ମାଲିକାନାରୁ ତାଙ୍କୁ ବଞ୍ଚିତ କରାନଯାଏ । ମୃତ୍ୟୁ ପରେ ସେହି ଗେମେଟ୍‌ସଙ୍କୁ ପୁନର୍ବାର ସକ୍ଷମ କରି ତାକୁ ବ୍ୟବହାର କରି ସନ୍ତାନ ପାଇବା ବାବଦରେ ସେତେ ସ୍ପଷ୍ଟ ହୋଇପାରି ନାହାଁନ୍ତି । କାରଣ ଏହା ଅନେକ ନୈତିକ ଓ ନ୍ୟାୟିକ ଜଟିଳତା ସୃଷ୍ଟି କରିବ ବୋଲି । ହୁଏତ ଏପରି ମୃତ୍ୟୁ ପରେ ପ୍ରଜନନରେ ସନ୍ତାନ ଜନ୍ମ ହେଲେ ତା’ ମାତୃ/ପିତୃ ପରିଚୟ ଓ ସରୋଗେଟ୍‌ ମଦରକୁ ମାଆର ଅଧିକାର ପ୍ରଦାନ କରିବା ଆହୁରି ଅନେକ ଜଟିଳତା ଦିଗରେ ଗତି କରିବ । ଏପରିକି ୟୁରୋପୀୟ ଦେଶସମୂହ ନିର୍ଦ୍ଦେଶନାମା ମଣିଷର ଜେନେଟିକ୍‌ ମ୍ୟାଟେରିଆଲକୁ କିପରି ନିରାପଦ ଭାବରେ ହ୍ୟାଣ୍ଡଲିଂ କରାଯାଇପାରିବ ଓ ରିପ୍ରଡକ୍‌ଟିଭ ମ୍ୟାଟେରିଆଲକୁ ଅତ୍ୟନ୍ତ ସାବଧାନତାର ସହିତ ହସ୍ତାନ୍ତର କରାଯିବ ସେ ବିଷୟ ଉଲ୍ଲେଖ କରିଛନ୍ତି । କିନ୍ତୁ ଉଲ୍ଲେଖ କରିନାହାଁନ୍ତି ଏହି ପଦାର୍ଥକୁ କ’ଣ ଏକ ସମ୍ପତ୍ତି ଭାବରେ ବିବେଚନା କରାଯିବ? ଯେପରିକି କାହାର ମୃତ ଦେହ, ଅଙ୍ଗ, ଇଷ୍ଟେଟ ଇତ୍ୟାଦି । ଆନ୍ତର୍ଜାତିକ କ୍ଷେତ୍ରରେ ମହିଳାମାନେ ସ୍ୱର ଉତ୍ତୋଳନ କରିଛନ୍ତି ମଣିଷର ଶରୀର ବା ଅଙ୍ଗ ପ୍ରତ୍ୟଙ୍ଗ ଉପରେ ତାର ନିଜର ଅଧିକାର ଅଛି । ଆଉ କାହାର ନୁହେଁ, ଏପରିକି ସ୍ତ୍ରୀ ସ୍ୱାମୀର ସଂପତ୍ତି ନୁହେଁ ଯେ ସେ ଯେପରି ଚାହିଁବ ତାକୁ ପଣ୍ୟ ଭାବରେ ବ୍ୟବହାର କରିବ । ଏହି ପ୍ରୋପର୍ଟି ଆପ୍ରୋଚ ଅତ୍ୟନ୍ତ ସମ୍ବେଦନଶୀଳ ଓ ଅନେକ ପ୍ରଶ୍ନ ଉଠାଇଛି, କାରଣ ମଣିଷ ଏକ ପଣ୍ୟ ହୋଇଯିବ ଅନ୍ୟମାନଙ୍କ ଦ୍ୱାରା । ଏଠାରେ ଅଦାଲତ ମୃତ ଯୁବକର ଜେନେଟିକ୍‌ ମ୍ୟାଟେରିଆଲକୁ ତାର ପରିବାରର ସଂପତ୍ତି ଭାବେ ବୋଧେ ଗ୍ରହଣ କରିଛନ୍ତି, ତେଣୁ ହସ୍ତାନ୍ତର କରିଛନ୍ତି ତାର ଗ୍ରାଣ୍ଡ ପ୍ୟାରେଣ୍ଟସ୍‌ଙ୍କୁ ଅନ୍ୟ ରାଷ୍ଟ୍ରର ଏପରି ରାୟକୁ ପ୍ରସଙ୍ଗ କରି । ଆଜି ବିଜ୍ଞାନ ଅନେକ ପ୍ରଗତି କରିଛି । ଉତ୍ପାଦନ ଅକ୍ଷମ ଦମ୍ପତିଙ୍କୁ ସନ୍ତାନ ପ୍ରଦାନ କରିବା ସମ୍ଭବ ହୋଇଛି । 

