ଭୁବନେଶ୍ବର ୨୯/୦୬; ‘ଏ ବର୍ଷ ରଥଯାତ୍ରା ଦିନ ନନ୍ଦିଘୋଷ ଗଡ଼ିଲାନି । ଦଳଚକଟାରେ ଆହତ ହେଲେ ଶ୍ରଦ୍ଧାଳୁ । କିନ୍ତୁ ସରକାର ତଥ୍ୟ ଲୁଚାଇଲେ । ଏହାର ପରିଣାମ ସ୍ୱରୂପ ଗତକାଲି ଶରଧାବାଲି ଦଳଚକଟାରେ ୩ଜଣ ପ୍ରାଣ ହରାଇଛନ୍ତି । ଅନେକ ଆହତ ହୋଇଛନ୍ତି । ସରକାର କିଛି ଶିଖିବାକୁ ଚାହୁଁ ନାହାନ୍ତି । ଲୋକେ ଯେବେ ମରୁଛନ୍ତି, ବିଜେପି ନେତା ‘ମନ କି ବାତ୍’ ଶୁଣୁଛନ୍ତି ।‘ ରଥଯାତ୍ରା ଅଘଟଣକୁ ନେଇ ଏଭଳି କ୍ଷୋଭ ପ୍ରକାଶ କରିଛନ୍ତି ବିଜେଡି ବରିଷ୍ଠ ନେତା ଅରୁଣ ସାହୁ ।
ସେ ଆହୁରି ମଧ୍ୟ କହିଛନ୍ତି, ଅଘଟଣ ସମୟରେ ମୁଖ୍ୟମନ୍ତ୍ରୀ, ଅନ୍ୟ ମନ୍ତ୍ରୀମାନେ, ମୁଖ୍ୟ ଶାସନ ସଚିବ, ଡିଜିପି ଡେରା ପକାଇବା କଥା । ଯେଉଁଥି ପାଇଁ ଶରଧାବାଲିରେ ଦଳଚକଟା ହେଲା ଏବଂ ଲୋକେ ପ୍ରାଣ ହରାଇଲେ । ଏବେ ‘ପ୍ରଧାନମନ୍ତ୍ରୀ ‘ମନ କି ବାତ’ରେ ଦଳଚକଟା କଥା କୁହନ୍ତୁ’ । ଦାୟୀ ମାନଙ୍କୁ କାହିଁକି ଶାସ୍ତି ଦେଉ ନାହାନ୍ତି ? ଯଦି ସରକାର ନିଜେ ଦାୟୀ, ଇସ୍ତଫା ଦିଅନ୍ତୁ । କୋଟି କୋଟି ଲୋକଙ୍କ ଭାବାବେଗ ସହ ଖେଳୁଛନ୍ତି । କି ତଦନ୍ତ କରିବେ ? ପ୍ରଭୁ ବଳଭଦ୍ରଙ୍କ ପଡ଼ିବା ତଦନ୍ତ ରିପୋର୍ଟ କୁଆଡ଼େ ଗଲା ? ଗୋଟେ ଭୁଲ୍ ଲୁଚାଇବାକୁ ସରକାର ଭୁଲ ପରେ ଭୁଲ କରି ଚାଲିଛନ୍ତି । ଓଡ଼ିଆ ଅସ୍ମିତା ରସା ତଳକୁ ଗଲାନି । ଯିଏ ଦାୟୀ, ଆଜି ରାତି ସୁଦ୍ଧା ବହିଷ୍କାର କର । କିଏ ୧୫ ହଜାର କର୍ଡନ ପାସ୍ ଦେଇଥିଲେ, ତା’ର ତଦନ୍ତ ହେଉ ବୋଲି ଅରୁଣ ସାହୁ ସରକାରଙ୍କୁ କଟାକ୍ଷ କରି ପ୍ରଶ୍ନ କରିଛନ୍ତି ।