ନୂଆପଡ଼ା ୧୬/୦୮: ରାସ୍ତାରୁ ଗୋରୁଙ୍କୁ ଘଉଡ଼ାଇବା ସମୟରେ ଅଘଟଣ। ଦ୍ରୁତଗତିରେ ଆସି ୫ ଜଣଙ୍କୁ ପିଟିଲା ପିକ୍ଅପ୍ ଭ୍ୟାନ୍। ଘଟଣାସ୍ଥଳରୁ ହୋଇଗଲା ଫେରାର। ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ଘଟିଛି। ଖରିଆର ରୋଡ଼ ଏନଏସି ଈଓ ଗୁରୁତର ହୋଇଥିବା ବେଳେ ୩ଜଣ ଗୋ-ରକ୍ଷକ ଆହତ ହୋଇଛନ୍ତି। ଦୁର୍ଘଟଣାସ୍ଥଳରୁ ଏନଏସି ଈଓ କମଳାସନ ରଥଙ୍କୁ ଉଦ୍ଧାର କାରାଯାଇ ନୂଆପଡା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ସୂଚନା ମିଳିଛି। ମୃତକ ଖରିଆର ରୋଡ଼ର ନବୀନ ଶର୍ମା ବୋଲି ଜଣାପଡ଼ିଛି।
ସୂଚନା ଅନୁଯାୟୀ, ଖରିଆର ରୋଡ଼ ସହରରେ ଜାତୀୟ ରାଜପଥ ଉପରେ ଗୋରୁଗାଈଙ୍କ ଗହଳି ବଢ଼ୁଥିବାରୁ ରାସ୍ତାରେ ଦୁର୍ଘଟଣା ଘଟୁଛି। ଏହାକୁ ଏଡାଇବା ପାଇଁ ଶୁକ୍ରାବାର ରାତିରେ କିଛି ଗୋ ରକ୍ଷକ ଏବଂ ଏନ୍ଏସି ଇଓ ଗାଈଙ୍କୁ ଉଦ୍ଧାର କରି କାଞ୍ଜିଘରକୁ ନେବାକୁ ଉଦ୍ୟମ କରୁଥିଲେ। ଗୋରୁଗାଈଙ୍କୁ ରାସ୍ତାରୁ ହଟାଇବା ସମୟରେ ଗୋଟିଏ ପିକଅପ ଭ୍ୟାନ ଦ୍ରୁତଗତିରେ ଆସି ଦୁର୍ଘଟଣା ଘଟାଇ ଫେରାର ମାରିଥିଲା। ପରେ ଗାଡି ଜବତ ହୋଇଥିବା ବେଳେ ଡ୍ରାଇଭର ଫେରାର ଅଛି। ଏପଟେ ୫ ଜଣଙ୍କୁ ଉଦ୍ଧାର କରାଯାଇ ତୁରନ୍ତ ଖରିଆର ରୋଡ଼ ଓ ପରେ ନୂଆପଡା ମୁଖ୍ୟ ଚିକିତ୍ସାଳୟ ଆଣିଥିବା ବେଳେ ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଏନଏସି ଈଓଙ୍କ ନାକରୁ ପ୍ରବଳ ରକ୍ତସ୍ରାବ ହୋଇଥିବାରୁ ତାଙ୍କୁ ନୂଆପଡା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରି ଚିକିତ୍ସା କରାଯାଉଛି।