ନୂଆଦିଲ୍ଲୀ: ଅତୁଲ ସୁବାସ ଘଟଣାକୁ ନେଇ ଆକ୍ସନ ମୋଡରେ ବେଙ୍ଗାଲୁରୁ ପୋଲିସ। ପତ୍ନୀ ଓ ଶ୍ୱସୁର ଘରଲୋକଙ୍କ ଅତ୍ୟାଚାରରେ ଅତିଷ୍ଟ ହୋଇ ଗତ ସୋମବାର ଦିନ ବାଙ୍ଗାଲୋରର ଆତ୍ମହତ୍ୟା କରିଥିଲେ ଏହି ଯୁବ ଇଞ୍ଜିନିୟର। ମୃତ୍ୟୁର ଦୁଇଦିନ ପରେ ବେଙ୍ଗାଲୁରୁ ପୋଲିସ ଅତୁଲଙ୍କ ସ୍ତ୍ରୀ ନିକିତାଙ୍କୁ ତିନିଦିନ ମଧ୍ୟରେ ନିଜ ଷ୍ଟେଟମେଣ୍ଟ ଜାରିକରିବାକୁ ନୋଟିସ ପଠାଇଛି। ଏହି ନୋଟିସରେ ନିକିତାଙ୍କ ମା ଓ ଭାଇଙ୍କୁ ମଧ୍ୟ ନିଜ ଷ୍ଟେଟମେଣ୍ଟ ଜାରିକରିବାକୁ ପୋଲିସ ନିର୍ଦ୍ଦେଶ ଦେଇଛି। ନିକିତା ସିଂହାନିଆ ରହୁଥିବା ଉତ୍ତର ପ୍ରଦେଶର ଜଉନପୁରକୁ ଏହି ନୋଟିସ ପଠାଯାଇଛି।
କର୍ଣ୍ଣାଟକର ବେଙ୍ଗାଲୁରର ଏକ ପ୍ରାଇଭେଟ ଫାର୍ମରେ ଏଆଇ ସଫ୍ଟୱେୟାର ଇଞ୍ଜିନିୟର ଭାବେ ଚାକିରି କରୁଥିଲେ ଅତୁଲ ସୁବାସ। ପତ୍ନୀ ଓ ଶ୍ବଶୁର ଘର ଲୋକଙ୍କ ନିର୍ଯାତନା ଦିନକୁ ଦିନ ଅସହ୍ୟ ହେବା ଫଳରେ ଅତୁଲ ସୁବାସ ସୋମବାର ଦିନ ଆତ୍ମହତ୍ୟା କରିଥିଲେ। ଆତ୍ମହତ୍ୟା ପୂର୍ବରୁ ଅତୁଲ ୨୪ ପୃଷ୍ଠାର ଏକ ସୁଇସାଇଡ୍ ନୋଟ ଲେଖିଥିବା ବେଳେ ପ୍ରାୟ ଦେଢ଼ ଘଣ୍ଟାର ଏକ ଭିଡିଓ ବାର୍ତ୍ତା ପ୍ରସ୍ତୁତ କରିଥିଲେ। ଏହି ସୁଇସାଇଡ ନୋଟ ଓ ଭିଡିଓରେ ସେ ନିଜର ବୈବାହିକ ଜୀବନ ଓ ସ୍ତ୍ରୀଙ୍କ ଦ୍ୱାରା ତାଙ୍କ ଉପରେ ଲଗାଯାଇଥିବା ବିଭିନ୍ନ କେସ ସମ୍ପର୍କରେ ସେ କଥା ହୋଇଥିଲେ। ତାଙ୍କ ଭିଡିଓ ବର୍ତ୍ତାଟି ଏତେ ହୃଦୟସ୍ପର୍ଶୀ ଥିଲାଯେ ଏହି ଭିଡିଓଟି ସାଙ୍ଗେସାଙ୍ଗେ ଭାଇରାଲ ହୋଇଯାଇଥିଲା।
ଆତ୍ମହତ୍ୟା ପରେ ସୁବାସଙ୍କ ବଡ ଭାଇ ନିକିତା ଓ ତାଙ୍କ ପରିବାର ବିରୁଦ୍ଧରେ ସୁବାସଙ୍କୁ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇଥିବା ଅଭିଯୋଗ ଆଣିଥିଲେ।l ତେବେ ନିକିତା ଏ ପର୍ଯ୍ୟନ୍ତ ଯାଏ ଏହି ଅଭିଯୋଗ ଉପରେ କୌଣସି ଉତ୍ତର ରଖିନାହାନ୍ତି।
ନୀକିତା ଓ ତାଙ୍କ ପରିବାର ଲୋକଙ୍କୁ ନିଜ ଷ୍ଟେଟମେଣ୍ଟ ରେକର୍ଡ କରିବାକୁ ବେଙ୍ଗାଲୁରୁ ପୋଲିସ ସୋମବାର ଯାଏ ସମୟ ଦେଇଛି। ଏଥିରେ ବିଳମ୍ବ ହେଲେ ପୋଲିସ ସଗୃହିତ ପ୍ରମାଣ ଆଧାରରେ ସେମାନଙ୍କୁ ଗିରଫ କରିବାର ସମ୍ଭାବନା ରହିଛି। ନୂଆ ଭାରତୀୟ ନାଗରିକ ସୁରକ୍ଷା ସଂହିତା(ବିଏନଏସଏସ)ରେ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା କ୍ଷେତ୍ରରେ ୧୦ ବର୍ଷର କାରାଦଣ୍ଡର ବ୍ୟବସ୍ଥା ରହିଛି। ଆଇପିସିର ପୁରୁଣା ନିୟମରେ ଏହି ଦଣ୍ଡାଦେଶ ୭ ବର୍ଷ ଯାଏଁ ଥିଲା।
ସାରା ଦେଶରେ ଏହି ମାମଲାକୁ ନେଇ ଚର୍ଚ୍ଚା ଲାଗି ରହିଛି। ବିହାରର ମୁଳ ନିବାସି ସୁବାସ ୨୦୧୯ ମସିହାରେ ନିକିତାଙ୍କୁ ବିବାହ କରିଥିଲେ।୨୦୨୨ରେ ନିକିତା ନିଜ ସ୍ୱାମୀଙ୍କ ଦ୍ୱାରା ଯୈତୁକ ନିର୍ଯାତନାର ଶିକାର ହୋଇଥିବା ନେଇ ଥାନାରେ ହୋଇଥିଲେ। ସୁବାସ ଓ ତାଙ୍କ ପରିବାର ଲୋକ ବାହାଘର ପରେ ୧୦ ଲକ୍ଷଟଙ୍କା ଅଧିକ ଯୌତୁକ ଦାବିରେ ତାଙ୍କୁ ନିର୍ଯାତନା ଦେଉଥିବା ନେଇ ନିକିତା ପୋଲିସରେ ଅଭିଯୋଗ କରିଥିଲେ। ସୁବାସ ତାଙ୍କୁ ମାଡ ମାରିବା ସହ ତାଙ୍କ ସହ ରାକ୍ଷସ ଭଳି ବ୍ୟାବହାର କରୁଥିଲେ ବୋଲି ମଧ୍ୟ ଏହି ଅଭିଯୋଗରେ ଉଲ୍ଲେଖ କରିଥିଲେ।