ରାଉରକେଲା ,୦୩/୦୬: ପେଟ୍ରୋଲ ପମ୍ପ ପାର୍କିଂରୁ ବିସ୍ଫୋରକ ବୋଝେଇ ଟ୍ରକ୍ ଜବତ । ଗୋଦାମ ମାଲିକଙ୍କୁ ଗିରଫ କଲା ପୁଲିସ । ରାଉରକେଲା ୧୪୩ ନମ୍ବର ଜାତୀୟ ରାଜପଥର ଦେଓଗାଁ ସ୍ଥିତ ପେଟ୍ରୋଲ ପମ୍ପ ପାର୍କିଂରୁ ବିସ୍ଫୋରକ ବୋଝେଇ ୨ଟି ଟ୍ରକ୍ ଜବତ କରିଛି ରଘୁନାଥପାଲି ପୁଲିସ। ଗୋଟିଏ ଟ୍ରକର କାଗଜପତ୍ର ଠିକ୍ ଥିବାରୁ ପୁଲିସ ତାକୁ ଛାଡ଼ି ଦେଇଥିଲା। ହେଲେ ଅନ୍ୟ ଗାଡ଼ିକୁ ଅଟକ ରଖାଯାଇଥିଲା । ଏସଆଇଟି ଥାନାକୁ ଯାଇ ଗୋଦାମ ମାଲିକ ଶ୍ରବଣ ଅଗ୍ରୱାଲ ଓ ଗାଡ଼ି ଚାଳକ ବିର୍ସା ସାମଲଙ୍କୁ ପଚରାଉଚରା କରିଥିଲା। ଏହାପରେ ମଙ୍ଗଳବାର ପୋଲିସ ବେଆଇନ ବିସ୍ଫୋରକ ଚାଲାଣ ଅଭିଯୋଗରେ ଗୋଦାମ ମାଲିକ ଓ ଚାଳକଙ୍କୁ ଗିରଫ କରିଛି।
ସୂଚନା ଯୋଗ୍ୟ, ବଡ଼ଗାଁର ଇତମା ସ୍ଥିତ ଗୋଦାମରୁ ଗତ ୨୭ ତାରିଖରେ ବାଙ୍କୋ ପଥର ଖାଦାନକୁ ୪ଟନ ବିସ୍ଫୋରକ ବୋଝେଇ ଟ୍ରକ ଯାଇଥିଲା। ହେଲେ ସେଠାରୁ ମାଓବାଦୀମାନେ ବିସ୍ଫୋରକ ଲୁଟି ନେଇଥିଲେ। ଏହା ପରେ ଗୋଦାମକୁ ପୋଲିସ ସିଲ୍ କରିଥିଲା। ଗୋଦାମ ସିଲ୍ ଥିବା ବେଳେ ଗତ ଦୁଇ ଦିନ ତଳେ ପେଟ୍ରୋଲ ପମ୍ପ ପାର୍କିଂରୁ ବିସ୍ଫୋରକ ବୋଝେଇ ଟ୍ରକ ଧରାପଡ଼ିଥିଲା। ଏହି ବିସ୍ଫୋରକ କେମିତି ଆସିଲା ତାର ତଦନ୍ତ ପୋଲିସ କରିବା ସହ ଗୋଦାମ ମାଲିକ ଓ ଚାଳକଙ୍କୁ ଅଟକ ରଖିଥିଲା । ମଙ୍ଗଳବାର ସେମାନଙ୍କୁ ଗିରଫ କରାଯାଇଛି।