ଏପରିକି ଗେମେଟ୍‌ସକୁ ସଂରକ୍ଷଣ କରି ପୁନର୍ବାର ସଚଳ କରି ସନ୍ତାନ ଜନ୍ମଦେବା କ୍ଷେତ୍ରରେ ଉଲ୍ଲେଖନୀୟ ଅଗ୍ରଗତି ହୋଇପାରିଛି । ସମାଜ, ରାଷ୍ଟ୍ରର କର୍ତ୍ତବ୍ୟ ଏହାର ଯେପରି ଉପଯୁକ୍ତ ଭାବରେ ବ୍ୟବହାର କରିବା ପାଇଁ ଆଇନର ନିର୍ଦ୍ଦିଷ୍ଟ ନିର୍ଦ୍ଦେଶ ରଖିବା । ଅଦାଲତ ଏଠାରେ ଅନ୍ୟାୟ କରିନାହାନ୍ତି । ନ୍ୟାୟ ପ୍ରପ୍ତିରୁ ବଂଚିତ କରିନାହାନ୍ତି । ପ୍ରତ୍ୟେକ ରାୟର ଏକ ହ୍ୟୁମେନ ଆଙ୍ଗଲ ପ୍ରଚ୍ଛନ୍ନ ଭାବରେ ଥାଏ । ଏଠାରେ ସେମାନେ ଚାହିଁଛନ୍ତି ନିଜ ମୃତ ପୁତ୍ରର ସନ୍ତାନଟିଏ ପାଇଁ କ୍ରାୟୋ ପ୍ରିଜର୍ଭଡ ସିମେନକୁ ପାଇବା ପାଇଁ ଓ ତାର ସଦ୍‌ବ୍ୟବହାର ମାଧ୍ୟମରେ ନିଜ ବଂଶର ଲେଗାସିକୁ ପ୍ରତିଷ୍ଠା କରିବା ପାଇଁ । କିଏ ତାର ମାଆ ହେବା ପାଇଁ ଏଗ୍‌ ଡୋନେଟ୍‌ କରିବ, କିଏ ଗର୍ଭ ଧାରଣ କରିବ ସେ ତ ସବୁ ପଛ କଥା । କୌଣସି ନିର୍ଦ୍ଦିଷ୍ଟ ଆଇନର ବ୍ୟବସ୍ଥା ଯଦି ନରହେ ଓ କେବଳ ଇଣ୍ଟରପ୍ରିଟେସନ ବା ବ୍ୟାଖ୍ୟା ଉପରେ ଛାଡ଼ି ଦିଆଯାଏ ତାହେଲେ ଏକ ଅସମାହିତ ପ୍ରଶ୍ନ ହୋଇ ରହିଯିବ ଚିରକାଳ । ତେଣୁ ଲାଗୁ ହୋଇଥିବା ଆଇନ ବା ଆର୍କ ଆକ୍ଟ ଓ ଉଠୁଥିବା ଅନେକ ନୈତିକ ପ୍ରଶ୍ନ ଓ ଅଦାଲତର ବ୍ୟାଖ୍ୟା ଏସବୁକୁ ଅନୁଧ୍ୟାନ କରି ଏହି ଆଇନ ଭିତରେ ଥିବା ଗ୍ୟାପ୍‌ ବା ଅନ୍ତରକୁ ପୂରଣ କରିବା ସର୍ବାଦୌ କର୍ତ୍ତବ୍ୟ । ଏହା ଆଶ୍ୱସ୍ତି ପ୍ରଦାନ କରିବ ଓ କେହି ନିଜ ଅଧିକାରରୁ ବଞ୍ଚିତ ହେବାର ସମ୍ଭାବନା ରହିବ ନାହିଁ ।



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.