ପୁରୀ,୨୯/୦୬: ଶନିବାର ମଧ୍ୟାହ୍ନରେ ଶରଧାବାଲିରେ ତିନି ରଥ ପହଞ୍ଚିଲା ପରେ ହଟିଛି ଟ୍ରାଫିକ କଟକଣା । ଭୁବନେଶ୍ୱର ପଟୁ ଆସୁଥିବା ପାସ୍ଧାରୀ ଓ ବିନା ପାସ୍ଧାରୀ କାର ସିଧାସଳଖ ହରେକୃଷ୍ଣପୁର ଛକରୁ ଅଠରନଳା ଦେଇ ଜେଲରୋଡ ପାର୍କିଂ, ମାର୍କେଟ ଛକ ପୌର ପାଳିକା ପାର୍କିଂରେ ରହିପାରିବ । ସେହିଭଳି ଶ୍ରୀସେତୁ ଦେଇ ଆସୁଥିବା ଯାନଗୁଡ଼ିକ ଜେବିପିସିରେ ପାର୍କିଂ କରିବେ । ସେଠାରୁ ସେମାନେ ବଡ଼ଦାଣ୍ଡକୁ ଆସି ଶରଧାବାଲି ଅଭିମୁଖେ ଯାଇ ପାରିବେ ।
ସେହିପରି ଦୁଇ ଚକିଆ ଯାନଗୁଡ଼ିକ ମଧ୍ୟ ଉପରୋକ୍ତ ସ୍ଥାନରେ ପାର୍କିଂ କରିବେ । ଠାକୁର ଆଡ଼ପମଣ୍ଡପକୁ ବିଜେ ପର୍ଯ୍ୟନ୍ତ ଟ୍ରାଫିକ କଟକଣା ବଳବତ୍ତର ରହିବ । ମାତ୍ର ଠାକୁର ଶ୍ରୀଗୁଣ୍ଡିଚା ମନ୍ଦିରକୁ ପ୍ରବେଶ ପରେ କଟକଣା ପରିବର୍ତ୍ତନ ହୋଇପାରେ ବୋଲି କହିଛନ୍ତି ଟ୍ରାଫିକ ଡିଏସ୍ପି ରାଜକୁମାର ପରିଡ଼ା ।
ସେହିପରି ରବିବାର ସକାଳେ ପୁରୀ ପୌରପାଳିକା ବସ୍ଷ୍ଟାଣ୍ଡକୁ ଭୁବନେଶ୍ୱର, କଟକ, ବ୍ରହ୍ମଗିରି ଓ କୋଣାର୍କ ପଟୁ ଆସୁଥିବା ସମସ୍ତ ନିୟମିତ ଯାତ୍ରୀବାହୀ ବସ୍ ଚଳାଚଳ କରିବ ବୋଲି ଜିଲ୍ଲା ପରିବହନ ଅଧିକାରୀ ରବୀନ ପଟ୍ଟନାୟକ ସୂଚନା ଦେଇଛନ୍ତି । ରଥଯାତ୍ରା ଲାଗି ବସ୍, କାର ଓ ବାଇକ ଚଳାଚଳ ଉପରେ କଟକଣା ଲାଗୁ କରାଯାଇଥିଲା ।