ସୋନପୁର, ୧୬/୦୮ : ଖଲିଆପାଲି ସ୍ଥିତ ସନ୍ଥକବି ଭୀମ ଭୋଇଙ୍କ ସାଧନା, ସିଦ୍ଧି ଓ ସମାଧି ପୀଠର ହେବ ସର୍ବାଙ୍ଗୀନ ବିକାଶ। ସାହିତ୍ୟ କଳାକୃତି ଗୁଡିକର ହେବ ଡିଜିଟାଇଜେସନ। ଭୀମ ଭୋଇଙ୍କ ୧୭୫ତମ ଜନ୍ମ ଜୟନ୍ତୀ ପାଳନ ଅବସରରେ ଖଲିଆପାଲି ସ୍ଥିତ ସନ୍ଥକବିଙ୍କ ସମାଧିପୀଠକୁ ପରିଦର୍ଶନରେ ଆସି ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଏହି ଘୋଷଣା କରିଛନ୍ତି। ସୋନପୁର ପଟୁ ଖଲିଆପାଲିକୁ ଆସୁଥିବା ରାସ୍ତାରେ ନନ୍ଦନମାଳ ଛକରେ ଏକ ବଡ଼ ମହିମାଗେଟ୍ ନିର୍ମାଣ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।
ଶୁକ୍ରବାର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ସୁବର୍ଣ୍ଣପୁରଠାରେ ଜିଲ୍ଲାସ୍ତରୀୟ ସ୍ୱାଧିନତା ଦିବସ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପତାକା ଉତ୍ତୋଳନ କରିଥିଲେ। ଏହାପରେ ଖଲିଆପାଲି ସ୍ଥିତ ଭୀମଭୋଇଙ୍କ ସମାଧିପୀଠ, ଚରଦାର ଚରଦେଇ ପୀଠ, କୋଟସମଲେଇ ସ୍ଥିତ ପାତାଳୀ ଶ୍ରୀକ୍ଷେତ୍ରକୁ ପରିଦର୍ଶନ କରିଥିଲେ। ତାଙ୍କ ସହ ବୀରମହାରାଜପୁର ବିଧାୟକ ଇଂ.ରଘୁନାଥ ଜଗଦଲା, ସୁବର୍ଣ୍ଣପୁର ଜିଲ୍ଲାପାଳ ଡ.ନୃପରାଜ ସାହୁ, ଏସପି ନାରାୟଣ ନାୟକ, ଉପଜିଲ୍ଲାପାଳ ଡ.ସୌମ୍ୟାଶ୍ରୀ ରଥ ପ୍ରମୁଖ ଯୋଗ ଦେଇଥିଲେ। ଖଲିଆପାଲି ଠାରେ ଭୀମଭୋଇ ସମାଧି ପୀଠ ଟ୍ରଷ୍ଟ ପକ୍ଷରୁ ମ୍ୟାନେଜିଂ ଟ୍ରଷ୍ଟି ଛତ୍ରଧାରୀ ଅଗ୍ରୱାଲ, ମହାଦେବ ବଗର୍ତ୍ତି, ମିଲୁ ବଗର୍ତ୍ତି, ସୁମନ୍ତ ପଟେଲ, ମିଲୁ ତାଣ୍ଡି, ଅଶୋକ ବଡମାଳି ପ୍ରମୁଖ ଅତିଥିଙ୍କୁ ଭବ୍ୟ ସ୍ୱାଗତ କରିଥିଲେ। ଏହି ଅବସରରେ ମନ୍ତ୍ରୀ ସନ୍ଥକବିଙ୍କ ପାଦୁକା ମନ୍ଦିର ଓ ମ୍ୟୁଜିୟମକୁ ପରିଦର୍ଶନ କରିବା ସହିତ ସମାଧି ମନ୍ଦିରରେ ଜଗତର କଲ୍ୟାଣ ପାଇଁ ଦୀପଦାନ କରିଥିଲେ। ସମାଧିପୀଠର ସନ୍ୟାସୀ ବାବା, ସାଧୁ ପ୍ରଣବାନନ୍ଦ ଦାସଙ୍କ ସହ ମହିମାଭକ୍ତଙ୍କ ମହିମାଡାକରେ ପୀଠ କମ୍ପି ଉଠିଥିଲା। ମ୍ୟୁଜିୟମରେ ସନ୍ଥକବିଙ୍କ ସ୍ତୁତି ଚିନ୍ତାମଣୀ ସମେତ ଅନ୍ୟାନ୍ୟ ପାଣ୍ଡୁଲିପି ଦେଖି ମନ୍ତ୍ରୀ ଭାବବିହ୍ୱଳ ହୋଇପଡିଥିଲେ। ଏହାର ସଂରକ୍ଷଣ ପାଇଁ ସରକାର ପଦକ୍ଷେପ ନେବେ ଓ ଏହାର ଡିଜିଟାଇଜେସନ କରାଇବେ ବୋଲି କହିଥିଲେ। ଏହା ସହିତ ସମାଧିପୀଠ ଟ୍ରଷ୍ଟର ଏକ ୱେବସାଇଟ ଖୋଲିବା, ପୀଠର ସାମଗ୍ରିକ ବିକାଶ ପାଇଁ ଏକ ଡିପିଆର ପ୍ରସ୍ତୁତ କରାଇବାକୁ ଜିଲ୍ଲାପାଳ ଡ.ସାହୁଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ସୋନପୁର ପଟୁ ଖଲିଆପାଲିକୁ ଆସୁଥିବା ରାସ୍ତାରେ ନନ୍ଦନମାଳ ଛକରେ ଏକ ବଡ଼ ମହିମାଗେଟ୍ ନିର୍ମାଣ କରିବାକୁ ମଧ୍ୟ ମନ୍ତ୍ରୀ ନିର୍ଦ୍ଦେଶ କରିଥିଲେ। ମନ୍ତ୍ରୀଙ୍କ ଏହି ଗସ୍ତ ସମୟରେ ସୁବର୍ଣ୍ଣପୁର ବିଜେପି ଜିଲ୍ଲା ସଭାପତି ବେଣୁଧର ଦାସ, ପୂର୍ବତନ ସଭାପତି ପ୍ରମୋଦ ମହାପାତ୍ର, ନବକୃଷ୍ଣ ଦନ୍ତା, ଓକିଲ ସେଠ, ବିଷ୍ଣୁପ୍ରସାଦ କେଡିଆ, ପୂର୍ବତନ ଯୁବମୋର୍ଚ୍ଚା ସଭାପତି ବେଣୀମାଧବ ବେଦବାକ, ବଟକୃଷ୍ଣ ନେଗୀଙ୍କ ସମେତ ଶତାଧିକ କାର୍ଯ୍ୟକର୍ତ୍ତା ସାମିଲ ହୋଇଥିଲେ । ପ୍ରାରମ୍ଭରେ ଖଲିଆପାଲି ପ୍ରାଥମିକ ଓ ଉଚ୍ଚବିଦ୍ୟାଳୟର ଛାତ୍ରଛାତ୍ରୀମାନେ ମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ । ଏହି ଅବସରରେ ଟ୍ରଷ୍ଟ ପକ୍ଷରୁ ସନ୍ଥକବିଙ୍କ ଗ୍ରନ୍ଥାବଳୀ, ମୋମେଣ୍ଟୋ ଓ ଉତ୍ତରୀୟ ଦେଇ ମନ୍ତ୍ରୀ ଓ ବିଧାୟକଙ୍କୁ ସମ୍ବର୍ଦ୍ଧିତ କରାଯିବା ସହିତ ପୀଠର ବିଭିନ୍ନ ଉନ୍ନତିମୂଳକ କାମ ପାଇଁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ସାମ୍ବାଦିକ ପୂର୍ଣ୍ଣଚନ୍ଦ୍ର ପଣ୍ଡା, ସିଏ ମୁକେଶ ଅଗ୍ରୱାଲ, ପୀଠର ସଂପାଦକ ଜନ୍ମେଜୟ ସ୍ୱାଇଁ , ସାମ୍ବାଦିକ ଅଶୋକ ପଣ୍ଡା ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।